ଗୌରାଙ୍ଗ ଓ ସମିତାଙ୍କ ସମ୍ପର୍କରେ କିଛି….

ଗୌରାଙ୍ଗ ଚନ୍ଦ୍ର ରାଉତ ଉତ୍କଳ ବିଶ୍ୱବିଦ୍ୟାଳୟରେ ଅର୍ଥଶାସ୍ତ୍ର ଅଧ୍ୟୟନ ସମୟରୁ ଓଡ଼ିଶାର ଗ୍ରୁପ୍‌ ଥିଏଟର ସହିତ ସଂଶ୍ଳିଷ୍ଟ। ପରେ ପରେ ‘ଅନେ୍ଵଷଣ’ ନାଟ୍ୟ ସଂସ୍ଥାର ପ୍ରତିଷ୍ଠାତା ସଭ୍ୟ ଏବଂ ଏହି ସଂସ୍ଥାର ସମ୍ପାଦକ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି। ୨୦୦୭ରୁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ନାଟକ (ନିର୍ଦ୍ଦେଶନା) ବିଭାଗରେ ଅତିଥି ଅଧ୍ୟାପକ ଓ ଗବେଷଣାରତ ଛାତ୍ରଛାତ୍ରୀଙ୍କ ତତ୍ତ୍ୱାବଧାରକ। ସେହିପରି ତାଙ୍କର ପତ୍ନୀ ସମିତାଙ୍କର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ପଢ଼ିବା ସମୟରୁ ଆରମ୍ଭ ହୋଇଯାଇଥିଲା ଅଭିନୟ କ୍ୟାରିୟର। ୨୦୦୮ରୁ ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ନାଟକ ବିଭାଗରେ ଅତିଥି ଅଧ୍ୟାପିକା ଭାବେ କାର୍ଯ୍ୟ କରୁଛନ୍ତି। ଅନେକ ନାଟକର ସେ ନର୍ଦ୍ଦେଶନା ଦେଇଛନ୍ତି। ସେ ଗୌରାଙ୍ଗ ବାବୁଙ୍କ ସହିତ ଅନେକ ରାଜ୍ୟସ୍ତରୀୟ ତଥା ଜାତୀୟସ୍ତରୀୟ ପ୍ରଯୋଜନା ଭିତ୍ତିକ ନାଟ୍ୟକର୍ମଶାଳାରେ ସହନିର୍ଦ୍ଦେଶିକା ଭାବେ କାର୍ଯ୍ୟ କରିଛନ୍ତି। ଜାତୀୟ ନାଟକ ବିଦ୍ୟାଳୟ ଦ୍ୱାରା ଆୟୋଜିତ ପ୍ରଯୋଜନା ଭିତ୍ତିକ ନାଟ୍ୟକର୍ମଶାଳାରେ ମଧ୍ୟ ଅଂଶଗ୍ରହଣ କରିଛନ୍ତି। ଅଧ୍ୟାପନାରତ ଏହି କଳାକାର ଦମ୍ପତିଙ୍କର ରହିଛି ‘ଇଣ୍ଟର୍‌ଫେସ୍‌’ ନାମକ ନାଟ୍ୟ ଅନୁଷ୍ଠାନଟିଏ।
ଏଥର ‘ଯୁଗଳବନ୍ଦୀ’ରେ ଏହି ଦମ୍ପତିଙ୍କର
ସଂସାର, ମଞ୍ଚ ଓ ମନର କଥା…

