ମୁମ୍ବାଇ : ସବୁବେଳେ ଆଇନଗତ ସମସ୍ୟାରେ ଫସୁଥିବା ବଲିଉଡ୍ ଅଭିନେତା ସଲମାନ ଖାନ୍ ଏବେ ପୁଣି ଏକ ନୂଆ ସମସ୍ୟାର ସାମ୍ନା କରିଛନ୍ତି । ତାଙ୍କ ବିରୋଧରେ ପଞ୍ଜାବର କିଛି ଲୋକେ ଏତଲା ଦେଇଥିବା ଜଣା ପଡ଼ିଛି । ଫିଲ୍ମ ‘ଭାରତ’ ପାଇଁ ତାଙ୍କ ବିରୋଧରେ ଏହି ଏତଲା ରୁଜୁ କରାଯାଇଥିବା ସୂଚନା ମିଳିଛି । ତେବେ ଏହି କାମରେ ସଲମାନଙ୍କ ଭୁଲ୍ କେତେ ତାହା ସ୍ପଷ୍ଟ ହୋଇ ନାହିଁ ।
ସୂଚନା ମୁତାବକ, ସଲମାନ ଏବଂ କ୍ୟାଟ୍ରିନା ଅଭିନୀତ ଫିଲ୍ମ ଭାରତର କିଛି ଭାଗର ସୁଟିଂ ପଞ୍ଜାବରେ କରାଯାଇଥିଲା । ଏହି ଫିଲ୍ମର ଏକ ଭାଗରେ ସଲମାନ ପାକିସ୍ତାନର ଜାତୀୟ ପତାକା ଉଡ଼ାଉଥିବାର ଏକ ଦୃଶ୍ୟ ରହିଛି । ଏହାର ସୁଟିଂ ପଞ୍ଜାବର ଏକ ଗାଁରେ କରାଯାଇଥିଲା । ଫିଲ୍ମରେ ଥିବା ଏହି ଦୃଶ୍ୟର ସୁଟିଂ ହେଉଥିବା ଦେଖି ଗାଁ ଲୋକେ ରାଗିବା ସହ ସଲମାନଙ୍କ ବିରୋଧରେ ଏତଲା ଦେଇଥିଲେ । ଏହା ସହ ସଲମାନ ରହୁଥିବା ହୋଟେଲକୁ ମଧ୍ୟ ଘେରାଉ କରିଥିଲେ ବୋଲି ଜଣାପଡ଼ିଛି । ପାକିସ୍ତାନର ଜାତୀୟ ପତାକା ଭାରତରେ ଉଡ଼ାଇବା ଭୁଲ । ସଲମାନ ଏପରି କରି ଭାରତକୁ ଅପମାନିତ କରିଛନ୍ତି ବୋଲି ଗାଁ ଲୋକେ କହିବା ସହ ଅଭିଯୋଗ ଆଣିଥିବା ସୂଚନା ମିଳିଛି ।
ଏହା ପୂର୍ବରୁ ସଲମାନଙ୍କ ଭିଣୋଇଙ୍କ ଅଭିନୀତ ଫିଲ୍ମ ଲଭରାତ୍ରୀର ନାଁକୁ ନେଇ ବିରୋଧ କରାଯିବା ପରେ ଫିଲ୍ମର ନାଁକୁ ବଦଳାଇ ଲଭ୍ୟାତ୍ରୀ କରାଯାଇଥିଲା ।