ଅଭିନୟଲାଗି କରଞ୍ଜିଆରୁ କଟକ ଧାଇଁଆସିଥିବା ଓଡ଼ିଆ ସିନେଜଗତର ଏହି ନାମୀ ହାସ୍ୟାଭିନେତାଙ୍କ ପ୍ରଥମ ଦୃଶ୍ୟ କଟିଯାଇଥିଲା !

ବିଶେଷ: ଶିବଶଙ୍କର ଓଝା

ଭୁବନେଶ୍ୱର: ପିଲାବେଳୁ ଅଭିନୟ ପ୍ରତି ତାଙ୍କର ଦୁର୍ବଳତା ଥିଲା। ସୁଦୂର ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଉଚ୍ଚ ବିଦ୍ୟାଳୟରେ ପଢ଼ୁଥିବା ବେଳେ ସ୍କୁଲରେ ଡ୍ରାମା ହୁଏ। ପ୍ରତିବର୍ଷ ତାଙ୍କ ବାପା ଡ୍ରାମାର ଦାୟିତ୍ୱ ନିଅନ୍ତି। ସେ ଘରେ ଆସି ଡ୍ରାମାର ଟିକିନିଖି କଥା ମା’ଙ୍କୁ କହନ୍ତି । ସେକଥା ଶୁଣି ଅଭିନୟ କରିବାକୁ ଉତ୍ସାହିତ ହୁଅନ୍ତି ଉକ୍ତ ଅଭିନେତାଜଣକ। ବାପାଙ୍କ ପ୍ରେରଣାରେ ସେ ପ୍ରଥମେ ମଞ୍ଚରେ ଅଭିନୟ ଆରମ୍ଭ କରନ୍ତି। ସେ ପ୍ରଥମେ ’ପେଟେଣ୍ଟ୍‌ ମେଡିସିନ୍‌’ ନାଟକରେ ଅଭିନୟ କରନ୍ତି। ଏଥିରେ ତାଙ୍କୁ ମିଳିଥିଲା ମକରା ଭୂମିକା ।

ସ୍କୁଲ୍‌ ପରେ କରଞ୍ଜିଆ କଲେଜ୍‌ରେ ପଢ଼ନ୍ତି। ସେଠି ବି ତିନିଟି ଚାରିଟି ନାଟକରେ ଅଭିନୟ କରନ୍ତି। ତେବେ ବିଶ୍ୱଜିତ୍‌ ଦାସଙ୍କ ରଚିତ ’କୀଟ’ନାଟକରେ କମେଡି ରୋଲ୍‌ କରି ଖୁବ୍‌ ପ୍ରଶଂସା ପାଆନ୍ତି ଏହି ଅଭିନେତା। ଏଠାରେ ଯେଉଁ ଅଭିନେତାଙ୍କ କଥା କୁହାଯାଉଛି ତାଙ୍କର ନାମ ହେଲା ସଲିଲ ମିତ୍ର। ସେ କିନ୍ତୁ  ଆମ ଭିତରେ ନାହାନ୍ତି ।
ଗ୍ରାଜୁଏସନ୍‌ ଶେଷ କରିବା ବେଳକୁ ସଲିଲ ଏକଦମ୍‌ ଅଭିନୟ ନିଶାରେ ମସ୍‌ଗୁଲ୍‌ ହୋଇଥାନ୍ତି। କେବଳ ଗୋଟିଏ ଲକ୍ଷ୍ୟ କଟକ ଯିବେ ଏବଂ ସେଠି ରହି ଅଭିନୟ କରିବେ। ଏଥିପାଇଁ ୧୯୮୭ ମସିହାରେ କଟକ ଆସନ୍ତି। ସେ କଟକରେ ମହତାବ୍‌ ରୋଡ଼ରେ ରହୁଥାନ୍ତି। ସେତେବେଳେ ବୁନ୍ଦାବନ ଜେନାଙ୍କ ନିର୍ଦ୍ଦେଶନାରେ ’ଶାସ୍ତି’ ଚଳଚ୍ଚିତ୍ର ନିର୍ମିତ ହେଉଥାଏ।ସଲିଲ ସେହି ଚଳଚ୍ଚିତ୍ରର କ୍ୟାମେରାମ୍ୟାନ୍‌ ଅଶୋକ ସ୍ୱାଇଁଙ୍କୁ ଯାଇ ଭେଟନ୍ତି ଏବଂ ତାଙ୍କୁ ’ଶାସ୍ତି’ରେ ଅଭିନୟ କରିବା ଲାଗି ସୁଯୋଗ ଦେବା ଲାଗି ଅନୁରୋଧ କରନ୍ତି। ତାଙ୍କୁ ଥରେ ନୁହେଁ ବରଂ ତିନି ଥର ଭେଟନ୍ତି। ସେ ବୃନ୍ଦାବନ ଜେନାଙ୍କୁ କହନ୍ତି। ତା’ ବାଦେ ତାଙ୍କର ଜଣେ ସାଙ୍ଗ ପତିତପାବନ ସ୍ୱାଇଁ (ଦୀପୁ) ମଧ୍ୟ ବୃନ୍ଦାବନ ଜେନାଙ୍କୁ କହନ୍ତି। ବାସ୍‌ ତା’ପରେ ବୃନ୍ଦାବନ ବାବୁ ତାଙ୍କୁ ’ହୋଟେଲ୍‌ ବାସନ୍ତି’କୁ ଡକାଇ ପଠାନ୍ତି।

