ମୁମ୍ବାଇ: ରବିବାର ସକାଳ ୫ଟାରେ ବଲିଉଡର ଭାଇଜାନ ଅର୍ଥାତ୍ ସଲମାନ ଖାନଙ୍କ ଘର ବାହାରେ ଗୁଳି ଫୁଟିଥିଲା। କିଛି ଅଜଣା ଦୁର୍ବୃତ୍ତ ଆଜି ଗୁଳି ଫୁଟାଇ ସେଠାରୁ ଫେରାର ହୋଇଯାଇଥିଲେ। ଘର ବାହାରେ ଗୁଳି ବିନିମୟ ପରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ସଲମାନ ଖାନଙ୍କ ସହ ଫୋନରେ କଥା ହୋଇଥିଲେ। ସେ ସଲମାନଙ୍କ ସୁରକ୍ଷା ବୃଦ୍ଧି କରିବାକୁ ମୁମ୍ବାଇ ପୁଲିସ କମିଶନରଙ୍କୁ କହିବା ପରେ ଏବେ ସଲମାନଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ବର୍ତ୍ତମାନ ଏହି ଘଟଣାକୁ ନେଇ କମଲ ରସିଦ ଖାନ(କେଆରକେ) ପୁଣିଥରେ ଏକ୍ସରେ ସଲମାନଙ୍କୁ ଟାର୍ଗେଟ କରିଛନ୍ତି।

Advertisment

କେଆରକେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ, 'ଏହା ସବୁ ସଲ୍ଲୁଙ୍କ ଡ୍ରାମା। ସଲ୍ଲୁ ଭାରତର ସବୁଠାରୁ ବଡ ଗ୍ୟାଙ୍ଗଷ୍ଟର ଏବଂ ଅନ୍ୟ ସମସ୍ତ ଗ୍ୟାଙ୍ଗଷ୍ଟର ତାଙ୍କ ପାଇଁ କାମ କରନ୍ତି। ସମସ୍ତେ ଶୋଇଥିବା ବେଳେ ସକାଳ ୫ଟାରେ ସେମାନେ କାହିଁକି ଫାଙ୍କା ଗୁଳି ଚଳାଇଲେ ? ଲୋକଙ୍କ ଦୟା  ପାଇଁ ସେ ହୁଏତ ଏଭଳି କରିଥାଇପାରନ୍ତି। କାରଣ ସେ ଜାଣନ୍ତି ଯେ, ସେ ସୁଶାନ୍ତ ସିଂହଙ୍କ ସହ କ’ଣ କରିଥିଲେ, ତାହା ପ୍ରକାଶ କରିବାକୁ ଯାଉଛି।

ଉଲ୍ଲେଖଯୋଗ୍ୟ, ରବିବାର ସକାଳେ ସଲମାନ ଖାନଙ୍କ ମୁମ୍ବାଇ ଘର ବାହାରେ ମୋଟରସାଇକେଲ ଯୋଗେ ଆସି ଦୁଇଜଣ ଅଜ୍ଞାତ ବ୍ୟକ୍ତି ଗୁଳି ଚଳାଇଥିଲେ। ପୁଲିସ କହିଛି ଯେ ସକାଳ ପ୍ରାୟ ୫ଟା ସମୟରେ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ଅବସ୍ଥିତ ‘ଗାଲାକ୍ସି ଆପାର୍ଟମେଣ୍ଟ’ ବାହାରେ ଦୁଇଜଣ ବ୍ୟକ୍ତି ଗୁଳି ଚଳାଇ ପଳାଇ ଯାଇଥିଲେ। ଏହି ଘଟଣା ଘଟିବା ସମୟରେ ସଲମାନ ଘରେ ଥି‌ଲେ। ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ବର୍ତ୍ତମାନ ଘର ଚାରିପାଖରେ ଲଗାଯାଇଥିବା ସିସିଟିଭି ଫୁଟେଜକୁ ସ୍କାନ କରୁଛି।