ଉତ୍କଳ ସଂଗୀତ ମହାବିଦ୍ୟାଳୟ ନାଟକ ବିଭାଗରେ ପଢ଼ିଲା ବେଳେ ପ୍ରଥମେ ସମିତାଙ୍କ ସହ ଗୌରାଙ୍ଗଙ୍କର ଏତେଟା ପରିଚୟ ନ ଥିଲା। ତେବେ ୧୯୯୩ ମସିହାରେ ତାଙ୍କର ସ୍ନାତକୋତ୍ତର ପରୀକ୍ଷା ପ୍ରଡକ୍ସନ୍‌ ‘ଜୀବନ ଯାତ୍ରା’ ନାଟକରେ ସମିତା ନାୟିକା ଚରିତ୍ରରେ ଅଭିନୟ କରୁଥିଲେ। ସେତେବେଳେ ସେ ଯୁକ୍ତତିନି ପ୍ରଥମ ବର୍ଷ ଛାତ୍ରୀ। ନାଟକଟି ପ୍ରଦର୍ଶନ ହେବାର ମାତ୍ର କିଛିଦିନ ପୂର୍ବରୁ କୌଣସି କାରଣରୁ ନାୟକ ଭୂମିକାରେ ଅଭିନୟ କରୁଥିବା ଛାତ୍ର ଅଭିନୟ କରିବାକୁ ସମର୍ଥ ହୋଇପାରିଲେ ନାହିଁ। ତେଣୁ ସେହି ଚରିତ୍ରରେ ଗୌରାଙ୍ଗ ନିଜେ ଅଭିନୟ କରିବାକୁ ବାଧ୍ୟ ହେଲେ। ବୋଧହୁଏ ଏହା ଥିଲା ବିଧିର ନିର୍ଦ୍ଦେଶ। ନାଟକ ପ୍ରଦର୍ଶନ ହେବାର ତିନି ଦିନ ପୂର୍ବରୁ ଉଭୟ ସିଦ୍ଧାନ୍ତ ନେଇଥିଲେ ସାଥୀହେଇ ନାଟକ କରିବା ପାଇଁ। ଡିସେମ୍ବର ୨୭ରେ ନାଟକଟି ପ୍ରଦର୍ଶିତ ହୋଇଥିଲା। ଏହି ନାଟକ ପରେ ପରେ କୋର୍ଟ ମ୍ୟାରେଜ୍‌ କରି ସେମାନେ ଅଭିନୟ ମଞ୍ଚରୁ ସତ ସଂସାରକୁ ପାଦ ବଢ଼ାଇ ଥିଲେ। ସେବେଠୁ କଳାରେ ଉଭୟଙ୍କର ଯୁଗ୍ମ ଜୀବନଯାତ୍ରା ଜାରି ରହିଛି।

ସେବେଠୁ ସାଥୀହେଇ ଅନେକ ନାଟକ କରିଛନ୍ତି। ଉତ୍କଳ ସଂଗୀତ ମହାବିଦ୍ୟାଳୟ ମଞ୍ଚ, ରବୀନ୍ଦ୍ର ମଣ୍ଡପ, ଭଞ୍ଜ କଳାମଣ୍ଡପଠାରୁ ଆରମ୍ଭ କରି ସମ୍ବଲପୁର ଗୋଶାଳା ନବୋଦୟ ବିଦ୍ୟାଳୟ ମଞ୍ଚ, ଦିଲ୍ଲୀର ବାବର ଭବନ ମଞ୍ଚ ପରି ଅନେକ ମଞ୍ଚ ତଥା ଅନେକ ପଥପ୍ରାନ୍ତ ନାଟକରେ ସାଥୀ ହେଇ କାମ କରିଛନ୍ତି। ଗଢ଼ିଛନ୍ତି ‘ଇଣ୍ଟର୍‌ଫେସ୍‌’ ପରି ଏକ ନାଟକ ଅନୁଷ୍ଠାନ। ଯେହେତୁ ସମିତା ମୁଖ୍ୟତଃ ଅଭିନେତ୍ରୀ ନିଜସ୍ୱ ପ୍ରଡକ୍ସନ୍‌କୁ ଛାଡ଼ି ସେ ଅନ୍ୟାନ୍ୟ ଅନେକ ନାଟକ, ଚଳଚ୍ଚିତ୍ର ଏବଂ ଟିଭି ଧାରାବାହିକରେ କାର୍ଯ୍ୟ କରିଛନ୍ତି। ଦୀର୍ଘ ୨୩ ବର୍ଷର ଜୀବନଯାତ୍ରାରେ ଅନେକ ସ୍ମୃତି ଓ ଅନୁଭୂତି ସାଉଁଟିଛନ୍ତି।

