ମୁମ୍ବାଇ: ଗତ କିଛି ଦିନ ହେବ ବଲିଉଡର ଦବଙ୍ଗ ଷ୍ଟାର ସଲମାନ ଖାନଙ୍କୁ ବାରମ୍ବାର ହତ୍ୟା ଧମକ ମିଳୁଛି। ପୂର୍ବରୁ ଅନେକ ଥର ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ସଲମାନଙ୍କୁ ହତ୍ୟା କରିବ ବୋଲି ଧମକ ଦେଇସାରିଥିବା ବେଳେ ସଲମାନଙ୍କର ଜଣେ ଘନିଷ୍ଠ ସହଯୋଗୀ ପ୍ରଶାନ୍ତ ଗୁଞ୍ଜଲକରଙ୍କୁ ଗତ ଶନିବାର ଏକ ଇ-ମେଲ୍ ଜରିଆରେ ହତ୍ୟା ଧମକ ମିଳିଥିଲା। ଏବେ ଏହି ଇମେଲକୁ ନେଇ ଆଉ ଏକ ବଡ଼ ତଥ୍ୟ ମୁମ୍ବାଇ ପୁଲିସ ହାତରେ ଲାଗିଛି। ସଲମାନଙ୍କ ସହଯୋଗୀଙ୍କ ପାଖକୁ ଯେଉଁ ଇମେଲ୍ ଆସିଥିଲା ତାହା ବ୍ରିଟେନର ଏକ ମୋବାଇଲ୍ ନମ୍ବର ସହିତ ଲିଙ୍କ୍ ଥିବା ଜଣାପଡ଼ିଛି। ଏହି ସୂଚନା ପାଇବା ପରେ ପୁଲିସ ଅଧିକ ତଦନ୍ତ ଆରମ୍ଭ କରିଛି।
ସଲମାନଙ୍କ ପାଖରେ ଏବେ ୱାଇ ବର୍ଗର ସୁରକ୍ଷା ଥିବା ବେଳେ ବୁଲେଟ ପ୍ରୁଫ କାର ମଧ୍ୟ ରହିଛି। ବିନା କୌଣସି ସୁରକ୍ଷାକର୍ମୀଙ୍କ ସହ ତାଙ୍କୁ ବାହାରକୁ ନଯିବାକୁ କୁହାଯାଇଛି। ସଲମାନ ଏବେ ମୁମ୍ବାଇରେ ନଥିବାରୁ ତାଙ୍କ ପରିବାରର ଚିନ୍ତା ବଢ଼ିଛି। ସୁରକ୍ଷା ବଢ଼ାଯିବା ସହ ସଲମାନଙ୍କୁ କିଛି ଦିନ ସତର୍କ ରହିବାକୁ କୁହାଯାଇଛି।
ତେବେ ହତ୍ୟା ଧମକ ମିଳିବା ପରେ ବି ସଲମାନ ଡରୁନଥିବା କୁହାଯାଉଛି। ଯେତେବେଳେ ଯାହା ହେବାର ଥିବା ହେବ, ଡରିକି ଘରେ ବସିପାରିବି ନାହିଁ ବୋଲି ସଲମାନଙ୍କ କହୁଥିବା ଚର୍ଚ୍ଚା ହେଉଛି।
ଅନ୍ୟପକ୍ଷରେ ଲରେନ୍ସ ବିଷ୍ଣୋଇ କହିଛି ଯେ, ସଲମାନ କ୍ଷମା ନମାଗିଲେ ତାକୁ ହତ୍ୟା କରାଯିବ। କିଛି ଦିନ ତଳେ ଜେଲରୁ ସାକ୍ଷାତକାର ଦେଇ ଲରେନ୍ସ କହିଥିଲା, “ସଲମାନ ଖାନଙ୍କୁ କ୍ଷମା ମାଗିବାକୁ ପଡ଼ିବ। ସେ ବିକାନେରରେ ଥିବା ଆମ ମନ୍ଦିରକୁ ଯାଇ କ୍ଷମା ମାଗିବା ଉଚିତ୍। ମୋ ଜୀବନର ଲକ୍ଷ୍ୟ ହେଉଛି ସଲମାନ ଖାନଙ୍କୁ ହତ୍ୟା କରିବା। ଯଦି ତାଙ୍କ ସୁରକ୍ଷା ହଟାଯାଏ ତେବେ ମୁଁ ସଲମାନ ଖାନଙ୍କୁ ହତ୍ୟା କରିବି। ଯଦି ସେ କ୍ଷମା ମାଗନ୍ତି, ତେବେ ବିବାଦ ଶେଷ ହେବ। ସଲମାନ ହେଉଛନ୍ତି ଅହଙ୍କାରୀ, ସିଦ୍ଧୁ ମୁସେୱାଲା ମଧ୍ୟ ସେପରି ଥିଲେ। ସଲମାନ ଖାନଙ୍କ ଅହଙ୍କାର ରାବଣଙ୍କଠାରୁ ବି ବଡ।”