ପୂର୍ବତନ ରାଷ୍ଟ୍ରପତି ପରଭେଜଙ୍କୁ ଭେଟିବା ବେଳେ ବିବାଦରେ ଛନ୍ଦି ହେଲେ ସଞ୍ଜୟ ଦତ୍ତ

ନୂଆଦିଲ୍ଲୀ: ୨୦୧୬ ମସିହାରେ ହୋଇଥିବା ଉରି ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ସମ୍ପର୍କ ବିଗିଡ଼ିଥିଲା। ଭାରତରେ ପାକିସ୍ତାନୀ କଳାକାରମାନଙ୍କ ଉପରେ ପ୍ରତିବନ୍ଧକ ଲଗାଯିବା ସହ ଭାରତରେ ରହୁଥିବା କଳାକାରଙ୍କୁ ପାକିସ୍ତାନ ଚାଲିଯିବାକୁ କୁହାଯାଇଥିଲା। ଉରୀ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ଏହି ତିକ୍ତତା ଆଜି ବି ଜାରି ରହିଛି। ଏଭଳି ପରିସ୍ଥିତିରେ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କୁ ଭେଟିବା ଫଟୋ ତାଙ୍କୁ ବିବ‌ାଦ ଭିତରକୁ ଟାଣିଛି।

ଘରେ ଅସ୍ତ୍ରଶସ୍ତ୍ର ରଖିବା ଏବଂ ଆତଙ୍କବାଦୀଙ୍କୁ ସାହାଯ୍ୟ କରିବା ଅଭିଯୋଗରେ ଜେଲ ଯାଇସାରିଥିବା ସଞ୍ଜୟଙ୍କ ଏଭଳି କାମକୁ ଦେଖି ତାଙ୍କୁ ପୁଣି ଥରେ ଟ୍ରୋଲ କରାଯାଇଛି। ସଞ୍ଜୟ ଦତ୍ତଙ୍କ ଯେଉଁ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ସେଥିରେ ସେ ପରଭେଜ ମୁଶାରଫଙ୍କ ସହ ଥିବା ଦେଖାଯାଇଛି। ଦୁହିଁଙ୍କର ଏହି ସାକ୍ଷାତ ଦୁବାଇରେ ହୋଇଥିବା ବେଳେ ଏହି ଭାଇରାଲ ଫଟୋ ଦେଖିବା ପରେ ଅନେକ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ଭାଇରାଲ ଫଟୋରେ ପରଭେଜ ମୁଶାରଫ ହ୍ବିଲ୍ ଚେୟାରରେ ବସିଥିବା ବେଳେ ସଞ୍ଜୟ ଦତ୍ତ ଅନ୍ୟ କାହାକୁ ଦେଖି କିଛି କହୁଥିବାର ଦେଖାଯାଇଛି। ଏଭଳି ଫଟୋ ଭାଇରାଲ ପରେ ଲୋକେ ତାଙ୍କର ପୁରୁଣା କାମକୁ ମନେ ପକାଇ ତାଙ୍କୁ ଟ୍ରୋଲ କରିଛନ୍ତି। ତେବେ ଦୁହେଁ କୌଣସି ବିଷୟ‌ ଉପରେ ଆଲୋଚନା ପାଇଁ ଏକାଠି ହୋଇଥିଲେ କି ଆକସ୍ମିକ ଭାବେ ଦୁହିଁଙ୍କ ଦେଖା ହୋଇଥିଲା, ତାହା ଜଣାପଡ଼ିନାହିଁ।

ସମ୍ବନ୍ଧିତ ଖବର