ମୁମ୍ବାଇ: ଦବଙ୍ଗବୟ ସଲ୍ମାନ ଖାନ୍ ପ୍ରାୟତଃ କିଛି ନା କିଛି କଥାକୁ ନେଇ ବିବାଦରେ ରହିଥାନ୍ତି। ଏବେ ସେ ନିଜ ଉପରେ ଲାଗିଥିବା ଏକ ବିବାଦ ଉପରେ ସିଧାସଳଖ ଉତ୍ତର ରଖିଛନ୍ତି। ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତାଙ୍କ ଉପରେ ଏକ ଅଭିଯୋଗ ଲାଗିଥିଲା ଯେ ସଲ୍ମାନ ଅନ୍ୟମାନଙ୍କ କ୍ୟାରିୟର୍ ବିଗାଡ଼ିଥାନ୍ତି। ତେବେ ବିଗ୍ ବସ୍ ୱିକେଣ୍ଡ୍ କା ବାର୍ରେ ସଲ୍ମାନ ଏହାର ସିଧା ଜବାବ ଦେଇଛନ୍ତି।
ବିଗ୍ ବସ୍ ସେଟ୍ରେ ଅଭିନେତ୍ରୀ ଶେହନାଜ୍ ଗିଲ୍ କହୁଥିବାର ଦେଖିବାକୁ ମିଳିଥିଲା ଯେ ‘‘ସାର୍ ଆପଣ ବହୁତ ଲୋକଙ୍କ କ୍ୟାରିୟର୍ ବନାଇଛନ୍ତି।’’ ଯାହାର ଉତ୍ତରରେ ସଲ୍ମାନ କହୁଛନ୍ତି, ‘‘ମୁଁ କେବେ କାହାର କ୍ୟାରିୟର୍ ବନାଇଲି? କ୍ୟାରିୟର୍ ବନାଇବା ବାଲା ତ ଉପରେ (ଭଗବାନ)।’’
ଏହାପରେ ସଲ୍ମାନ ସିଧା ଗୁଜବକୁ ନେଇ କହିଲେ କି ‘‘ମୋ ଉପରେ ଅଭିଯୋଗ ବି ଲାଗିଛି ଯେ ମୁଁ ବହୁତ ଜଣଙ୍କ କ୍ୟାରିୟର୍ ବିଗାଡ଼ିଛି। ହେଲେ କାହାର କ୍ୟାରିୟର୍ ବୁଡ଼ାଇଦେବା କ’ଣ ସତରେ ମୋ ହାତରେ ଅଛି? ଆଜିକାଲି ଏ କଥା ଚାଲୁଛି ଯେ ସଲ୍ମାନ କ୍ୟାରିୟର୍ ଖାଇଯିବ। ମୁଁ କାହା କ୍ୟାରିୟର୍ ଖାଇଗଲି? ଯଦି ଖାଇବାର କଥା ଉଠେ ତ ମୁଁ ନିଜ କ୍ୟାରିୟର୍ ଖାଇଯିବି।’’
ବଲିଉଡ ଅଭିନେତା ସଲମାନ ଖାନଙ୍କୁ ନେଇ ଫିଲ୍ମ 'ଦବଙ୍ଗ'ର ନିର୍ଦ୍ଦେଶନା ଦେଇଥିବା ଅଭିନବ କଶ୍ୟପ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି କି ‘‘ସଲମାନ କେବେ ବି କାହାଣୀକୁ ବୁଝିବାକୁ ଇଚ୍ଛା କରନ୍ତି ନାହିଁ। ତାଙ୍କର ଅଭିନୟ ପ୍ରତି ରୁଚି କମ୍। ଗତ ୨୫ବର୍ଷ ଧରି ସେ କେବଳ ସମୟ ଅତିବାହିତ କରିବାକୁ ଫିଲ୍ମ କରୁଛନ୍ତି। ସେ କାମ କରିବାକୁ ଆସି ଆମ ଉପରେ ଉପକାର କରନ୍ତି ବୋଲି ଭାବନ୍ତି। ତାଙ୍କର ଅଭିନୟରେ କୌଣସି ଆଗ୍ରହ ନାହିଁ। ସେ ଜଣେ ଗୁଣ୍ଡା। ଦବଙ୍ଗ ପୂର୍ବରୁ ମୁଁ ଏହା ବିଷୟରେ ଜାଣିନଥିଲି। ହେଲେ ପରେ ଜାଣିଲି ସଲମାନ ଅଭଦ୍ର। ସେ ଜଣେ ଖରାପ ବ୍ୟକ୍ତି।' ଏହାଛଡ଼ା ସଲ୍ମାନ ବହୁତ ପିଲାଙ୍କ କ୍ୟାରିୟର୍ ଖାଇଯାଆନ୍ତି ବୋଲି ମଧ୍ୟ ଦେ ଦାବି କରିଛନ୍ତି।