ସଲିଲ ତାଙ୍କ ପାଖରେ ପହଞ୍ଚିବା ପରେ ସେ ତାଙ୍କୁ ଏଥିରେ ସୁଯୋଗ ଦିଅନ୍ତି। ‘ଶାସ୍ତି’ ଚଳଚ୍ଚିତ୍ରର ପ୍ରଥମ ଦୃଶ୍ୟ ‘ଭେଡ଼ା’ର ଜମିଦାରଙ୍କ ଘରେ ସୁଟିଂ ହେଉଥାଏ। ସଲିଲଙ୍କୁ ଡାଏଲଗ୍‌ ଦିଆଯାଏ। ସେ ସେହି ଡାଏଲଗ୍‌ ସଙ୍ଗେସଙ୍ଗେ ମୁଖସ୍ଥ କରି ନିଅନ୍ତିି। କ୍ୟାମେରା ସଂପର୍କରେ ତାଙ୍କର କୌଣସି ଆଇଡିଆ ନଥାଏ। ତେଣୁ ସେ ଡ୍ରାମା ପରି ଡାଏଲଗ୍‌ କହି ଅଭିନୟ କରନ୍ତିି। ପ୍ରଥମ ଦୃଶ୍ୟଟି ଥିଲା ଏପରି-ଗୋଟେ ଗାଉଁଲି ଝିଅକୁ ସଲିଲ ନିରୋଳାରେ ପ୍ରେମ କରୁଥିବେ ଏବଂ ବାପାକୁ ନ ଡରିବା ଲାଗି ତାକୁ ପ୍ରବର୍ତ୍ତାଉଥିବେ।

Image result for odia film sasti

ସଲିଲଙ୍କର ଅଭିନୟ ଓ ଡାଏଲଗ୍‌ ରେ ୟୁନିଟ୍‌ ବାଲା ଖୁସି ହୋଇଯାନ୍ତି। ଗୋଟିଏ ସେଟ୍‌ ରେ ଓ.କେ ହୋଇଯାଏା। କିନ୍ତୁ ଦୁଃଖର ବିଷୟ ଯେ ’ଶାସ୍ତି’ ଚଳଚ୍ଚିତ୍ରଟି ଯେତେବେଳେ ମୁକ୍ତିଲାଭ କରେ , ସେତେବେଳେ ଏହି ଦୃଶ୍ୟଟି ସେଥିରେ ନଥିଲା । ଏଡିଟିଂ ବେଳେ କଟିଯାଇଥିଲା। ଅବଶ୍ୟ ଗୀତ ଦୃଶ୍ୟରେସଲିଲ ମିତ୍ରଙ୍କୁ ଦେଖିବାକୁ ମିଳିଥିଲା। ଯଦି ସେହି ପ୍ରଥମ ସିନ୍‌ଟା ରହିଥାନ୍ତା, ତେବେ ହୁଏତ ତାଙ୍କର କ୍ୟାରିଅର୍‌ ଭଲ ମୋଡ଼ ଦେଇଥାଆନ୍ତା ଏବଂ ତାଙ୍କୁ ଅଧିକସଂଖ୍ୟକ ସିନେମାରେ ଏହାପରେ କାମ ମିଳିଥାନ୍ତା।

ସମ୍ବନ୍ଧିତ ଖବର