ଅହମଦାବାଦ: ଅହମଦାବାଦରେ ଜୁନ ୧୨ ତାରିଖ ଅପରାହ୍ନରେ ଏୟାର ଇଣ୍ଡିଆ ବିମାନର ଭୟାବହ ଦୁର୍ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ଏଭଳି ଦୁଃଖ ସମୟରେ ସାଧାରଣଲୋକଙ୍କ ଠାରୁ ଆରମ୍ଭ କରି ରାଜନେତା, ଖେଳାଳିଙ୍କ ସମେତ ବଲିଉଡ କଳାକାରମାନେ ଶୋକ ପ୍ରକାଶ କରିଛନ୍ତି।
ଏୟାରଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ଖବର ପାଇବା ପରେ ସଲମାନ ଖାନ ତାଙ୍କର ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରି ଦେଇଛନ୍ତି।ଗୁରୁବାର ସଲମାନଙ୍କୁ ଇଣ୍ଡିଆନ ସୁପରକ୍ରସ୍ ରେସିଂ ଲିଗର ଲଞ୍ଚ ଇଭେଣ୍ଟରେ ଅଂଶ ଗ୍ରହଣ କରିବାର ଥିଲା। କିନ୍ତୁ ବିମାନ ଦୁର୍ଘଟଣା ଖବର ପାଇବା ପରେ ସେ ଇଭେଣ୍ଟ ଆୟୋଜକଙ୍କ ସହ ଏହାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।
କାର୍ଯ୍ୟକ୍ରମ ପରିଚାଳକମାନେ କହିଛନ୍ତି - ଯେପରି ଆପଣମାନେ ସମସ୍ତେ ଜାଣନ୍ତି, ଆଜି ଅପରାହ୍ନରେ ଏକ ଦୁଃଖଦ ଘଟଣା ଘଟିଛି। ଏହା ସମସ୍ତଙ୍କ ପାଇଁ ଏକ ଦୁଃଖର ସମୟ। ଏହି କଷ୍ଟକର ସମୟରେ ଆଇଏସଆରଏଲ ଏବଂ ସଲମାନ ଖାନ ଦେଶ ସହିତ ଏକଜୁଟ ହୋଇ ଛିଡ଼ା ହୋଇଛନ୍ତି। ଆମେ ଏହି କାର୍ଯ୍ୟକ୍ରମକୁ ସ୍ଥଗିତ ରଖିବା ପାଇଁ ଏକ ମିଳିତ ନିଷ୍ପତ୍ତି ନେଇଛୁ । କାରଣ ଏହା ଉତ୍ସବ ପାଳନର ସମୟ ନୁହେଁ । ତେଣୁ ଆମେ କାର୍ଯ୍ୟକ୍ରମକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛୁ। ଏହି ଦୁଃଖର ଘଡ଼ିରେ, ଆମେ ପୀଡିତଙ୍କ ପରିବାର ସହିତ ଅଛୁ ଏବଂ ସେମାନଙ୍କ ପାଇଁ ପ୍ରାର୍ଥନା କରୁଛୁ।’