ନୂଆ ଯୋଡିଦାରଙ୍କ ସହ ସମ୍ବିତ

ଭୁବନେଶ୍ୱର: ଓଲିଉଡର ଜଣାଶୁଣା ନାୟକ ସମ୍ବିତଙ୍କୁ ଦର୍ଶକ ଆର ବର୍ଷ ଯେଉଁସବୁ ଓଡ଼ିଆ ସିନେମାରେ ଦେଖିବାକୁ ପାଇବେ, ସେଥିମଧ୍ୟରୁ ଗୋଟିଏ ହେଲା ‘ହାପି ଲକି’।ଚଳିତ ବର୍ଷ ଏଯାବତ୍‌ କେବଳ ଗୋଟିଏ ଓଡ଼ିଆ ଛବିରେ ଦେଖିବାକୁ ପାଇଛନ୍ତି। ତାହା ହେଲା ‘ତୁମକୁ ଦେଖିଲାପରେ’ । ଏହା ପୂର୍ବରୁ ସେ ପ୍ରେମ ଓ୍ଵଡସ ପ୍ରିୟା, ବାଳୁଙ୍ଗା ଟୋକା, ଓମ୍‌ , ଗଞ୍ଜା ଲଢ଼େଇ, ଚଉକା ଛକା, ବନ୍ଧନ, କଟକ-ଦ ସିଲଭର ସିଟି, ଆଶିକ୍‌ , ‘ଲେଖିଛି ନାଆଁ ତୋର’ଏବଂ ଛାତି ତଳେ ଡିଂ ଡଙ୍ଗ୍‌ ଇତ୍ୟାଦି ଓଡ଼ିଆ ଛବିରେ ଅଭିନୟ କରିସାରିଲେଣି ।

ସମ୍ବିତ୍‌ ଇତିମଧ୍ୟରେ କେତେ ଜଣ ନାୟିକାଙ୍କ ବିପକ୍ଷରେ କାମ କରିସାରିଛନ୍ତି ।ସେ ଝିଲିକ୍‌ ,ପିଙ୍କି ପ୍ରିୟଦର୍ଶିନୀଙ୍କ ପରି ଜଣାଶୁଣା ନାୟିକାଙ୍କ ବିପକ୍ଷରେ ନାୟକ ବନିଛନ୍ତି। ସେ କେତେକ ନବାଗତାଙ୍କ ବିପକ୍ଷରେ ବି ନଜର ଆସିଛନ୍ତି। ତେବେ ସମ୍ବିତ୍‌ ପୁଣି ଜଣେ ନବାଗତାଙ୍କ ସହ ସ୍କ୍ରିନ୍‌ ସେଆର୍‌ କରିଛନ୍ତି। ଏହି ନବାଗତାଜଣକ ହେଲେ ସସ୍ମିତା। ସସ୍ମିତା ରିଅଲିଟି ସୋ’ ‘କିଏ ହବ ମୋ’ ହିରୋଇନ୍‌’ ଜରିଆରେ ସମ୍ବତଙ୍କ ନାୟିକା ହେବାର ସୁଯୋଗ ପାଇଛନ୍ତି। ସୁଧାଂଶୁମୋହନ ସାହୁଙ୍କ ନିର୍ଦ୍ଦେଶିତ ‘ହାପି ଲକି’ରେ ଜ୍ୟୋତି,ଏଲିନା ବି ଲିଡ ରୋଲରେ ଅଛନ୍ତି।


ଏଣେ ସମ୍ବିତ୍‌ ଓଲିଉଡର ଅଳ୍ପ ପରିଚିତା ଜଣେ ନାୟିକା ସହ ମଧ୍ୟ ପ୍ରଥମ ଥର ଲାଗି ସ୍କ୍ରିନ୍‌ ସେଆର୍‌ କରିଛନ୍ତି । ସେ ହେଲେ ଅଙ୍କିତା । ଅଙ୍କିତା ପୂର୍ବରୁ ଶ୍ରୀକାନ୍ତ ଗୌତମଙ୍କ ନିର୍ଦ୍ଦେଶିତ ଓଡ଼ିଆ ଛବି ‘ମିଠାମିଠା’ରେ ନାୟିକା ଭୂମିକାରେ ଅଭିନୟ କରିଛନ୍ତି। ଦର୍ଶକ ସମ୍ବିତଙ୍କ ସହିତ ଅଙ୍କିତାଙ୍କୁ ପ୍ରଥମ ଥର ପାଇଁ ଯେଉଁ ସିନେମାରେ ଦେଖିବାକୁ ପାଇବେ, ତାହା ହେଲା ‘ ମନ ଖାଲି ତତେ ଚାହେଁ ’ । ଏହାର ନିର୍ଦ୍ଦେଶକ ହେଲେ ନିମାଇଁ ଓଝା । ଏହି ସିନେମାରେ ସମ୍ବିତ- ଅଙ୍କିତାଙ୍କ ପ୍ରେମ କାହାଣୀ ଦେଖିବାକୁ ମିଳିବ । ଏହା ଏକ ଲଭ୍‌ଷ୍ଟୋରି । କୁହାଯାଉଛି ଯେ ଫିଲ୍ମରେ ସମ୍ବିତଙ୍କ ଭୂମିକାଟି ଯେମିତି ଦମଦାର୍‌, ଅଙ୍କିତାଙ୍କ ଅଭିନୀତ ଚରିତ୍ରଟି ବି ସେମିତି ବଳିଷ୍ଠ । ଏହି ସିନେମାରେ ଅନୀତା ଦାସଙ୍କୁ ବି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ । ପ୍ରାପ୍ତ ସୂଚନା ଅନୁଯାୟୀ ଏହି ସିନେମା ବି ୨୦୧୮ରେ ରିଲିଜ୍‌ ହେବ। ଦେଖାଯାଉ ନୂଆ ଯୋଡିଦାରଙ୍କ ସହ କେତେ ଚମକୁଛନ୍ତି ସମ୍ବିତ୍‌।

ସମ୍ବନ୍ଧିତ ଖବର