ପୁଣି ଥରେ ସଲ୍‌ମାନଙ୍କୁ ଧମକ ଦେଲା ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଅଭିଯୁକ୍ତ ଲରେନ୍ସ ବିଷ୍ଣୋଇ

ମୁମ୍ବାଇ: ଗତ ବର୍ଷ ସଲମାନ୍‌ ଖାନ୍‌ ଏବଂ ତାଙ୍କ ପିତା ସଲିମ୍‌ ଖାନ୍‌ଙ୍କୁ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଅଭିଯୁକ୍ତ ଲରେନ୍ସ ବିଷ୍ଣୋଇ ଧମକ ଦେଇଥିବା ବେଳେ ଏବେ ପୁଣି ଥରେ ଧମକ ଦେଇଛି। ୨୦୨୨ ମସିହା ଜୁନ୍‌ ମାସରେ ଲରେନ୍ସ ଅଭିନେତାଙ୍କୁ ହତ୍ୟା ଧମକ ଦେଇଥିବା ବେଳେ ପୁଲିସ୍‌ ପଚରାଉଚରାରେ ସେ ସଲ୍‌ମାନଙ୍କୁ ହତ୍ୟା ଧମକ ଦେଇଥିବା କଥାକୁ ଅସ୍ବୀକାର କରିଥିଲା।

ତେବେ ନିକଟରେ ଲରେନ୍ସ ଏକ ସାକ୍ଷାତ୍‌କାରେ ସଲ୍‌ମାନ ଯଦି ତାଙ୍କ ସଂପ୍ରଦାୟକୁ କ୍ଷମା ନମାଗନ୍ତି ‌ପରିସ୍ଥିତି ଭୟାବହ ହେବ ବୋଲି କହିଥିବା ଶୁଣିବାକୁ ମିଳିଛି। ଏବିପି ନ୍ୟୁଜ୍‌କୁ ସାକ୍ଷାତ୍‌କାର ଦେଇ କହିଛି କି ‘ଆମ ସଂପ୍ରଦାୟର ସଲ୍‌ମାନ ଖାନ୍‌ ଉପରେ ଖୁବ୍ ରାଗ ଅଛି। ସେ ଆମ ସଂପ୍ରଦାୟକୁ ଅପମାନିତ କରିଛନ୍ତି। ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ହେଲେ ସେ ଏଯାଏ କ୍ଷମା ମାଗିନାହାନ୍ତି। ଯଦି କ୍ଷମା ନମାଗନ୍ତି ତ ଏହାର ପରିଣାମ ସାମ୍ନା କରିବାକୁ ପ୍ରସ୍ତୁତ ରୁହନ୍ତୁ।’

ଉଲ୍ଲେଖଯୋଗ୍ୟ, ମେ ୨୯ ତାରିଖରେ ପଞ୍ଜାବର ମନସା ନିକଟରେ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ଗୁଳି ମାରି ହତ୍ୟା କରାଯିବା ପରେ ପରେ ଅର୍ଥାତ୍‌ ଜୁନ୍‌ ପ୍ରାରମ୍ଭରେ ଅଭିନେତା ସଲ୍‌ମାନ୍‌ ଏବଂ ତାଙ୍କ ବାପାଙ୍କୁ ମଧ୍ୟ ହତ୍ୟା ଧମକ ଦିଆଯାଇଥିଲା।

ଗତ ୧୨ ବର୍ଷ ହେଲା ସଲମାନ ଗ୍ୟାଙ୍ଗଷ୍ଟର ବିଷ୍ଣୋଇର ଟା‌ର୍ଗେଟରେ ରହିଛନ୍ତି। ବି‌ଷ୍ଣୋଇ ‌ସଂପ୍ରଦାୟର ଲୋକେ କୃଷ୍ଣସାର ମୃଗକୁ ପୂଜା କରନ୍ତି। ତେଣୁ ସଲମାନ୍‌ ଖାନ୍‌ କୃଷ୍ଣସାର ମୃଗ ହତ୍ୟା କରିବା ପରେ ବିଷ୍ଣୋଇ ଟାର୍ଗେଟକୁ ସେ ଚାଲି ଆସିଛନ୍ତି ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର