‘ଆର୍ଆର୍‌ଆର୍‌’ର ଦମ୍‌ଦାର୍‌ ସଫଳତା ପରେ ଜୁନିୟର୍ ଏନ୍‌ଟିଆର୍‌ଙ୍କର ଲୋକପ୍ରିୟତା ବୃଦ୍ଧି ପାଇଛି। ତାଙ୍କର ଆଗାମୀ ସିନେମା ‘ଦେବରା’ ସେପ୍‌ଟେମ୍ବର ୨୭ରେ ରିଲିଜ୍‌ ହେବାକୁ ଥିବା ବେଳେ ଆମେରିକାରେ ଏହା ଅଗ୍ରିମ ଟିକେଟ୍ ବୁକିଂରେ ରେକର୍ଡ କରିଛି। ଏହି ସିନେମାରେ ଅଭିନୟ କରିଥିବା କଳାକାରଙ୍କ ପାରିଶ୍ରମିକ ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ୩୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ‘ଦେବରା’ର ମୁଖ୍ୟ କଳାକାରମାନଙ୍କ ପାରିଶ୍ରମିକ ପୂରା ବଜେଟ୍‌ର ୨୬ ପ୍ରତିଶତ ବୋଲି ସୂଚନା ମିଳିଛି। ‘ଦେବରା’ରେ ଜୁନିୟର୍ ଏନ୍‌ଟିଆର୍‌ଙ୍କ ସହ ଜାହ୍ନବୀ କପୁର, ସୈଫ୍ ଅଲ୍ଲୀ ଖାଁ, ପ୍ରକାଶ ରାଜ ଓ ମୁରଲୀ ଶର୍ମା ମୁଖ୍ୟ ଭୂମିକାରେ ଅଛନ୍ତି। 

Advertisment

ଜୁନିୟର୍ ଏନ୍‌ଟିଆର୍‌ ‘ଆର୍ଆର୍ଆର୍’ ପାଇଁ ୪୫ କୋଟି ଟଙ୍କା ପାରିଶ୍ରମିକ ନେଇଥିବା ବେଳେ ‘ଦେବରା’ରେ ତାହାର ୩୩ ପ୍ରତିଶତ ଅଧିକ ପାଇଛନ୍ତି। ଏହି ସିନେମା ପାଇଁ ସମସ୍ତ କଳାକାରଙ୍କ ପାରିଶ୍ରମିକ ପ୍ରାୟ ୮୦ କୋଟି ରହିଥିବା ବେଳେ କେବଳ ଜୁନିୟର୍ ଏନ୍‌ଟିଆର୍‌ ୬୦ କୋଟି ଟଙ୍କା ନେଇଥିବା ଜଣାପଡ଼ିଛି। ସେହିପରି ଅଭିନେତ୍ରୀ ଜାହ୍ନବୀ କପୁର ୫ କୋଟି, ସୈଫ୍ ଅଲ୍ଲୀ ଖାଁ ୧୦ କୋଟି, ପ୍ରକାଶ ରାଜ୍ ୧.୫ କୋଟି ଟଙ୍କା ନେଇଛନ୍ତି ବୋଲି ମନୋରଂଜନ ଶିଳ୍ପର ଖବର ପ୍ରକାଶ କରୁଥିବା ୱେବ୍‌ ଚାନେଲ୍ ‘କୋଇ‌ମୋଇ’ ଉଲ୍ଲେଖ କରିଛି। ଜାହ୍ନବୀ କପୁର ଜୁନିୟର୍ ଏନ୍‌ଟିଆର୍‌ଙ୍କ ନାୟିକା ଭୂମିକାରେ ଥିବାବେଳେ ସୈଫ୍ ଅଲ୍ଲୀ ଖାଁ ଖଳନାୟକ ଭୂମିକା ତୁଲାଇବେ।