‘ହେରାଫେରୀ-୩’ରେ ସଞ୍ଜୟ ଦତ୍ତଙ୍କ ଏଣ୍ଟ୍ରି, ମଜାଦାର ଚରିତ୍ରରେ ଆସିବେ ନଜର

ମୁମ୍ବାଇ: ଚର୍ଚ୍ଚାରେ ବଲିଉଡ ସୁପରଷ୍ଟାର ସଞ୍ଜୟ ଦତ୍ତ। ମିଳୁଛି ଗୋଟିଏ ପରେ ଗୋଟିଏ ବଡ଼ ବଜେଟର ଫିଲ୍ମ। କିଛି ଦିନ ପୂର୍ବରୁ ସଞ୍ଜୟଙ୍କୁ ଶାହରୁଖ ଖାନଙ୍କ ସହ ଫିଲ୍ମ ‘ଯବାନ’ରେ ଦେଖିବାକୁ ମିଳିବ ବୋଲି ଖବର ଆସିଥିଲା। ଏବେ କୁହାଯାଉଛି ଯେ ଫିଲ୍ମ ‘ହେରା ଫେରୀ’ ରେ ମଧ୍ୟ ତାଙ୍କର ଏଣ୍ଟ୍ରି ହୋଇଛି। ଏକଥା ବଲିଉଡର ଖଳନାୟକ ମଧ୍ୟ ନିଶ୍ଚିତ କରିଛନ୍ତି।

ସଞ୍ଜୟ ଦତ୍ତ ନିଶ୍ଚିତ କରିଛନ୍ତି ଯେ ସେ ଅକ୍ଷୟ କୁମାର ଏବଂ ସୁନୀଲ ସେଟ୍ଟୀଙ୍କ ଅଭିନୀତ ଚଳଚ୍ଚିତ୍ର ‘ହେରା ଫେରି’ ର ଏକ ଅଂଶ ହେବାକୁ ଯାଉଛି। ସେ ତାଙ୍କ ଚରିତ୍ର ବିଷୟରେ ସବିଶେଷ ତଥ୍ୟ ମଧ୍ୟ ଦେଇଛନ୍ତି। ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ୍ ଇଣ୍ଡିଆ ସହ ସାକ୍ଷାତକାର ସମୟରେ ସଞ୍ଜୟଙ୍କୁ ପଚରାଯାଇଥିଲା ଯେ ସେ ‘ହେରା ଫେରି’ ଚଳଚ୍ଚିତ୍ରରେ ଜଣେ ଅନ୍ଧ ଡନ୍ ଭୂମିକାରେ ଅଭିନୟ କରୁଛନ୍ତି କି? ଏହାର ଉତ୍ତରରେ ସଞ୍ଜୟ ଦତ୍ତ କହିଥିଲେ, ହଁ।

ତେବେ କୁହାଯାଉଛି ଯେ ଏହି ଚଳଚ୍ଚିତ୍ରରେ ସଞ୍ଜୟ ଦତ୍ତଙ୍କ ଭୂମିକା ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି। ଏହି ଚରିତ୍ରଟି ‘ୱେଲକମ’ ଚଳଚ୍ଚିତ୍ରରେ ଫିରୋଜ ଖାନଙ୍କ ଚରିତ୍ର ଆରଡିଏକ୍ସ ସହିତ ସମାନ ହେବ। ‘ହେରା ଫେରି’ ର ସୁଟିଂ ଚଳିତ ବର୍ଷ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହି ଫିଲ୍ମ ଲସ୍ ଆଞ୍ଜେଲସ୍, ଦୁବାଇ ