ଟେଲିଭିଜନ୍‌ ଦୁନିଆରେ ଟେନିସ୍‌ ଖେଳାଳି ସାନିଆ ମିର୍ଜା

ଛଅ ଥର ଗ୍ରାଣ୍ଡ୍‌ ସ୍ଲାମ୍‌ ଚାମ୍ପିଅନ୍ ହୋଇଥିବା ସଫଳତମ ଭାରତୀୟ ଟେନିସ୍‌ ଖେଳାଳି ହେଉଛନ୍ତି ସାନିଆ ମିର୍ଜା। କ୍ରୀଡ଼ ଜଗତ୍‌ ପରେ ସାନିଆ ଏବେ ମନୋରଂଜନ ଜଗତ୍‌ରେ ଲୋକଙ୍କର ମନ ଜିଣିବାକୁ ଯାଉଛନ୍ତି। ସେ ତାଙ୍କ ସ୍ବାମୀ ତଥା ପାକିସ୍ତାନୀ କ୍ରିକେଟର୍‌ ସୋଏବ୍ ମଲିକଙ୍କ ସହିତ ଏକ ମନୋରଂଜନଧର୍ମୀ କାର୍ଯ୍ୟକ୍ରମ ଉପସ୍ଥାପନ କରିବେ ବୋଲି ସୋଏବ୍ କିଛି ଦିନ ତଳେ ସାମାଜିକ ଗଣମାଧ୍ୟମରେ ଘୋଷଣା କରିଥିଲେ। ଏହି କାର୍ଯ୍ୟକ୍ରମର ନାମ ‘ଦି ମିର୍ଜା-ମଲିକ ସୋ’।

ସାନିଆଙ୍କ କହିବା ଅନୁସାରେ ଥଟ୍ଟାମଜା, ଉପଭୋଗ ଓ ମନୋରଂଜନ ଏହି କାର୍ଯ୍ୟକ୍ରମର ତିନିଟି ମୁଖ୍ୟ ଉପାଦନ। ଏଥିରେ ସାନିଆ ଓ ସୋଏବଙ୍କ ଜୀବନର ଅନେକ ଅନାଲୋଚିତ ଦିଗ ଉନ୍ମୋଚିତ ହେବ। ଏଥିରେ ନିୟମିତ ଭାବେ ବିଭିନ୍ନ ଅତିଥି ଯୋଗ ଦେବେ। ଉଭୟ ସ୍ବାମୀ-ସ୍ତ୍ରୀ ଏହି କାର୍ଯ୍ୟକ୍ରମକୁ ନେଇ ଅତ୍ୟନ୍ତ ଉତ୍ସାହିତ। ଦୁବାଇର ଏକ ସାମ୍ବାଦିକ ସମ୍ମିଳନୀରେ ଏହି କାର୍ଯ୍ୟକ୍ରମର ଘୋଷଣା କରିବା ସମୟରେ ସାନିଆ କହିଥିଲେ ଯେ ଉଭୟେ ବହୁ ବର୍ଷରୁ ମନୋରଂଜନ ଦୁନିଆ ସହିତ ଯୋଡ଼ିହୋଇ ଅଛନ୍ତି। କିନ୍ତୁ ଏଥର ସେମାନେ ପ୍ରଥମ ଥର ପାଇଁ ସିଧାସଳଖ ଲୋକଙ୍କର ମନୋରଂଜନ କରିବେ। ଏହି କାର୍ଯ୍ୟରେ ତାଙ୍କୁ ଖୁବ୍ ମଜା ଲାଗିବ ବୋଲି ସାନିଆ ଆଶାବାଦୀ ଅଛନ୍ତି। ‘ଦି ମିର୍ଜା-ମଲିକ ସୋ’ ପାକିସ୍ତାନର ପ୍ରଥମ ଓଟିଟି ମଞ୍ଚ ‘ଉର୍ଦ୍ଦୂଫ୍ଲିକ୍‌ସ’ରେ ପ୍ରସାରିତ ହେବ।

ସମ୍ବନ୍ଧିତ ଖବର