ତେବେ ଦୈନନ୍ଦିନ ଜୀବନ ସଂପର୍କରେ ଗୌରାଙ୍ଗ କୁହନ୍ତି, ‘‘ସମିତା ଟିକେ ଶୀଘ୍ର ଉଠିଯାଇ ପୁଅ ସ୍କୁଲ୍‌ ଯିବା ପାଇଁ ଖାଦ୍ୟ ଓ ଜଳଖିଆ ପ୍ରସ୍ତୁତ କରନ୍ତି। ମୁଁ ଚା’ ପିଇ ବାଥ୍‌ରୁମ୍‌ ଯାଇ ଯୋଗାସନ ପ୍ରାଣାୟାମ କରେ କିମ୍ବା ପାର୍କରେ ଚାଲେ। ପରିବାପତ୍ର ଦରକାର ଥିଲେ ମାର୍କେଟିଂ କରି ଫେରେ। ସେ ରୋଷେଇ କରିବା ସହିତ ପୁଅକୁ ଜଳଖିଆ ଦେଇ ଟ୍ୟୁସନ୍‌ ପାଇଁ ରେଡି କରନ୍ତି। ପୁଅର ଟ୍ୟୁସନ୍‌ ଚାଲିଥିଲା ବେଳେ ସେ ତାଙ୍କର ଅନ୍ୟାନ୍ୟ କାମ ସାରି କର୍ମକ୍ଷେତ୍ରକୁ ବାହାରି ଯାଆନ୍ତି। ଏହାପରେ ପୁଅର ଗାଧୁଆପାଧୁଆ ଖିଆପିଆ କଥା ମୁଁ ବୁଝେ। ତାକୁ ସ୍କୁଲ୍‌ ବସ୍‌ରେ ଚଢ଼ାଏ ଏବଂ ସଂସ୍କୃତି ବିଶ୍ୱବିଦ୍ୟାଳୟ ମଦନପୁରକୁ ମୁଁ ବାହାରିଯାଏ। ସମିତା ଫେରନ୍ତି ଦିନ ଗୋଟାଏ ପରେ, ମୁଁ ଫେରେ ଚାରିଟା ପରେ। ସଂଧ୍ୟାରେ ପୁଅ ଟ୍ୟୁସନ୍‌ ଯାଏ, ନ ହେଲେ ସେ ପଢ଼ାନ୍ତି। ମୁଁ ସନ୍ଧ୍ୟାବେଳେ ବାହାରକୁ ଯିବାର ନ ଥିଲେ ପଢ଼ାପଢ଼ି, ଲେଖାଲେଖି କରେ। ତେବେ ପ୍ରଡକ୍ସନ କାମ ଚାଲିଥିଲେ କିମ୍ବା କିମ୍ବା ସମିତାଙ୍କର ସୁଟିଂ ଥିଲେ ଏହି ନିତିଦିନିଆ ରୁଟିନ୍‌ ପରିସ୍ଥିତିକୁ ଦେଖି ବଦଳାଇ ଦିଆଯାଏ।’’

ଆଡ୍‌ଜଷ୍ଟ୍‌ମେଣ୍ଟ୍‌ କଥା ଉଠାଇବାରୁ ସମିତା କହନ୍ତି, ‘‘ପ୍ରାୟ ସବୁ କଥା ଆମେ ପରସ୍ପର ସହ ସେୟାର୍‌ କରିଥାଉ ଏବଂ ସମାଧାନର ବାଟ ଖୋଜିଥାଉ। ତାଙ୍କର ସମସ୍ୟା ମୋର ସମସ୍ୟା, ପୁଣି ମୋର ସମସ୍ୟା ତାଙ୍କର ସମସ୍ୟା। କାରଣ ଉଭୟଙ୍କର ପେସା ଓ ନିଶା ସମାନ।’’ ରୁଚି ଅରୁଚିର କଥା ଉଠିଲେ ସେ କହନ୍ତି ‘‘ବାହାହେଇ ସଂସାର କଲା ପରେ ଧୀରେ ଧୀରେ ସ୍ୱାମୀ ଓ ସ୍ତ୍ରୀଙ୍କର ରୁଚି ପ୍ରାୟ ଏକାଭଳି ହେଇଯାଏ। ତଥାପି ସେ ଜାଣନ୍ତି ମୋର କ’ଣ ରୁଚି ଓ ଅରୁଚି। ସେହିପରି ମୁଁ ମଧ୍ୟ ଜାଣେ କ’ଣ ତାଙ୍କର ରୁଚି ଓ ଅରୁଚି। ଭ୍ରମଣ ସ୍ଥାନ ଚୟନ, ଗୀତ ଶୁଣିବା ଆଦି କ୍ଷେତ୍ରରେ ଦୁହିଁଙ୍କର ରୁଚି ପ୍ରାୟ ସମାନ।’’

