ସମୀରଙ୍କ ପସନ୍ଦ କାର୍ତ୍ତିକ

ସୁଦକ୍ଷ ନିର୍ଦ୍ଦେଶକ ସମୀର ବିଦ୍ବାନ ଏବେ ବଲିଉଡ୍ ଇଣ୍ଡଷ୍ଟ୍ରିକୁ ପାଦ ବଢ଼ାଇଛନ୍ତି। ୨୦୧୯ରେ ତାଙ୍କ ନିର୍ଦ୍ଦେଶିତ ମରାଠୀ ଚଳଚ୍ଚିତ୍ର ‘ଅନାଦି ଗୋପାଳ’ ବେଶ୍ ଚର୍ଚ୍ଚିତ ହେଇଥିଲା। ଏଥର ହିନ୍ଦୀ ଭାଷାରେ ସେ ଯେଉଁ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି, ତାହାର ଶୀର୍ଷକ ରହିଛି ‘ସତ୍ୟନାରାୟଣ କୀ କଥା’। ଏହା ଏକ ପ୍ରେମ କାହାଣୀ। ସାଜିଦ ନଦିଆୱାଲା ଏହାର ପ୍ରଯୋଜନା କରୁଥିବା ବେଳେ କାହାଣୀର ମୁଖ୍ୟ ଚରିତ୍ରରେ ଅବତୀର୍ଣ୍ଣ ହେବେ କାର୍ତ୍ତିକ ଆର୍ଯ୍ୟାନ୍‌। କିଛି ଦିନ ତଳେ ସମୀର ପାନ୍-ଇଣ୍ଡିଆ ପ୍ରୋଜେକ୍ଟରେ କାମ କରୁଥିଲେ। ସେ କହିଛନ୍ତି, ଏହି ପ୍ରୋଜେକ୍ଟକୁ ନେଇ ସେ ଯେତିକି ଉତ୍ସାହିତ ଥିଲେ, ସେତିକି ଉତ୍କଣ୍ଠିତ ମଧ୍ୟ ଥିଲେ। ପାଖାପାଖି ଦୁଇବର୍ଷ ହେବ ସମୀର ତାଙ୍କ ସହଯୋଗୀ ଲେଖକ କରନ ଶର୍ମାଙ୍କ ସହ କାମ କରୁଥିଲେ। ସେଇ କାହାଣୀ ଓ ସଂଳାପ ଶୁଣିବା ପରେ କାର୍ତ୍ତିକ ବିମୁଗ୍‌ଧ ହେଇଗଲେ। ପରେ ଏଇ କାହାଣୀଟିକୁ ନେଇ ପ୍ରଯୋଜକ ସାଜିଦଙ୍କୁ ଶୁଣାଇଥିଲେ, ସେ ମଧ୍ୟ ପ୍ରଭାବିତ ହେଇଥିଲେ।

ସମୀର କହିଛନ୍ତି, ଯଦି ଆବଶ୍ୟକ ହୁଏ, ତେବେ ଏଇ କାହାଣୀଟିର କୌଣସି ଏକ ବ୍ୟାବସାୟିକ ଶୀର୍ଷକ ଦିଆଯିବ। ଦୁଇ ବର୍ଷ ତଳେ ସମୀର ନିର୍ମାଣ କରିଥିବା ମରାଠୀ ଫିଲ୍ମ ‘ଅନାଦି ଗୋପାଳ’ ଟେଲିଭିଜନ୍‌ରେ ପ୍ରିମିୟର୍‌ ହେଇଥିଲେ ମଧ୍ୟ ବହୁ ଦର୍ଶକଙ୍କୁ ପ୍ରଭାବିତ କରିଛି। ଏଥିରେ ଭାରତର ପ୍ରଥମ ମହିଳା ଡାକ୍ତର ଅନାଦି ଗୋପାଳ ଯୋଶୀଙ୍କ ଜୀବନ କାହାଣୀ ରୂପାନ୍ତରିତ ହୋଇଛି। ମାତ୍ର ନ’ବର୍ଷ ବୟସରେ ସେ ତାଙ୍କଠାରୁ ଦୁଇଗୁଣ ବୟସର ପୁରୁଷଙ୍କୁ ବିବାହ କରିଥିଲେ। ସେଇ ସ୍ବାମୀ ଜଣକ କେମିତି ଅନାଦି ଗୋପାଳଙ୍କୁ ଡାକ୍ତରୀ ବିଦ୍ୟାରେ ପାରଦର୍ଶୀ କରାଇଥିଲେ, ତାହା ଚଳଚ୍ଚିତ୍ରରେ ପ୍ରତିଫଳିତ ହେଇଛି। ସେମିତି ଚଳଚ୍ଚିତ୍ର‌ରେ ଥିବା ହୃଦୟସ୍ପର୍ଶୀ କାହାଣୀ ଓ ଚରିତ୍ରମାନେ ଦର୍ଶକଙ୍କୁ ବିମୋହିତ କରିବେ ବୋଲି ସେ ଆଶାବାଦୀ ଅଛନ୍ତି। ‘ସତ୍ୟନାରାଣ କୀ କଥା’ରେ ଯେଉଁ ପ୍ରେମିକ ଚରିତ୍ର ରହିଛି, ସେଇ ଚରିତ୍ରରେ କାର୍ତ୍ତିକ ହିଁ ନିଖୁଣ ଭାବେ ଅଭିନୟ କରିପାରିବେ ବୋଲି ନିର୍ଦ୍ଦେଶକ ସମୀର ଭରସା କରିଛନ୍ତି। ତେବେ କାର୍ତ୍ତିକଙ୍କ ବିପକ୍ଷର ନାୟିକା ଖୋଜା ଚାଲିଛି। ଆଗାମୀ ନଭେମ୍ବର-ଡିସେମ୍ବରରେ ଏହାର ସୁଟିଂ ଆରମ୍ଭ କରିବାକୁ ସମୀର ଯୋଜନା କରୁଛନ୍ତି।

ସମ୍ବନ୍ଧିତ ଖବର