ହତ୍ୟା ଧମକ ନେଇ ପୁଲିସ ବୟାନ ‌ରେକର୍ଡ କରିବା ପରେ ସୁଟିଂ ପାଇଁ ହାଇଦ୍ରାବାଦ ଗଲେ ସଲମାନ

ମୁମ୍ବାଇ: ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କୁ ନିର୍ମମ ଭାବେ ହତ୍ୟା କରାଯିବା ପରେ ଏବେ ବଲିଉଡ ଅଭିନେତା ସଲମାନ ଖାନ ଏବଂ ତାଙ୍କ ପିତା ସଲିମ ଖାନଙ୍କୁ ହତ୍ୟା ଧମକ ଦିଆଯାଉଛି। ସିଦ୍ଧୁଙ୍କ ଭଳି ସଲମାନଙ୍କୁ ମଧ୍ୟ ହତ୍ୟା କରାଯିବ ବୋଲି ଏକ ଚିଠିରେ ଲେଖାଯାଇଥିଲା। ଏହି ଚିଠି ସଲିମଙ୍କ ଅଙ୍ଗରକ୍ଷୀଙ୍କୁ ମିଳିବା ପରେ ଏବେ ଏହାକୁ ନେଇ ତଦନ୍ତ ଆରମ୍ଭ ହୋଇଛି।

ଏହି ଚିଠି ସଂପର୍କରେ ଗ୍ୟାଙ୍ଗଷ୍ଟର ଲରେନ୍‌ସ ବିଷ୍ଣୋଇକୁ ଆଜି (ସୋମବାର) ଜେରା କରାଯାଇଛି। କଣ୍ଠଶିଳ୍ପୀ ସିଦ୍ଧୁ ମୁସ୍‌ୱାଲାଙ୍କ ହତ୍ୟା ମାମଲାରେ ପ୍ରମୁଖ ସନ୍ଦିଗ୍ଧ ଥାଇ ଏବେ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍‌ସ ବିଷ୍ଣୋଇକୁ ବଲିଉଡ୍‌ ଅଭିନେତା ସଲମାନଙ୍କୁ ମିଳିଥିବା ଧମକପୂର୍ଣ୍ଣ ଚିଠି ବାବଦରେ ପୁଲିସ ଜେରା କରିଛି। ଏହା ସହ ସଲମାନଙ୍କ ବୟାନ ମଧ୍ୟ ପୁଲିସ ରେକର୍ଡ କରିଥିବା ଜଣାପଡ଼ିଛି।

ସବୁଠାରୁ ବଡ଼ କଥା ହେଲା ହତ୍ୟା ଧମକ ମଧ୍ୟରେ ଡରରେ ଘରେ ନଲୁଚି ସଲମାନ ଫିଲ୍ମ ‘କଭି ଇଦ୍ କଭି ଦିୱାଲୀ’ର ସୁଟିଂ ପାଇଁ ହାଇଦ୍ରାବାଦ ଯାଇଥିବା କୁହାଯାଉଛି। ବୟାନ ରେକର୍ଡ ପରେ ସଲମାନ ହାଇଦ୍ରାବାଦ ବାହାରିଯାଇଥିବା ନେଇ ଚର୍ଚ୍ଚା ହେଉଛି।

ପୁଲିସ ସୂଚନା ଅନୁଯାୟୀ, ସଲିମ ଖାନ ରବିବାର ସକାଳେ ଜଗିଂ କରିବା ପରେ ଦୈନିକ ବସୁଥିବା ଏକ ବେଞ୍ଚରେ ବସିଥିବା ବେଳେ ଏହି ଚିଠି ପାଇଥିଲେ। ସେ ସକାଳ ପ୍ରାୟ ୭.୩୦ ସମୟରେ ଏହି ଚିଠି ପାଇଥିଲେ। ପୁଲିସ କହିଛି ଯେ ରବିବାର ଦିନ ମୁମ୍ବାଇର ବାନ୍ଦ୍ରା ବ୍ୟାଣ୍ଡଷ୍ଟାଣ୍ଡ ପ୍ରୋମେନେଡ ନିକଟରେ ଏହି ଚିଠି ମିଳିଥିଲା।

ସମ୍ବନ୍ଧିତ ଖବର