ଟେପ୍‌ ରେକର୍ଡ଼ରୁ ମାଆଙ୍କ କଥା ଶୁଣି ଚାରିରାତି କାନ୍ଦି କାନ୍ଦି ଶୋଇନଥିଲେ ସଂଜୟ ଦତ୍ତ!

ମୁମ୍ବାଇ: ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ‘ସଂଜୁ’ର ଦ୍ୱିତୀୟ ଗୀତ ରିଲିଜ୍‌ ହୋଇଯାଇଛି।ଏହି ଗୀତଟି ହେଲା ‘କର୍‌ ହର୍‌ ମୈଦାନ୍‌ ଫତେ ହେ….’।ଏହି ଗୀତଟି ରଣବୀର,ପରେଶ ରାଓ୍ଵଲ୍‌ ଓ ମନୀଷା କୋଇରାଲା ଉପରେ ପିକଚରାଇଜ୍‌ ହୋଇଛି। ‘ସଂଜୁ’ରେ ପରେଶ ରାଓ୍ଵଲ୍‌ ରଣବୀରଙ୍କ ବାପା ଓ ମନୀଷା ମାଆ ଭୂମିକାରେ ଅଭିନୟ କରିଛନ୍ତି।

ଏହି ଗୀତରେ ପରିବାର ସହିତ ସଂଜୟ ଦତ୍ତଙ୍କ କିଭଳି ନିବିଡ଼ ସଂପର୍କ ଥିଲା,ତା’ର ଝଲକ ଦେଖିବାକୁ ମିଳିଛି। ବାସ୍ତବ ଜୀବନରେ ସଂଜୟ ଦତ୍ତ ମାଆ ନର୍ଗୀସଙ୍କ ଅଧିକ ନିକଟତର ଥିଲେ। କିନ୍ତୁ ପରେ ସଂଜୟ ନିଶା ସେବନରେ ଲିପ୍ତ ହୋଇଥିଲେ।

ନର୍ଗୀସ ଯେତେବେଳେ କର୍କଟ ରୋଗରେ ପୀଡ଼ିତ ହୋଇ ଆମେରିକାରେ ଚିକିତ୍ସିତ ହେଉଥିଲେ, ସେତେବେଳେ ନିଶାସକ୍ତ ଥିଲେ ସଂଜୟ ଦତ୍ତ।

ସେହି ସମୟରେ ନର୍ଗୀସ୍‌ ଜାଣି ସାରିଥିଲେ ଯେ,ତାଙ୍କର ମୃତ୍ୟୁକୁ ଆଉ ବେଶୀ ସମୟ ନାହିଁ। ଏଣୁ ସେ ପୁଅ ସଂଜୁବାବାଙ୍କ ଉଦ୍ଦେଶ୍ୟରେ ତାଙ୍କ କଣ୍ଠ ସ୍ୱରରେ ଟେପ୍‌ରେ କେତୋଟି କଥା ରେକର୍ଡ଼ କରିଥିଲେ। ନର୍ଗୀସ ଭାବିଥିଲେ ଯେ ପୁଅ ତାଙ୍କର ମୃତ୍ୟୁପରେ ଏହି କଥା ଶୁଣି ହୁଏତ ନିଶା ସେବନକୁ ତ୍ୟାଗ କରିବ।

ନର୍ଗୀସଙ୍କ ମୃତ୍ୟୁର ଅଳ୍ପ କିଛି ଦିନ ପରେ ସଂଜୟ ଦତ୍ତଙ୍କ ପ୍ରଥମ ସିନେମା ‘ରକି’ ମୁକ୍ତିଲାଭ କରିଥିଲା। ମାଆଙ୍କ ମୃତ୍ୟୁର ତିନି ବର୍ଷ ପରେ ଟେପ୍‌ ରେକର୍ଡ଼ରେ ସଂଜୟ ଦତ୍ତ ନର୍ଗୀସ ଦତ୍ତଙ୍କର ସେହି ପୁରୁଣା କଥା ସବୁ ଶୁଣିଥିଲେ। ସେ ଅବୋଧ ଶିଶୁ ଭଳି କାନ୍ଦି କାନ୍ଦି ଚାରି ଦିନ ଯାଏଁ ଶୋଇ ନ ଥିଲେ।

ମାଆଙ୍କ କଣ୍ଠ ସ୍ୱର ଶୁଣି ସଂଜୟଙ୍କୁ ଅନୁଭବ ହେଲା ଯେ,ନର୍ଗୀସ ତାଙ୍କୁ କେତେ ଭଲ ପାଉଥିଲେ।

ସମ୍ବନ୍ଧିତ ଖବର