ଓଲିଉଡ୍ରେ ଏମିତି ଅନେକ ହିରୋଇନ୍ ଅଛନ୍ତି, ଯେଉଁମାନଙ୍କର କେବଳ ଗୋଟିଏ ସିନେମା ରିଲିଜ୍ ହୋଇଛି । ସେମାନେ କମ୍ବ୍ୟାକ୍ କରି ନାହାନ୍ତି । ବିଭିନ୍ନ କାରଣରୁ ସେମାନେ ବଡ଼ ପରଦାରୁ ଦୂରେଇ ରହିଛନ୍ତି । ହେଲେ କିଛି ଦିନ ହେବ ବଡ଼ ପରଦାରୁ ଦୂରେଇ ରହିଥିବା ଜଣେ ଓଲିଉଡ଼ ହିରୋଇନ୍ ଏବେ ପୁଣି ଥରେ କମ୍ବ୍ୟାକ୍ କରିଛନ୍ତି । ଏଠାରେ ଯେଉଁ ନାୟିକାଙ୍କ କଥା କୁହାଯାଉଛି ସେ ହେଲେ ସମ୍ଭାବନା ମହାନ୍ତି ।
ଦର୍ଶକ ସମ୍ଭାବନାଙ୍କୁ ୨୦୧୩ରେ ରିଲିଜ ହୋଇଥିବା ଓଡ଼ିଆ ଫିଲ୍ମ ‘ମୁଁ ରାଜା ତୁ ରାଣୀ’ରେ ଦେଖିବାକୁ ପାଇଥିଲେ । ଏହି ଫିଲ୍ମରେ ତାଙ୍କ ନାୟକ ଥିଲେ ଅରିନ୍ଦମ । ଏହି ସିନେମାରେ ସମ୍ଭାବନାଙ୍କୁ ମିଳିଥିଲା ଏକ ଚ୍ୟାଲେଞ୍ଜିଙ୍ଗ୍ ରୋଲ । ଏଥିରେ ସେ ଜଣେ ସାଧାରଣ ଯୁବତୀ ଭୂମିକା ବି ନିଭାଇଥିଲେ । ଏଥିରେ ତାଙ୍କୁ ଜଣେ ଆଇପିଏସ୍ ଅଫିସର ଭୂମିକାରେ ମଧ୍ୟ ଦେଖିବାକୁ ମିଳିଥିଲା । ଉଭୟ ଚରିତ୍ରକୁ ଖୁବ୍ ଭଲ ଭାବେ ନିଭାଇଥିଲେ ସମ୍ଭାବନା । ଏହି ଫିଲ୍ମରେ ଦର୍ଶକ ତାଙ୍କୁ ପସନ୍ଦ ବି କରିଥିଲେ । ହେଲେ ତା’ ପରେ ସମ୍ଭାବନା ଆକସ୍ମିକ ଭାବେ ଅଭିନୟରୁ ଦୂରେଇ ଯାଇ ଉଚ୍ଚ ଶିକ୍ଷାରେ ମନୋନିବେଶ କରିଥିଲେ ।

ସେ ଯାହା ହେଉ ନା କାହିଁକି ପ୍ରାୟ ପାଞ୍ଚ ବର୍ଷ ପରେ ଓଲିଉଡ୍ ଫେରିଛନ୍ତି ସମ୍ଭାବନା । ‘ବିଶ୍ୱନାଥ’ ଶୀର୍ଷକ ଫିଲ୍ମରେ କାହିଁକି ପୁଣି ଅଭିନୟକୁ ଫେରିଛନ୍ତି ପ୍ରଶ୍ନର ଉତ୍ତରରେ ସମ୍ଭାବନା କହିଛନ୍ତି ଯେ ବିଶ୍ୱନାଥର କାହାଣୀ ଶୁଣିବା ପରେ ତାଙ୍କୁ ଲାଗିଲା କି ଯଦି କମ୍ବ୍ୟାକ୍ କରିବେ,ତେବେଏହା ଏକ ଉଚିତ୍ ପ୍ଲାଟ୍ଫର୍ମ । ଏହାର କାହାଣୀ ଓ ଏଥିରେ ଥିବା ମୋର ଚରିତ୍ର ବହୁତ ଭଲ ଲାଗିଲା । କାଷ୍ଟ ଓ ପ୍ରଡ଼କ୍ସନ ହାଉସ୍ ବି ଭଲ ହୋଇଥିବା ହେତୁ ସେ ବିଶ୍ୱନାଥରେ ଅଭିନୟ କରିଲେ ବୋଲି କହନ୍ତି । ଏହି ସିନେମାରେ ସେ ପ୍ରଥମ ଥର ପାଇଁ ସମ୍ବିତଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ।