ମୁମ୍ବାଇ: ଲୋକପ୍ରିୟ ରିଅଲିଟି ସୋ’ ‘ବିଗ୍ ବସ୍’ର ଆଗାମୀ ସଂସ୍କରଣ ଖୁବ୍ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ତେବେ ବର୍ଷକୁ ବର୍ଷ ସୋ’ଟି ଲୋକପ୍ରିୟ ହେବାରେ ଲାଗିଥିବା ବେଳେ ଭାଇଜାନ୍ ସଲମାନ୍ ଖାନ୍ ମଧ୍ୟ ସୋ’ର ଉପସ୍ଥାପନା ପାଇଁ ଅଧିକ ପାରିଶ୍ରମିକ ମାଗୁଥିବା ଜଣାପଡ଼ିଛି। ଚଳିତ ବର୍ଷ ହେବାକୁ ଥିବା ‘ବିଗ୍ ବସ୍ ସିଜିନ୍-୧୬ ପାଇଁ ଭାଇଜାନ୍ ୧୦୫୦କୋଟି ଟଙ୍କା ପାରିଶ୍ରମିକ ନେବେ ବୋଲି ଖବର ମିଳିଛି।
ସଲମାନ୍ ସପ୍ତାହରେ ଥରେ ଏହାର ଦୁଇଟି ଏପିସୋଡ୍ ପାଇଁ ସୁଟିଂ କରିବେ। ଟେଲିଚକରର ରିପୋର୍ଟ ମୁତାବକ ସଲମାନ ଖାନ ତାଙ୍କ ପାରିଶ୍ରମିକ ତିନି ଗୁଣ ବୃଦ୍ଧି କରିବାକୁ ଦାବି କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ସଲମାନ୍ ଗତ କିଛି ବର୍ଷ ହେଲାଣି ନିଜର ପାରିଶ୍ରମିକ ବୃଦ୍ଧି କରିନାହାଁନ୍ତି। ହେଲେ ଏଥର ସଲମାନ ତାଙ୍କର ପାରିଶ୍ରମିକ ବଢ଼ାଇବାକୁ ଜିଦ୍ ଧରିଛନ୍ତି। ଯଦି ପାରିଶ୍ରମିକ ବୃଦ୍ଧି ନହୁଏ ତେବେ ସେ ସୋ’ର ଉପସ୍ଥାପକ ହେବେ ନାହିଁ ବୋଲି ମଧ୍ୟ କହିଛନ୍ତି।
ଗତ ‘ବିଗ୍ ବସ୍ ସିଜିନ୍-୧୫ ପାଇଁ ଭାଇଜାନ୍ ୩୫୦ କୋଟି ଟଙ୍କା ନେଇଥିବା ବେଳେ ଚଳିତ ବର୍ଷ ହେବାକୁ ଥିବା ସିଜିନ୍ ପାଇଁ ୧୦୫୦କୋଟି ନେବାକୁ ଦାବି କରୁଥିବା କୁହାଯାଉଛି। କରୋନା ପାଇଁ ଗତ ଦୁଇ ବର୍ଷ ହେଲା ତାଙ୍କର ପାରିଶ୍ରମିକ ବୃଦ୍ଧି କରାଯାଇନଥିବା ବେଳେ ପରିସ୍ଥିତିକୁ ଦେଖି ସଲମାନ ବାଧ୍ୟ ମଧ୍ୟ କରିନଥିଲେ। ହେଲେ ଏବେ ସ୍ଥିତି ସୁଧୁରିବା ପରେ ସେ ଅଧିକ ଟଙ୍କା ଡିମାଣ୍ଡ କରୁଥିବା କୁହାଯାଉଛି। ତେବେ ଏଥିରେ କେତେ ସତ୍ୟତା ଅଛି, ତାହା ସିଜିନ ଆରମ୍ଭ ହେବା ପରେ ହିଁ ଜଣାପଡ଼ିବ।