ଓଲିଉଡର ଏହି ଲୋକପ୍ରିୟ ନାୟକଙ୍କ ସହ ପ୍ରଥମ ଥର ନଜର ଆସିବେ କାବ୍ୟା

ଭୁବନେଶ୍ବର: ଓଲିଉଡର ଜଣେ ଜଣାଶୁଣା ନାୟିକା କାବ୍ୟା କିରଣଙ୍କୁ ଖୁବ୍ ଶୀଘ୍ର ଦର୍ଶକ ଏକ ନୂଆ ଓଡ଼ି୍ଆ ଛବିରେ ଦେଖିବାକୁ ପାଇବେ। ସେ ଯେଉଁ ସିନେମାରେ ପୁଣି ନାୟିକା ଭୂମିକାରେ ଆସୁଛନ୍ତି, ତାର ଟାଇଟଲ୍ ହେଲା ‘ତୋ ନାର ମାନେ ହଁ’। ଜୋକର ପ୍ଲସ୍ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଏହି ସିନେମାରେ କାବ୍ୟା କିରଣ୍ ପ୍ରଥମ ଥର ଲାଗି ଲୋକପ୍ରିୟ ନାୟକ ସମ୍ବିତଙ୍କ ବିପକ୍ଷରେ ନଜର ଆସିବେ। ଏହାଛଡ଼ା ମହାଶ୍ବେତା, ପ୍ରଦ୍ୟୁମ୍ନ ଲେଙ୍କା ଓ ରୀୟା ପ୍ରମୁଖ ଅଛନ୍ତି ମୁଖ୍ୟ ଭୂମିକାରେ। ଅଭିଜିତ ମଜୁମଦାର ଏହାର ସଙ୍ଗୀତକାର।


ସ୍ମରଣଯୋଗ୍ୟ, କାବ୍ୟା ୨୦୧୪ ରେ ରିଲିଜ୍ ହୋଇଥିବା ଥ୍ରିଡି ଓଡ଼ିଆ ସିନେମା ‘କାଉଁରି କନ୍ୟା’ରେ ପ୍ରଥମେ ପରଦାକୁ ଆସିଥିଲେ। ସୌମରଂଜନ ସାହୁଙ୍କ ନିର୍ଦ୍ଦେଶିତ ଏହି ସିନେମାରେ କାବ୍ୟା କିରଣଙ୍କ ଅଭିନୟ ବି ବେଶ୍ ପ୍ରଭାବଶାଳୀ ଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସୌମ୍ୟରଂଜନ ସାହୁ, ଅର୍ଦ୍ଧେନ୍ଦୁ ଓ ପାୟଲ୍ ଭୂୟାଁ ପ୍ରମୁଖଙ୍କୁ ବି ଦେଖିବାକୁ ମିଳିବଲା ଗୁରୁତ୍ୱପୂର୍ଣ୍ଣ ଭୂମିକାରେ।

‘କାଉଁରୀ କନ୍ୟା’ ରିଲିଜ୍ ହେବା ବେଳକୁ କାବ୍ୟା କିରଣ୍ ବଲିଉଡକୁ ଯାଇସାରିଥିଲେ। ସେଠି ସେ ରାମରତନ୍, ରଙ୍ଗ୍ -ଏ -ଇଶ୍କ, ଓ ଜୟବୀର ପାଂଘଲ ଭଳି ହିନ୍ଦୀ ସିନେମାରେ କାମ କରିବାରେ ସୁଯୋଗ ପାଇଥିଲେ। ଏହାପରେ କାବ୍ୟା ‘ରହସ୍ୟ, ‘ ଶହୀଦ ରଘୁ ସର୍ଦ୍ଦାର’ ଓ ‘ଭୋକ’ ଆଦି ଓଡ଼ିଆ ଛବିରେ ବି କାମ କରିଛନ୍ତି।

‘ତୋ ନାର ମାନେ ହଁ’ରେ ପ୍ରଥମ ଥର ଦର୍ଶକ ସମ୍ବିତ-କାବ୍ୟା ଯୋଡ଼ିକୁ କିପରି ପସନ୍ଦ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର