ମୁମ୍ବାଇ: ଅଭିନେତ‌ା ସଲ୍‌ମାନ ଖାନ୍‌ ଝିଅମାନଙ୍କୁ ନେଇ ଅଧିକ ଯତ୍ନବାନ ଥାଆନ୍ତି ବୋଲି ପୂର୍ବରୁ ଅନେକ ଅଭିନେତ୍ରୀ କହିଥିବା ବେଳେ ନିକଟରେ କିନ୍ତୁ ତାଙ୍କ ନାମରେ ଏକ ଭିନ୍ନ ଅଭିଯୋଗ ଆସିଛି। ସଲ୍ଲୁ ମିଆଁଙ୍କ ପ୍ରଯୋଜନା ସଂସ୍ଥା ‘ଦବଙ୍ଗ-୩’ରେ କାମ କରିଥିବା ତାଙ୍କ ସହ-‌ଅଭିନେତ୍ରୀ ହେମା ଶର୍ମା ଅଭିଯୋଗ ଆଣିଛନ୍ତି ସେ ସଲ୍‌ମାନଙ୍କ ସୁରକ୍ଷାକର୍ମୀଙ୍କ ଦ୍ବାରା ଦୁର୍ବ୍ୟବହାରର ଶିକାର ହୋଇଛନ୍ତି।

Advertisment

ସେ ସଲମାନ୍‌ଙ୍କୁ ଭେଟି ମାତ୍ର ଗୋଟାଏ ଫଟୋ କ୍ଲିକ୍‌ କରିବାକୁ ଚାହୁଁଥିବା ବେଳେ ତାଙ୍କ ସୁରକ୍ଷାକର୍ମୀମାନେ ସଲ୍‌ମାନଙ୍କ ପାଖକୁ ଛାଡ଼ିବା ତ ଦୂରର କଥା ତାଙ୍କୁ କୁକୁର ପରି ବାହାରକୁ ଫୋପାଡ଼ି ଦେଇଥିଲେ ବୋଲି ଅଭିନେତ୍ରୀ ଅଭିଯୋଗ ଆଣିଛନ୍ତି।

ସେ କହିଛନ୍ତି, ‘ମୁଁ ‘ଦବଙ୍ଗ-୩’ରେ କାମ କରିବାକୁ ଚାହୁଁଥିଲି। ସେଥିରେ କାମ କରିବାକୁ ମୁଁ ଅନେକ ପରିଶ୍ରମ କରିଛି। ସଲ୍‌ମାନ ସାର୍‌ଙ୍କୁ ଥରେ ଭେଟିବାକୁ ଚାହୁଁଥିଲି। ଫିଲ୍ମରେ ମୋର୍‌ ସଲ୍‌ମ‌ାନ ସାର୍‌ଙ୍କ ସହ ଏକ ଦୃଶ୍ୟ ଥିବାରୁ ମୁଁ ଖୁବ୍ ଖୁସି ଥିଲି। ଏହି ସୁଯୋଗ ପାଇଁ ମୁଁ ଭଗବାନଙ୍କ କୃତଜ୍ଞତା ବି ଜଣାଇଥିଲି।’

ସେହି ଦୃଶ୍ୟ ସରିବା ପରେ ହେମା ଥରେ ସଲ୍‌ମାନଙ୍କୁ ଭେଟିକି ତାଙ୍କ ସହ ଏକ ଫଟୋ ଉଠାଇବାକୁ ଚାହୁଁଥି‌ଲେ। ଏପରିକି ସେ ଅତି କମ୍‌ରେ ୫୦ ଜଣ ଲୋକଙ୍କୁ ସଲ୍‌ମାନଙ୍କ ସହ ଭେଟ କରାଇବା ପାଇଁ ନିବେଦନ କରିବା ପରେ ବି ତାଙ୍କୁ ସୁଯୋଗ ମିଳିନଥିବା ସେ କହିଛନ୍ତି।

ସଲ୍‌ମାନଙ୍କୁ ଭେଟିବାର ସୁଯୋଗ ‌ମିଳିବା ପରିବର୍ତ୍ତେ ତାଙ୍କୁ ଖରାପ ବ୍ୟବହାର କରାଯାଇଥିଲା ଏବଂ ଅପମାନିତ କରାଯାଇଥିଲା ବୋଲି ସେ ଅଭିଯୋଗ ଆଣିଛନ୍ତି। ଅତି କମ୍‌ରେ ୟୁନିଟ୍‌ର ୧୦୦ ଜଣ ଲୋକଙ୍କ ସମ୍ମୁଖରେ ଖରାପ ବ୍ୟବହାର ପାଇଥିବାରୁ ସେ ଅନେକ ରାତିରେ ଶୋଇ ପାରିନଥିଲେ ବୋଲି କହିଛନ୍ତି।

ହେମା ଆହୁରି ବି କହିଛନ୍ତି ଯେ ସେଠାରେ ସଲ୍‌ମାନ ଉପସ୍ଥିତ ନଥିଲେ କିନ୍ତୁ ସେ ଆଖପାଖରେ ଥିଲେ। ସେ ଏଥିରେ ହସ୍ତକ୍ଷେପ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିପାରିଥାନ୍ତେ, କିନ୍ତୁ ସେ ସେପରି କଲେନାହିଁ।’