ବିନା ଅନୁମତିରେ ସେଲ୍‌ଫି ନେଉଥିବା ପ୍ରଶଂସକଙ୍କ ଫୋନ୍‌କୁ ଛଡ଼ାଇ ନେଲେ ସଲ୍‌ମାନ

ମୁମ୍ବାଇ: ବଲିଉଡ୍‌ ସୁପର୍‌ଷ୍ଟାର୍‌ ସଲମାନ୍‌ ଖାନ୍‌ ତାଙ୍କ ପ୍ରଶଂକମାନଙ୍କୁ ନେଇ ବେଶ ସମ୍ବେଦନଶୀଳ। ମାତ୍ର ନିକଟରେ ସଲମାନ୍‌ଙ୍କର ଏପରି ଏକ ଭିଡିଓ ଭାଇରାଲ୍‌ ହୋଇଛି ଯେଉଁ ଭିଡିଓରେ କି ସେ ତାଙ୍କର ଜଣେ ପ୍ରଶଂସକଙ୍କ ଉପରେ ରାଗି ଯାଉଥିବାର ଦେଖିବାକୁ ମିଳିଛି। ଭିଡିଓଟି ହେଉଛି ‌ଗୋଆ ବିମାନବନ୍ଦରର। ଭିଡିଓରେ ଦେଖିବାକୁ ମିଳିଛି ଯେ ବିମାନବନ୍ଦରରେ ସଲ୍‌ମାନ ଯାଉଥିବା ବେଳେ ତାଙ୍କର ଜଣେ ପ୍ରଶଂସକ ତାଙ୍କ ବିନା ଅନୁମତିରେ ତାଙ୍କ ସହ ସେଲ୍‌ଫି ନେଉଛନ୍ତି । ଏହି ଘଟଣାରେ ସେ ଉତକ୍ଷିପ୍ତ ହୋଇ ପ୍ରଶଂସକଙ୍କ ଫୋନ୍‌କୁ ହାତ ମାରି ତଳକୁ କରି ଦେବା ସହ ଫୋନଟି ଛଡ଼ାଇ ନେଉଛନ୍ତି । ସେହି ସମୟର ଭିଡିଓଟି ଏବେ ଇଣ୍ଟର୍‌ନେଟ୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ଜାଣିରଖନ୍ତୁ ଯେ, ସଲ୍‌ମାନ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ରାଧେ’ର ସୁଟିଂ ପାଇଁ ଗୋଆ ଯାଇଥିବା ବେଳେ ଏହି ଘଟଣା ଘଟିଛି।

ପରେ ଜାଣିବାକୁ ମିଳିଛି ଯେ ସଲମାନଙ୍କ ସହ ସେଲ୍‌ଫି ନେବାକୁ ଉଦ୍ୟମ କରୁଥିବା ସେହି ଯୁବକ ଜଣକ ବିମାନବନ୍ଦରର ଜଣେ କର୍ମଚାରୀ। ଏ ନେଇ ବିମାନବନ୍ଦରର ଅଧିକାରୀ କହନ୍ତି, ‘କର୍ମଚାରୀଙ୍କର ଏପରି ଆଚରଣ ନେଇ ଏଯାବତ୍‌ କୌଣସି ଅଭିଯୋଗ ହୋଇନାହିଁ। ମାତ୍ର ଯେତେବେଳେ ଭିଡିଓ ଭାଇରାଲ୍‌ ହେଲା ଆମେ ଏ ବିଷୟରେ ତଦନ୍ତ କରି ସ୍ପଷ୍ଟ ହୋଇଛୁ।’

ସଲ୍‌ମାନଙ୍କ ‘ରାଧେ’ ଚଳଚ୍ଚିତ୍ରରେ ରଣଦୀପ ହୁଡ୍ଡା ଓ ଦିଶା ପଟାନୀ ଅଭିନୟ କରୁଛନ୍ତି। ଚଳଚ୍ଚିତ୍ରର ସୁଟିଂ ମୁମ୍ବାଇ ଓ ଗୋଆରେ କରାଯାଉଛି।  ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଏହି ଚଳଚ୍ଚିତ୍ରରେ ଏକ ୨୦ ମିନିଟ୍‌ର ଅକ୍ସନ ଦୃଶ୍ୟ ପାଇଁ ପ୍ରଯୋଜକ ୭.୫ କୋଟି ଟଙ୍କା ବ୍ୟୟ କରିଛନ୍ତି।

ସମ୍ବନ୍ଧିତ ଖବର