ହତ୍ୟା ଧମକକୁ ଡରୁନାହାନ୍ତି ସଲ୍‌ମାନ, ଭୟରେ ରାତିରେ ଶୋଇ ପାରୁନାହାନ୍ତି ବାପା ସଲିମ୍‌

ମୁମ୍ବାଇ : ବଲିଉଡ ଅଭିନେତା ସଲମାନ ଖାନ୍‌ଙ୍କୁ ପୁଣିଥରେ ହତ୍ୟା ଧମକ ଦିଆଯାଇଛି। ସଲମାନଙ୍କର ଜଣେ ଘନିଷ୍ଠ ସହଯୋଗୀ ପ୍ରଶାନ୍ତ ଗୁଞ୍ଜଲକରଙ୍କୁ ଶନିବାର ଏକ ଇ-ମେଲ୍‌ରେ ଏହି ଧମକ ଦିଆଯାଇଛି। ରୋହିତ ଗର୍ଗ ନାମକ ବ୍ୟକ୍ତିଙ୍କ ନିକଟରୁ ଉକ୍ତ ଇ-ମେଲ୍ ଆସିଛି। ଏଥିରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଏବଂ ଗୋଲ୍ଡି ବ୍ରାରଙ୍କ ସଂପର୍କରେ ଉଲ୍ଲେଖ ରହିଛି। ସଲମାନଙ୍କ ଟିମ୍‌ ପକ୍ଷରୁ ଅଭିଯୋଗ ପରେ ବାନ୍ଦ୍ରା ପୁଲିସ ଉପରୋକ୍ତ ୩ ଜଣଙ୍କ ନାମରେ ରବିବାର ମାମଲା ରୁଜୁ କରିଛି। ସଲମାନଙ୍କୁ ପୁଣିଥରେ ହତ୍ୟା ଧମକ ମିଳିଥିବାରୁ ତାଙ୍କ ବାସଭବନ ଆଗରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି।

ତେବେ ଏହି ହତ୍ୟା ଧମକରେ ତିଳେ ବି ବିଚଳିତ ହୋଇନାହାନ୍ତି ଦବଙ୍ଗବୟ। ହେଲେ ତାଙ୍କ ବାପା ସଲିମ୍‌ ଖାନ୍‌ଙ୍କ ଆଖିରୁ ଭୟରେ ନିଦ ହଜିଯାଇଛି ବୋଲି ରିପୋର୍ଟରୁ ପ୍ରକାଶ। ସଲ୍‌ମାନଙ୍କ ପରିବାରର ଜଣେ ବନ୍ଧୁ ଏ ସଂପର୍କରେ ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ ଏଥରର ଧମକକୁ ସଲ୍‌ମାନ ଏକଦମ ହାଲୁକାରେ ନେଇଛନ୍ତି, ଆଦୌ ବି ଭୟ କରୁନାହାନ୍ତି। ହେଲେ ବାପା ସଲିମ୍‌ ଖାନ୍‌ ଧମକ ମିଳିବା ପରଠାରୁ ରାତିରେ ଶୋଇ ପାରୁନାହାନ୍ତି।

ଏହା ପୂର୍ବରୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ କହିଥିଲା ଯେ, “ସଲମାନ ଖାନଙ୍କୁ କ୍ଷମା ମାଗିବାକୁ ପଡ଼ିବ। ସେ ବିକାନେରରେ ଥିବା ଆମ ମନ୍ଦିରକୁ ଯାଇ କ୍ଷମା ମାଗିବା ଉଚିତ୍। ମୋ ଜୀବନର ଲକ୍ଷ୍ୟ ହେଉଛି ସଲମାନ ଖାନଙ୍କୁ ହତ୍ୟା କରିବା। ଯଦି ତାଙ୍କ ସୁରକ୍ଷା ହଟାଯାଏ ତେବେ ମୁଁ ସଲମାନ ଖାନଙ୍କୁ ହତ୍ୟା କରିବି। ଯଦି ସେ କ୍ଷମା ମାଗନ୍ତି, ତେବେ ବିବାଦ ଶେଷ ହେବ। ସଲମାନ ହେଉଛନ୍ତି ଅହଙ୍କାରୀ, ସିଦ୍ଧୁ ମୁସେୱାଲା ମଧ୍ୟ ସେପରି ଥିଲେ। ସଲମାନ ଖାନଙ୍କ ଅହଙ୍କାର ରାବଣଙ୍କଠାରୁ ବି ବଡ।”

ସମ୍ବନ୍ଧିତ ଖବର