ଦାୟିତ୍ୱର କଥା ଉଠିଲେ ଗୌରାଙ୍ଗ କହନ୍ତି, ‘‘ଆମେ ଯିଏ ଯାହାର ଦାୟିତ୍ୱ ନିର୍ବାହ କରୁ। ତାହା ସ୍ୱତଃପ୍ରବୃତ୍ତ ଭାବେ ହୋଇଥାଏ। ଘର ଭିତର ଦାୟିତ୍ୱ ପ୍ରାୟ ତାଙ୍କର ଏବଂ ବାହାର କାର୍ଯ୍ୟର ଦାୟିତ୍ୱ ପ୍ରାୟ ମୋର। ସମୟ ପଡ଼ିଲେ ତାଙ୍କ କାର୍ଯ୍ୟ ମୁଁ କରିଦିଏ ଏବଂ ସେ ମଧ୍ୟ ମୋ କାର୍ଯ୍ୟ କରିଦିଅନ୍ତି। ତେବେ ଘରର ମୁରବି ହେଲି ମୁଁ। ଏଥିରେ ନାରୀ କିମ୍ବା ପୁରୁଷର ପ୍ରାଧାନ୍ୟ ଭାବ ନାହିଁ।’’ ସେ ଆହୁରି ମଧ୍ୟ କହନ୍ତି, ‘‘ଯେତେବେଳେ ଯେଉଁ କାମ ପାଇଁ ଦରକାର ପଡ଼େ ଆମେ ପରସ୍ପରକୁ ସାହାଯ୍ୟ ସହଯୋଗ କରିଥାଉ। କାରଣ ଆମେ ଥିଏଟର୍‌ ଲୋକ। ଟିମ୍‌ ଓ୍ଵାର୍କ କରିବା ଆମର ଅଭ୍ୟାସ। ଘରେ ମଧ୍ୟ ସେଇ ଅଭ୍ୟାସ।’’
ଜୀବନର ଗୋଟେ ସଂଳାପ

‘‘କଳା ସାଧନାକୁ ଭିତ୍ତି କରି ଆମ ଜୀବନର କର୍ମପଥ। ତା’ରି ଭିତରେ ଆମର ଦାମ୍ପତ୍ୟ ଜୀବନ, ସନ୍ତାନ ପ୍ରାପ୍ତି, କ୍ୟାରିୟର୍‌। ଜୀବନରେ କଳାର ଅନେ୍ଵଷଣ ଏବଂ କଳାରେ ଜୀବନର ଅନେ୍ଵଷଣ କରିବା ଭିତରେ ତିକ୍ତ ସ୍ମୃତି ବି ମଧୁର ହୋଇ ଉଠୁଛି, ବିଫଳତା ବି ସଫଳତାର ଭିତ୍ତିଭୂମି ହେଇଉଠୁଛି, ପରାଜୟ ବି ବିଜୟର ରୂପ ନେଉଛି।’’

ସ୍ୱପ୍ନ ଓ ସଂକଳ୍ପର ‘ଇଣ୍ଟରଫେସ୍‌’

