ଏଥର ବିଗ୍ ବସ୍ ସୋ’ ଆରମ୍ଭ ହେଉ ହେଉ ହୋଷ୍ଟ ସଲମାନ୍ ଖାନ୍ ପୁଣି ବିବାଦୀୟ ହେଇପଡ଼ିଛନ୍ତି। ‘ବିଗ୍ ବସ୍’ ସିଜିନ୍-୧୫ ଆରମ୍ଭ ହେଇଯାଇଛି। ଘରେ ପଶୁ ପଶୁ ସମିତା ସେଟ୍ଟୀ ଓ ଅଫ୍ସାନା ଖାନ୍ଙ୍କ ମଥାରେ ଚାଳ ବାଜିଲାଣି। ଅଫ୍ସାନା ସମିତାଙ୍କ ବୟସ ବିଷୟରେ ପ୍ରଶ୍ନ ଉଠାଇବା ସହ ତାଙ୍କର ଦେହଲଜ୍ଜା ବାବଦରେ କମେଣ୍ଟ ଦେଇଦେଲେ। ଏଥିରେ ସମିତା ସିନା ପ୍ରତିକ୍ରିୟା ପ୍ରକାଶ କରିଥାନ୍ତେ, ହେଲେ ଘର ଭିତରେ ହୋଷ୍ଟ ସଲମାନ୍ ଅଫସାନାଙ୍କ ଉପରେ କ୍ରୋଧିତ ହେଇ ଅସଭ୍ୟ ଭାଷାରେ ଆଡ଼ୁସାଡ଼ୁ କହିଲେ।
ଗତ ଶନିବାର ଦିନ ସୋ’ର ଶୀର୍ଷକ ଥିଲା ‘ୱିକେଣ୍ଡ କା ବାର’। ସୋ’ରେ ପ୍ରତିଯୋଗୀମାନଙ୍କ ବେନିୟମ ଏବଂ ଆକ୍ରମଣାତ୍ମକ ଆଚରଣ ଦେଖି ହୋଷ୍ଟ ସଲମାନ୍ ବେଶ୍ ପ୍ରତିକ୍ରିୟାଶୀଳ ହେଇଉଠିଥିଲେ। ହଠାତ୍ ରାଗିଯାଇ ସଲମାନ୍ କହିଥିଲେ, କୌଣସି ବିଷୟବସ୍ତକୁ ନେଇ ତୁମେମାନେ କେହି କାହାକୁ ଆକ୍ଷେପ କରି କିଛି କହି ପାରିବନାହିଁ କି ଅସମ୍ମାନ ବା ଅପମାନଜନକ ଆଚରଣ କରିପାରିବନାହିଁ। ଖାସ୍ କରି କଣ୍ଠଶିଳ୍ପୀ ଅଫ୍ସାନାଙ୍କୁ ସଲମାନ୍ ଯାହା ଇଚ୍ଛା ତାହା କହି ଦେଇଥିଲେ। ସଲମାନ୍ ଅଫ୍ସାନାଙ୍କ ଉପରେ ରାଗିବାର କାରଣ ମଧ୍ୟ ଥିଲା। କାରଣ ଅଫ୍ସାନା କେବଳ ସମିତାଙ୍କ ଉପରକୁ ଆଙ୍ଗୁଳି ଉଠେଇ ନ ଥିଲେ, ବିଗ୍ ବସ୍ ଘରେ ଥିବା ଭିଶାଲ କୋଟିଆନଙ୍କୁ ମଧ୍ୟ କିଛି ଅପଶବ୍ଦ ପ୍ରଯୋଗ କରିଥିଲେ। ଏଣୁ ହାଉସ୍ରେ ଥିବା ଅନ୍ୟ ପ୍ରତିଯୋଗୀମାନେ ମଧ୍ୟ ଅଫ୍ସାନାଙ୍କ ଉପରେ ରାଗିପାଚି ଖପ୍ପା ହୋଇଥିଲେ।
ଏତିକିବେଳେ ସଲମାନ୍ ଅଫ୍ସାନାଙ୍କ ଅଟ୍ଟହାସ୍ୟ କରି କହିଥିଲେ ‘ତୁମେ ବୋଧେ ଏଇ ସିଜିନର ସୁପରଷ୍ଟାର୍’? ଅଫ୍ସାନା କାହିଁକି ସମିତାଙ୍କୁ ବୟସ୍କା ବୋଲି କହିଥିଲେ, ଏହାକୁ ନେଇ ସଲମାନ୍ କହିଥିଲେ, ଅଫ୍ସାନା କାହାର ବୟସକୁ ନେଇ ତୁମେ ପ୍ରଶ୍ନ ଉଠେଇବା ଅର୍ଥ ଏହା ତାଙ୍କୁ ବିଗ୍ ବସ୍ ଘରେ ଶସ୍ତା କରିଦେଉଛି। ତୁମେ ଭାବନାହିଁ ବିଗ୍ ବସ୍ ଘରେ ତୁମେ ଏକା ସୁନ୍ଦରୀ ବା ସର୍ବଗୁଣ ସମ୍ପନ୍ନା। ଏଭଳି ମନ୍ତବ୍ୟ ଦେବା ଦ୍ବାରା ଘରେ ଅନ୍ୟ ପ୍ରତିଯୋଗୀଙ୍କୁ ବାଧୁଛି, ଆଗକୁ ତୁମର ଆଚରଣ ଓ ଉଚ୍ଚାରଣ ଯଦି ଏମିତି ରହେ ତେବେ ତୁମକୁ ବିଗ୍ ବସ୍ ଘରୁ ବିଦା ହେବାକୁ ପଡ଼ିବ। ଅଫ୍ସାନା, ସମିତା, ଭିଶାଲଙ୍କ ବ୍ୟତୀତ ସିଜିନ୍-୧୫ରେ ବିଗ୍ ବସ୍ ଘରେ ବିଧି ପାଣ୍ଡ୍ୟା, କରନ୍ କୁନ୍ଦ୍ରା, ତେଜସ୍ବୀ ପ୍ରକାଶ, ସିମ୍ବା ନାଗପାଲ୍, ମେୟିଶା ଲିଆର୍, ଲିଶାନ୍ ଶେହଗଲ, ଡେନାଲ ଭିସ୍ତ, ଆକାଶ ସିଂହ, ଉମର ରିଆଜ୍, ପ୍ରତୀକ ଶେଜପାଲ୍, ନିଶାନ୍ତ ଭଟ୍ଟ ଏବଂ ଭାନୁଶାଲୀ ପ୍ରମୁଖ ପ୍ରତିଯୋଗୀମାନେ ଯୋଗ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/bigg-boss-15-afsana-salman-khan.jpg)