ଆଗ୍ରା ବିଶ୍ୱବିଦ୍ୟାଳୟରୁ ସଲମାନ ଖାନ୍‌ଙ୍କୁ ମିଳିଲା ବିଏ ସାର୍ଟିଫିକେଟ! ରଖିଛନ୍ତି ୩୫% ମାର୍କ !

ଆଗ୍ରା: ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ହୋଇ ଯିବେଣି ନିଶ୍ଚୟ। ଦବଙ୍ଗ ଷ୍ଟାର ପୁଣି ବିଏ ପରୀକ୍ଷାରେ ୩୫% ମାର୍କ ରଖିଛନ୍ତି। ଘଟଣାଟି ହେଉଛି ଏପରି, ଆଗ୍ରା ବିଶ୍ୱବିଦ୍ୟାଳୟ ଦ୍ୱାରା ବିଏ ପ୍ରଥମ ବର୍ଷର ଛାତ୍ରକୁ ଦିଆଯାଇଥିବା ମାର୍କସିଟରେ ବଲିଉଡର ସୁପରଷ୍ଟାର ସଲମାନ ଖାନ୍‌ଙ୍କର ଫଟୋ ଦେଖିବାକୁ ମିଳିଛି। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ମାର୍କସିଟ ରି-ଚେକ କରୁଥିବା ସମୟରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ମାର୍କସିଟରେ ଏଭଳି ତ୍ରୁଟି, ମାର୍କସିଟ ପ୍ରସ୍ତୁତ କରିବା ପାଇଁ ଦିଆ ଯାଇଥିବା ବେସରକାରୀ ସଂସ୍ଥା ବୋଲି କହିଛନ୍ତି କର୍ତ୍ତୃପକ୍ଷ।

ଏହି ଘଟଣା ପ୍ରଘଟ ହେବାପରେ ରିପୋର୍ଟ କାର୍ଡକୁ ବିଶ୍ୱବିଦ୍ୟାଳୟ ତରଫରୁ ଆଉ ଥରେ ପ୍ରସ୍ତୁତ କରାଯାଇଛି । ଆଗ୍ରା ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ଅଲିଗଡ଼ର ଅମରତା ସିଂ ମେମୋରିଆଲ ଡିଗ୍ରି କଲେଜରେ ପଢ଼ୁଥିବା ଜଣେ ଛାତ୍ରଙ୍କର ଏହି ମାର୍କସିଟ୍‌ ବୋଲି ଜଣାପଡ଼ିଛି। ଏହି ମାର୍କସିଟରେ ଛାତ୍ରଙ୍କ ଫଟୋ ସ୍ଥାନରେ ସଲମାନଙ୍କ ଫଟୋ ରହିଛି।

NewsX

ଆଗ୍ରାରେ ଏଭଳି ଘଟଣା ପ୍ରଥମ ଥର ଘଟିନାହିଁ । ପୂର୍ବରୁ ମଧ୍ୟ କଂଗ୍ରେସ ଉପସଭାପତି ରାହୁଲ ଗାନ୍ଧି ଏବଂ ଭିମରାଓ ଆମ୍ବେଦକରଙ୍କର ଫଟୋ ସହିତ ମାର୍କସିଟ ପ୍ରକାଶ ପାଇଥିଲା। ଏକଥା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ୱୀକାର ମଧ୍ୟ କରିଛନ୍ତି। ତେବେ ବାରମ୍ବାର ଏଭଳି ତ୍ରୁଟିପୂର୍ଣ୍ଣ ମାର୍କସିଟ ପ୍ରକାଶ ପାଇବା ପଛରେ ମାର୍କସିଟ୍‌ ଛାପୁଥିବା ବେସରକାରୀ ସଂସ୍ଥା ଦ୍ୱାରା ହିଁ ହେଉଛି ବୋଲି ଜଣାପଡ଼ିଛି।

ଏହି ଘଟଣାକୁ ଅସ୍ୱୀକାର କରି ବିଶ୍ୱବିଦ୍ୟାଳୟର ଜନସଂପର୍କ ଅଧିକାରୀ ଜି.ଏସ ଶର୍ମା କହିଛନ୍ତି,”ଆମ ପାଖରେ ଏହି ସମ୍ପର୍କରେ କୌଣସି ତଥ୍ୟ ଆସିନାହିଁ। ୨୦୧୬-୧୭ବର୍ଷ ଆଗ୍ରା ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ହଜାର ହଜାର ମହାବିଦ୍ୟାଳୟର ପ୍ରାୟ ୭.୨ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଗତ ବର୍ଷ ଆଗ୍ରାର ଏକ ମହାବିଦ୍ୟାଳୟରେ କ୍ରିକେଟର ସଚ୍ଚିନ ତେନ୍ଦୁଲକରଙ୍କର ପୁଅ ଅର୍ଜୁନ ତେନ୍ଦୁଲକରଙ୍କର ଫଟୋ ରାଜ୍ୟସ୍ତରୀୟ ବୋର୍ଡ ପରୀକ୍ଷାର ଆଡମିଟ କାର୍ଡରେ ଛପା ଯାଇଥିଲା।

ସମ୍ବନ୍ଧିତ ଖବର