ମୁମ୍ବାଇ: ଏନସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା କରାଯିବା ପରେ ବଲିଉଡ ଅଭିନେତା ସଲମାନ ଖାନଙ୍କ ସୁରକ୍ଷା କଡାକଡି କରାଯାଇଛି। ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନ ଖାନଙ୍କୁ ହତ୍ୟା ଧମକ ମିଳୁଥିବା ବେଳେ ତାଙ୍କ ଅବସ୍ଥା ଆହୁରି ଖରାପ ହେବ ବୋଲି ଦାବି କରୁଛି ଗ୍ୟାଙ୍ଗଷ୍ଟର ଲରେନ୍ସ ବି‌ଷ୍ଣୋଇ । ଏହି ସମୟରେ ସଲମାନ ଖାନଙ୍କ ପିତା ତଥା ଲେଖକ ସଲିମ ଖାନ ଲରେନ୍ସଠାରୁ ମିଳିଥିବା ଧମକ ଉପରେ ପ୍ରତିକ୍ରିୟା ଦେଇଛନ୍ତି।

Advertisment

ଜାତୀୟ ଗଣମାଧ୍ୟମ ଏବିପି ନ୍ୟୁଜକୁ ସାକ୍ଷାତକାର ଦେବା ବେଳେ ସଲିମ ଖାନ ମିଳୁଥିବା ଧମକ ବିଷୟରେ କହିଥିଲେ। ଏହି ସମୟରେ ସଲିମ ଖାନଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା। ସେ କହିଥିଲେ- "ଆଜି ସବୁକିଛି ପଚାରି ଦିଅ,ପରେ ସୁଯୋଗ ପାଇବ କିମ୍ବା ନ ପାଇବ | ଧମକ ମିଳୁଛି ଯେ, ସେମାନେ ଆମକୁ ଛାଡ଼ିବେ ନାହିଁ। ଦିନେ ନା ଦିନେ କେହି ତ ଜଣେ ସଫଳ ହେବ। ମୁଁ କାହାକୁ ଭୟ କରେ ନାହିଁ। ମୁଁ ବହୁତ ଭଲରେ ଅଛି। କୌଣସି ଅସୁବିଧା ନାହିଁ ।"

କୌଣସି ପ୍ରକାରର ଚିନ୍ତା ଅଛି କି ନାହିଁ ବୋଲି ପ୍ରଶ୍ନ କରାଯିବାରୁ ସଲିମ ଖାନ କହିଥିଲେ- 'ଆମ ପାଖରେ ପୂର୍ବରୁ ଥିବା ସ୍ୱାଧୀନତା ଆଉ ନାହିଁ। ଆମକୁ ସବୁବେଳେ କୁହାଯାଉଛି ଏଠାକୁ ଯିବ ନାହିଁ, ସେଠାକୁ ଯିବ ନାହିଁ। ଏହା କର ନାହିଁ, ତାହା କର ନାହିଁ | ପୁଲିସ ଯାହା କହୁଛି ତାହା ଶୁଣିବାକୁ ପଡ଼ୁଛି | ଦୀର୍ଘ ବର୍ଷ ଧରି ଯେଉଁଠାରେ ଆମେ ବସୁଥିଲୁ, ପୁଲିସ୍ ଏବେ ସେଠାକୁ ଯିବାକୁ ମନା କରୁଛି। ବାହାରକୁ ଗଲେ କେହି ଆକ୍ରମଣ କରିପାରେ ବୋଲି ପୁଲିସ ବାହାରକୁ ଯିବାକୁ ଦେଉନାହିଁ। '