ମୁମ୍ବାଇ: ବଲିଉଡ୍ ଅଭିନେତା ସଲ୍ମାନ୍ ଖାନ୍ଙ୍କୁ ହତ୍ୟା ଧମକ ମିଳିବା ପରେ ଅଧିକ ଚର୍ଚ୍ଚାରେ ରହିଛନ୍ତି ଦବଙ୍ଗ ବୟ। ତେବେ ହତ୍ୟା ଧମକ ମିଳିବା ପରେ ଏ ନେଇ ସଲ୍ମାନ କେବେ ବି ନିଜର ନୀରବତା ଭଙ୍ଗ କରିନଥିଲେ। ତେବେ ନିକଟରେ ସେ ଏନେଇ ନିଜର ମୁହଁ ଖୋଲିଛନ୍ତି। ବିଶ୍ବାସ କରନ୍ତୁ, ସଲ୍ମାନଙ୍କ କଥା ଆପଣଙ୍କୁ ତାଙ୍କ ପ୍ରତି ଆହୁରି ଆକର୍ଷିତ କରିବ।
ଏକ ସାମ୍ବାଦିକ ସମ୍ମିଳନୀରେ ସଲ୍ମାନଙ୍କୁ ପଚରାଗଲା କି ‘ସଲ୍ମାନ ଭାଇ ଆପଣ ପୂରା ଦେଶର ଭାଇଜାନ୍। ଆପଣଙ୍କୁ ଯେଉଁ ଧମକ ମିଳେ ତାହାକୁ ଆପଣ କିପରି ନିଅନ୍ତି?’ ଯାହର ଉତ୍ତରରେ ହସି ହସି ସଲ୍ମାନ କହିଥିଲେ, ‘ମୁଁ ପୂରା ଭାରତର ଭାଇଜାନ୍ ନୁହେଁ। କାହାର ଜାନ୍ ବି ମୁଁ। ବହୁତ ଲୋକଙ୍କର ଜାନ୍ ମୁଁ। ଭାଇଜାନ୍ କେବଳ ସେମାନଙ୍କ ପାଇଁ ଯିଏ ଭାଇ ଅଟନ୍ତି ଓ ମୁଁ ଯାହାଙ୍କୁ ଭଉଣୀ ବନାଇବାକୁ ଚାହେଁ।’ ଅଭିନେତାଙ୍କର ଏହି ଜବାବ ଏବେ ସୋସିଆଲ୍ ମିଡିଆରେ ଘୂରି ବୁଲିବାରେ ଲାଗିଛି। ଏହାକୁ ଲୋକେ ଖୁବ୍ ସୁନ୍ଦର ମୁହୂର୍ତ୍ତ ବୋଲି କହୁଛନ୍ତି।
ଉଲ୍ଳେଖଯୋଗ୍ୟ, ମାର୍ଚ ୧୮ ତାରିଖ ଦିନ ଚଳଚ୍ଚିତ୍ର ଅଭିନେତା ସଲ୍ମାନ୍ ଖାନ୍ ପାଇଥିବା ହତ୍ୟା ଧମକ ଇ-ମେଲ୍ ଦୁର୍ଦାନ୍ତ ଗ୍ୟାଙ୍ଗ୍ଷ୍ଟର୍ ଗୋଲ୍ଡି ବ୍ରାର୍ ପଠାଇଥିଲେ। ବଲିଉଡ୍ ଅଭିନେତା ସଲ୍ମାନ୍ଙ୍କର ଜଣେ ଘନିଷ୍ଠ ସହଯୋଗୀ ଗୋଟାଏ ଇ-ମେଲ୍ ପାଇଥିଲେ। ସେଥିରେ ଜେଲ୍ରେ ଥିବା ଗ୍ୟାଙ୍ଗ୍ଷ୍ଟର୍ ଲରେନ୍ସ୍ ବିଷ୍ନୋଇଙ୍କ ସହିତ ନିକଟ ଅତୀତରେ ହୋଇଥିବା ସାକ୍ଷାତ୍କାର ପ୍ରସଙ୍ଗ ଉଲ୍ଲେଖ ଥିଲା। ସେଥିରେ ସେ କହୁଛନ୍ତି କି, ତାଙ୍କ ଜୀବନର ଲକ୍ଷ୍ୟ ହେଉଛି ସଲ୍ମାନ୍ଙ୍କୁ ହତ୍ୟା କରିବା।