ହାଇଦ୍ରାବାଦ: ସାମନ୍ଥାଙ୍କ କ୍ୟାରିୟର ଶେଷ ହୋଇସାରିଛି। ଭଲ ଫିଲ୍ମ ମିଳୁନି ବୋଲି ଯାହା ମିଳୁଛି ତାହା କରିବାକୁ ବାଧ୍ୟ ହେଉଛନ୍ତି ସାମନ୍ଥା। ସାଉଥ ସୁପରଷ୍ଟାର ସାମନ୍ଥା ରୁଥ ପ୍ରଭୁଙ୍କୁ ନେଇ ବରିଷ୍ଠ ପ୍ରଯୋଜକ-ନିର୍ଦ୍ଦେଶକ ଚିଟ୍ଟି ବାବୁ ଦେଇଥିବା ଏଭଳି ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କିଛି ଦିନ ତଳେ ସାମନ୍ଥାଙ୍କ ଅଭିନୀତ ଫିଲ୍ମ 'ଶକୁନ୍ତଲମ୍' ରିଲିଜ୍ ହୋଇଥିବା ବେଳେ ବକ୍ସ ଅଫିସରେ ଭଲ ବ୍ୟବସାୟ କରିପାରିନଥିଲା। ଏହା ପୂର୍ବରୁ ସାମନ୍ଥାଙ୍କ 'ୟଶୋଦା' ରିଲିଜ୍ ହୋଇଥିବା ବେଳେ ତାହା ମଧ୍ୟ ଫ୍ଲପ ହୋଇଥିଲା।
ଲଗାତାର ଫିଲ୍ମ ଫ୍ଲପ ହେଉଥିବାରୁ ଚିଟ୍ଟି ବାବୁ କହିଛନ୍ତି ସାମନ୍ଥାଙ୍କ କ୍ୟାରିୟର ଶେଷ ହୋଇସାରିଛି। ‘ସିଆସତ୍ ଡଟ କମ୍’କୁ ସାକ୍ଷାତକାର ଦେଇ ସେ କହିଛନ୍ତି, “ସାମନ୍ଥା ତାଙ୍କ ଛାଡପତ୍ର ପରେ 'ପୁଷ୍ପା: ଦି ରାଇଜ'ରେ 'ଓ ଆଣ୍ଟାଭା' ଆଇଟମ୍ ଗୀତ କରିଥିଲେ। ସେ ଟଙ୍କା ପାଇଁ ଏହା କରିଥିଲେ। ଷ୍ଟାର ହିରୋଇନ୍ ମାନ୍ୟତା ହରାଇବା ପରେ ସେ ଯାହା କିଛି ଅଫର୍ ହେଉଛି ତାହା କରୁଛନ୍ତି। ହିରୋଇନ୍ ଭାବରେ ତାଙ୍କର କ୍ୟାରିଅର୍ ସମାପ୍ତ ହୋଇଛି ଏବଂ ସେ ଆଉ ଷ୍ଟାରଡମକୁ ଫେରି ପାରିବେ ନାହିଁ। ଜୀବନ ବଞ୍ଚିବା ପାଇଁ ଏବେ ତାଙ୍କୁ ଯାହା ବି ଅଫର ମିଳୁଛି ତାକୁ ଗ୍ରହଣ କରିବା ଉଚିତ୍ ବୋଲି ସେ କହିଛନ୍ତି।
ସେ ଆହୁରି କହିଛନ୍ତି ଯେ, “ଫିଲ୍ମ 'ୟଶୋଦା'ର ପ୍ରମୋସନ ସମୟରେ ଫିଲ୍ମକୁ ହିଟ୍ କରିବା ପାଇଁ ସେ କାନ୍ଦିଥିଲେ। ପରେ ଫିଲ୍ମ 'ଶକୁନ୍ତଲମ୍' ପ୍ରଚାର ସମୟରେ ସେ ସହାନୁଭୂତି ପାଇବାକୁ ଚେଷ୍ଟା କରୁଥିବା ଦେଖାଯାଇଥିଲା। ଫିଲ୍ମ ପ୍ରଚାର ସମୟରେ ସେ କହିଥିଲେ ଯେ ମରିବା ପୂର୍ବରୁ ସେ ଏହି ଭୂମିକାରେ ଅଭିନୟ କରିବାକୁ ଚାହୁଥିଲେ। ଏହା ସହ ସେ କଥା କହିପାରୁନଥିବା ମଧ୍ୟ ସମସ୍ତଙ୍କୁ ଜଣାଇଥିଲେ। ହେଲେ ଏଭଳି ମିଛ ଅଭିନୟ କରି କେହି ଫିଲ୍ମକୁ ହିଟ୍ କରିପାରିବେ ନାହିଁ। ଫିଲ୍ମର କାହାଣୀ ଓ ସେଥିରେ ଥିବା ଚରିତ୍ର ଭଲ ଥିଲେ ଲୋକେ ଫିଲ୍ମ ଦେଖିବେ। ମୁଁ ଆଶ୍ଚର୍ଯ୍ୟ ଯେ, ତାଙ୍କୁ କେମିତି 'ଶକୁନ୍ତଲମ୍'ରେ ମୁଖ୍ୟ ଭୂମିକା ମିଳିଲା।"