୨୫ ବର୍ଷପରେ ସାମ୍ନାକୁ ଆସିଲା ସଂଜୁବାବା ଓ ମାଧୁରୀଙ୍କ ମଧ୍ୟରେ ପ୍ରେମର ପ୍ରକୃତ ରହସ୍ୟ

ମୁମ୍ବାଇ: ନବେ ଦଶକରେ ଯେତେବେଳେ ମାଧୁରୀ ଦୀକ୍ଷିତ ଜଣେ ଷ୍ଟାର୍‌ ବନିଥିଲେ, ସେତେବେଳେ ସେ ‘ ସାଜନ୍‌ ’ ସିନେମାରେ ସଞ୍ଜୟ ଦତ୍ତଙ୍କ ସହିତ କାମ କରିବାର ସୁଯୋଗ ପାଇଥିଲେ । ଏହାର ସୁଟିଂ ସମୟରେ ହିଁ ସଂଜୁବାବା ଓ ମାଧୁରୀଙ୍କ ମଧ୍ୟରେ ପ୍ରେମର ଅଙ୍କୁରୋଦଗମ ହୋଇଥିଲା । ଏହାପରେ ସେ ଦୁହେଁ ପୁଣି ସୁଭାଷ ଘାଇଙ୍କ ଖଳନାୟକ ( ୧୯୯୩ ) ରେ ମଧ୍ୟ ଅଭିନୟ କରିଥିଲେ । ଏତଦବ୍ୟତୀତ ଉଭୟେ ଖତରୋଁ କେ ଖିଲାଡି, ଥାନେ ଦାର୍‌ ଓ ସାହିବା ଆଦି ସିନେମାରେ ମଧ୍ୟ ଏକାଠି କାମ କରିଥିଲେ ।


ସେତେବେଳେ ଚର୍ଚ୍ଚା ହୋଇଥିଲା ଯେ ମାଧୁରୀଙ୍କୁ ସଂଜୁବାବା ବିବାହ କରିବେ ,ମାତ୍ର  ମାଧୁରୀ ସଂଜୁବାବାଙ୍କ ଠୁଁ ଦୂରେଇ ଯାଇଥିଲେ । ହେଲେ କାହିଁକି ସେଭଳି ଘଟିଥିଲା ତାହାର ଖୁଲାସା ଏବେ ହୋଇଛି। ସଞ୍ଜୟ ଦତ୍ତଙ୍କ ଜୀବନୀ ଆଧାରିତ ଏକ ପୁସ୍ତକରେ ତାହା ଲେଖା ହୋଇଛି। ଏଥିରୁ ଜଣାଯାଇଛି ଯେ ସଞ୍ଜୟ ଦତ୍ତଙ୍କ ପତ୍ନୀ ରିଚା କ୍ୟାନସରରେ ପୀଡ଼ିତ ହୋଇ ଆମେରିକାରେ ଚିକିତ୍ସିତ ହେଉଥିବା ବେଳେ ସଂଜୁବାବା ଓ ମାଧୁରୀଙ୍କ ମଧ୍ୟରେ ପ୍ରେମର ସୁରୁଆତ୍‌ ହୋଇଥିଲା।

 

ଏ ଖବର ପାଇବାମାତ୍ରେ ରିଚା ମୁମ୍ବାଇ ଫେରିଥିଲେ। ହେଲେ ଯେତେବେଳେ ସେ ଏବଂ ତାଙ୍କର ଝିଆ ତ୍ରିଶାଲା ମୁମ୍ବାଇ ବିମାନବନ୍ଦରରେ ଓହ୍ଲାଇଲେ ସେତେବେ ସେଠାରେ ସଞ୍ଜୟ ଦତ୍ତ ସେମାନଙ୍କୁ ନେବା ପାଇଁ ଉପସ୍ଥିତ ନ ଥିଲେ ବୋଲି ରିଚାଙ୍କ ଭଉଣୀ ଏନା ଏକ ସାକ୍ଷାତକାରରେ କହିଥିଲେ। ୧୯୯୨ରେ ରିଚା ଭଲ ହୋଇଥିଲେ ,କିନ୍ତୁ ପୁଣି ୧୯୯୩ରେ ଏଥିରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଥିଲେ। ସେସମୟରେ ମାଧୁରୀଙ୍କ ପିତାମାତା ବି ସଞ୍ଜୟ ଦତ୍ତଙ୍କ ସହ ସଂପର୍କକୁ ପସନ୍ଦ କରୁ ନଥିଲେ।  ଆକସ୍ମିକ ଭାବେ ସଞ୍ଜୟ ଦତ୍ତଙ୍କୁ ଜେଲ୍‌ ଯିବାକୁ ପଡିଥିଲା ଓ ମାଧୁରୀ ସଂଜୁବାବାଙ୍କ ଠୁଁ ଦୂରେଇ ଯାଇଥିଲେ ଏବଂ ଏହି ଘଟଣାର ଅନ୍ତ ଘଟିଥିଲା।

ସମ୍ବନ୍ଧିତ ଖବର