ଚେନ୍ନାଇ: ସାଉଥ ସୁନ୍ଦରୀ ସମନ୍ଥା ଗର୍ଭବତୀ ଅଛନ୍ତି | ଶୀର୍ଷକଟି ପଢି ଆପଣ ଆଶ୍ଚର୍ଯ୍ୟ ହୋଇଗଲେ କି? ପ୍ରକୃତରେ କଥାଟି ସେମିତି ନୁହେଁ | ସମନ୍ଥା ପ୍ରଭୁଙ୍କ ପ୍ରଶଂସକମାନେ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଯଶୋଦା'କୁ ଅପେକ୍ଷା କରିଛନ୍ତି। ତେବେ ଆଜି ଟିଜର ରିଲିଜ ହୋଇଛି ଓ ଏହାକୁ ଦେଖିବା ପରେ ଚଳଚ୍ଚିତ୍ର ବାବଦରେ ଲୋକଙ୍କ ଆଗ୍ରହ ଆହୁରି ବଢିଯାଇଛି | ବାସ୍ତବରେ ଏହି ଚଳଚ୍ଚିତ୍ରର କାହାଣୀ ଜଣେ ଗର୍ଭବତୀ ମହିଳାଙ୍କ ଉପରେ ପର୍ଯ୍ୟବେସିତ, ଆଉ ଏଥିରେ ଗର୍ଭବତୀ ଭୂମିକାରେ ସମନ୍ଥା ଅଭିନୟ କରିଛନ୍ତି | ଟିଜରରେ ଦେଖିବାକୁ ମିଳିଛି ଯେ ସମନ୍ଥାଙ୍କୁ ଡାକ୍ତର କହୁଛନ୍ତି ଯେ ସେ ଗର୍ଭବତୀ ଅଛନ୍ତି ଓ ତାଙ୍କୁ କଣ ସବୁ ଯତ୍ନ ନେବାକୁ ପଡିବ |

Advertisment


ଏହା ପରେ ଆଉ କିଛି ଦୃଶ୍ୟ ଦେଖିବାକୁ ମିଳିଛି ଯେଉଁଥିରେ ଲାଗୁଛି ଯେ କେହି ଜଣେ ସମନ୍ଥାଙ୍କୁ ପିଛା କରୁଛନ୍ତି | ଏହି ଦୃଶ୍ୟଗୁଡିକ ଅତ୍ୟନ୍ତ ଭୟାନକ ଏବଂ ସସପେନ୍ସରେ ପରିପୂର୍ଣ୍ଣ ଥିବାବେଳେ ଜଣେ ଗର୍ଭବତୀ ମହିଳାଙ୍କ ଜୀବନରେ ଅଶାନ୍ତି ବାବଦରେ ଦେଖିବାକୁ ମିଳିଛି | ସମନ୍ଥାଙ୍କ ଚଳଚ୍ଚିତ୍ର 'ଯଶୋଦା' ମୁଖ୍ୟତଃ ତେଲୁଗୁ ଭାଷାରେ ନିର୍ମିତ ହୋଇଥିଲେ ବି ଏହା ହିନ୍ଦୀ ସମେତ ଅନ୍ୟ ଭାଷାରେ ମଧ୍ୟ ମୁକ୍ତିଲାଭ କରିବ | ସମନ୍ଥା ବର୍ତ୍ତମାନ କେବଳ ଦକ୍ଷିଣ ନୁହେଁ ସମଗ୍ର ଦେଶରେ ପ୍ରିୟ ଅଭିନେତ୍ରୀ ହୋଇପାରିଛନ୍ତି।

ତାଙ୍କର ଏହି ଚଳଚ୍ଚିତ୍ରର ଟିଜର ଦେଖି ସିନେ ସମୀକ୍ଷକ ଆଶା କରିଛନ୍ତି ଯେ ଏହା ଦର୍ଶକଙ୍କୁ ସିନେମା ହଲକୁ ଆକର୍ଷିତ କରିବାରେ ସଫଳ ହେବ | ଫିଲ୍ମ ଯଶୋଦାକୁ ହରି ଏବଂ ହରିଶ ମିଳିତ ଭାବେ ନିର୍ଦ୍ଦେଶନା ଦେଇଥିବାବେଳେ ଏଥିରେ ବାରାଲକ୍ଷ୍ମୀ ସାରଥକୁମାର ଏବଂ ଉନି ମୁକୁନ୍ଦନଙ୍କ ପରି ଅଭିନେତାମାନେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଯଦିଓ ଫିଲ୍ମର ରିଲିଜ୍ ତାରିଖ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ, କିନ୍ତୁ ଏହା ଚଳିତ ବର୍ଷ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି।