‘ସାଣ୍ଡେଲଉଡ୍‌’ ଡ୍ରଗ ର‍୍ୟାକେଟ ମାମଲା: କନ୍ନଡ଼ ଅଭିନେତ୍ରୀ ସଞ୍ଜନା ଗଲ୍‌ରାନିଙ୍କୁ ଗିରଫ କରି ୫ ଦିନିଆ ରିମାଣ୍ଡରେ ନେଲା କେନ୍ଦ୍ରୀୟ କ୍ରାଇମ ବ୍ରାଞ୍ଚ

ବେଙ୍ଗାଲୁରୁ: ବହୁ ଚର୍ଚ୍ଚିତ ‘ସାଣ୍ଡେଲଉଡ୍‌’ ଡ୍ରଗ ର‍୍ୟାକେଟ ମାମଲାରେ କନ୍ନଡ ଅଭିନେତ୍ରୀ ସଞ୍ଜନା ଗଲ୍‌ରାନିିଙ୍କୁ ଆଜି କେନ୍ଦ୍ରୀୟ କ୍ରାଇମ୍‌ ବ୍ରାଞ୍ଚ୍‌ (ସିସିବି) ଗିରଫ କରିଛି। ଗିରଫ କରେ ଅଭିନେତ୍ରୀ ସଞ୍ଜନାଙ୍କୁ ଅଦାଲତରେ ହାଜର କରା ଯାଇଥିଲା। ହେଲେ, ବିଚାରପତି ତାଙ୍କର ଜାମିନ୍‌ ଖାରଜ କରି ପାଞ୍ଚ ଦିନ ପାଇଁ ତାଙ୍କୁ ସିସିବି ରିମାଣ୍ଡରେ ପଠାଇ ଦେଇଛନ୍ତି।
କେନ୍ଦ୍ରୀୟ କ୍ରାଇମ୍‌ ବ୍ରାଞ୍ଚ ଆଜି ସଞ୍ଜନାଙ୍କୁ ଗିରଫ କରିବା ପୂର୍ବରୁ ବେଙ୍ଗାଲୁରୁରେ ଥିବା ତାଙ୍କର ଦୁଇଟି ଘର ଚଢ଼ାଉ କରିଥିଲା। ଚଢ଼ାଉ କାଳରେ ବହୁ ଆପତ୍ତିଜନକ ସାମଗ୍ରୀ ତାଙ୍କ ଘରୁ ଜବତ କରିଥିଲା ସିସିବି।
ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ସଞ୍ଜନା ଘନିଷ୍ଠ ବନ୍ଧୁ ତଥା ରାଖୀ ଭାଇ ରାହୁଲଙ୍କୁ ଏହି ମାମଲାରେ ଗିରଫ କରାଯାଇଥିଲା। ରାହୁଲଙ୍କୁ ଗିରଫ କରିବା ପରେ ‘ସାଣ୍ଡେଲଉଡ୍‌’ ଡ୍ରଗ ର‍୍ୟାକେଟ କାରବାରରେ ସଞ୍ଜନାଙ୍କ ସଂପୃକ୍ତିର ପର୍ଦ୍ଦାଫାଶ ହୋଇଥିଲା। ପରେ, ସିସିବି ତନାଘନା ତଦନ୍ତ ଚଳାଇ ଆଜି ସଞ୍ଜନାଙ୍କୁ ଗିରଫ କରିଥିଲା।
ଗିରଫ ପରେ ତଦନ୍ତ କାଳରେ ସଞ୍ଜନା କହିଛନ୍ତି ଯେ ରାହୁଲ ମୋର ରାଖୀ ଭାଇ ଏବଂ ସେ ଜଣେ ଭଲ ବାଳକ। ସେ ମୋତେ ଆକ୍କା ବୋଲି ଡାକନ୍ତି ଏବଂ ରିଅଲ ଇଷ୍ଟେଟ ବ୍ୟବସାୟରେ ଅଛନ୍ତିଯ। ସେ ଜଣେ ମଜାଳିଆ ବ୍ୟକ୍ତି। ଡ୍ରଗ୍‌ କାରବାରରେ ତାଙ୍କର କିମ୍ବା ମୋର କୌଣସି ସମ୍ପର୍କ ନାହିଁ।
ସଞ୍ଜନାଙ୍କ ପୂର୍ବରୁ ସେପ୍ଟେଟର ୪ରେ କନ୍ନଡ ଅଭିନେତ୍ରୀ ରାଗିଣୀ ଦ୍ୱିବେଦୀଙ୍କୁ ପଚରାଉଚରା ପରେ ସିସିବି ଗିରଫ କରିଥିଲା। ପ୍ରଥମେ ରାଗିଣୀଙ୍କୁ ତିନି ଦିନିଆ ରିମାଣ୍ଡରେ ନେଇଥିବା ବେଳେ ଏହାକୁ ପାଞ୍ଚ ଦିନକୁ ବୃଦ୍ଧି କରିବାକୁ କୋର୍ଟ ସିସିବିକୁ ଅନୁମତି ଦେଇଛନ୍ତି।

‘ସାଣ୍ଡେଲଉଡ୍‌’ ଡ୍ରଗ ର‍୍ୟାକେଟ ମାମଲାରେ ସିସିବି ୧୨ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୬ ଜଣଙ୍କୁ ଗିରଫ କରି ସାରିଲାଣି। ଏମାନଙ୍କ ମଧ୍ୟରେ ଅଛନ୍ତି ରାଗିଣୀ ଦ୍ୱିବେଦୀ, ନିୟାଜ, ରବି ଶଙ୍କର, ରାହୁଲ, ବିରେନ ଖାନ୍ନା ଏବଂ ଜଣେ ଆଫ୍ରିକୀୟ ପେଡଲର।

ସମ୍ବନ୍ଧିତ ଖବର