‘ଇଣ୍ଟରଫେସ୍‌’ର ଜନ୍ମ ୧୯୯୭ରେ। ସମିତା ମହାନ୍ତି ଓ ଗୌରାଙ୍ଗ ଚନ୍ଦ୍ର ରାଉତଙ୍କ ଏହି ଅନୁଷ୍ଠାନଟି ଏଯାବତ୍‌ ଅନେକ ନାଟକ ମଞ୍ଚସ୍ଥ କରିଆସିଛି। ସଂସ୍ଥା ପକ୍ଷରୁ ମଞ୍ଚସ୍ଥ ନାଟକ ମଧ୍ୟରେ ରହିଛି ‘ସେମାନେ ବି ମୋର’, ‘ସଖାରାମ୍‌ ବାଇଣ୍ଡର୍‌’ (ବିଜୟ ତେନ୍ଦୁଲ୍‌କରଙ୍କ ହିନ୍ଦୀ ନାଟକ, ଗୌରାଙ୍ଗ ରାଉତଙ୍କ ଅନୂଦିତ), ‘ମୃଗତୃଷ୍ଣା’, ‘ଧଳା ବିଲୁଆ’ ଇତ୍ୟାଦି। ସାନ୍ତାଳୀ ଭାଷାରୁ ଅନୁବାଦ ହୋଇଥିବା ‘ଧଳା ବିଲୁଆ’ ନାଟକରେ ୨୫ ଜଣ କଳାକାର ଅଭିନୟ କରିଥିଲେ। ‘ଅରୁଣ ରଂଗର ପକ୍ଷୀ’ ରେ ଶହେ ସରିକି ଝିଅ ଏବଂ ‘ମୃଗତୃଷ୍ଣା’ରେ ଷାଠିଏରୁ ଅଧିକ କଳାକାର ଅଭିନୟ କରିଥିଲେ। ଗୌରାଙ୍ଗ ‘ଇଣ୍ଟରଫେସ୍‌’ ସଂସ୍ଥାର ନିର୍ଦ୍ଦେଶକ। ସମିତା ‘ଇଣ୍ଟର୍‌ଫେସ୍‌’ ନାଟ୍ୟ ସଂସ୍ଥାର ଜଣେ ପ୍ରତିଷ୍ଠାତା ସଦସ୍ୟା ତଥା କାର୍ଯ୍ୟନିର୍ବାହୀ କମିଟିର ସଭ୍ୟା ଅଛନ୍ତି।

ଜୀବନରେ ନାଟକର ସ୍ୱାଦ
ଉଭୟେ ମନେକରନ୍ତି, ଦ୍ୱନ୍ଦ୍ୱ, ସଂଘାତ ଓ ସମ୍ମନ୍ଵୟ- ଏହି ଧାରାରେ ସୃଷ୍ଟି ଆଗେଇ ଚାଲିଛି। ଦ୍ୱନ୍ଦ୍ୱ ନ ଥାଇ ନାଟକ ନାହିଁ। ନାଟକରେ ଥାଏ ସମସ୍ୟା, ଯୁକ୍ତିତର୍କ ଓ ସମାଧାନ। ତେଣୁ କଳାକାରର ବାସ୍ତବ ଜୀବନରେ ଦ୍ୱନ୍ଦ୍ୱ, ସଂଘାତ ନ ହେବ କେମିତି! ଆମର ପ୍ରାୟ କଳିଝଗଡ଼ା ହୁଏ ନାହିଁ। ବେଳେବେଳେ କୌଣସି କଥାରେ ମନାନ୍ତର, ମତାନ୍ତର ହୋଇଥାଏ। ଶେଷରେ ସମନ୍ଵୟ ଆସେ। ନାଟକ ପାଇଁ ନିର୍ଦ୍ଦେଶକ ଓ ଅଭିନେତ୍ରୀ ମଧ୍ୟରେ ଯୁକ୍ତିତର୍କର କିଛି ଅର୍ଥ ରହିଛି। ଏଇଭଳି ଆମର ଜୀବନ।

ଉପସ୍ଥାପନା: ଅକ୍ଷୟ ସ୍ୱାଇଁ

ସମ୍ବନ୍ଧିତ ଖବର