ମୁମ୍ବାଇ: ମାମଲା ରଫାଦଫା ପାଇଁ ବିଷ୍ଣୋଇ ସମ୍ପ୍ରଦାୟକୁ ଟଙ୍କା ଯାଚିଥିଲେ ସଲମାନ | ବଲିଉଡ ଅଭିନେତା ସଲମାନ ଖାନଙ୍କୁ ନେଇ ଏଭଳି ଦାବି କରିଛନ୍ତି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ସମ୍ପର୍କୀୟ ଭାଇ ରମେଶ ବିଷ୍ଣୋଇ | ସେ କହିଛନ୍ତି ଯେ, ସଲମାନ ଖାନ କୃଷ୍ଣସାର ମୃଗ ଶିକାର କରିବା ପରେ ବିବାଦ ହେବାରୁ ମାମଲାକୁ ରଫାଦଫା କରିବାକୁ ସମଗ୍ର ବିଷ୍ଣୋଇ ସମ୍ପ୍ରଦାୟକୁ ଟଙ୍କା ଯାଚିଥିଲେ | କିନ୍ତୁ ବିଷ୍ଣୋଇ ସମ୍ପ୍ରଦାୟ ଏହାକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ। ଆଜି ତାଙ୍କୁ ଦଣ୍ଡ ଦେବା ପାଇଁ ଲରେନ୍ସ ଯାହା ବି କରୁଛନ୍ତି ଆମେ ତାଙ୍କୁ ସମର୍ଥନ କରୁଛୁ |
ଜାତୀୟ ଗଣମାଧ୍ୟମ ଏନଡିଟିଭିକୁ ସାକ୍ଷାତକାର ଦେଇ ରମେଶ କହିଛନ୍ତି ଯେ, "ତାଙ୍କ ପିତା ସଲିମ ଖାନ କହୁଛନ୍ତି ଲରେନ୍ସ ଗ୍ୟାଙ୍ଗ ଟଙ୍କା ପାଇଁ ଏଭଳି ହତ୍ୟା ଧମକ ଦେଉଛି । ମୁଁ ତାଙ୍କୁ ମନେ ପକାଇଦେବାକୁ ଚାହୁଁଛି ଯେ ତାଙ୍କ ପୁଅ ବିଷ୍ଣୋଇ ସମ୍ପ୍ରଦାୟ ଆଗରେ ଏକ ଚେକବୁକ୍ ରଖିଥିଲେ ଏବଂ ଯେତେ ଚାହୁଁଛ ସେତେ ଟଙ୍କା ଭରିବାକୁ କହିଥିଲେ। ହେଲେ ଆମେ ଟଙ୍କା ନେଇନଥିଲୁ | ଯଦି ଆମର ଟଙ୍କା ପ୍ରତି ଲୋଭ ଥାନ୍ତା ତାହେଲେ ଆମେ ସେତେବେଳେ ଟଙ୍କା ନେଇଥାନ୍ତୁ |"
ସେ ଆହୁରି କହିଛନ୍ତି ଯେ, ଯେତେବେଳେ କୃଷ୍ଣସାର ମୃଗ ଶିକାର କରାଗଲା, ସେତେବେଳେ ପୁରା ବିଷ୍ଣୋଇ ସମ୍ପ୍ରଦାୟ କ୍ରୋଧିତ ଥିଲେ | ପ୍ରତ୍ୟେକ ବିଷ୍ଣୋଇଙ୍କ ରକ୍ତ ଗରମ ହୋଇଯାଇଥିଲା। ହେଲେ ଆମେ କିଛି ନକରି କୋର୍ଟ ଉପରେ ସବୁ ଛାଡ଼ିଦେଲୁ | କିନ୍ତୁ ଯଦି ବିଷ୍ଣୋଇ ସମ୍ପ୍ରଦାୟକୁ ପରିହାସ କରାଯାଏ ତେବେ ଆମେ କ୍ରୋଧିତ ହେବା ସ୍ୱାଭାବିକ | ଆଜି ସମଗ୍ର ବିଷ୍ଣୋଇ ସମ୍ପ୍ରଦାୟ ଲରେନ୍ସଙ୍କ ସହ ଛିଡା ହୋଇଛନ୍ତି।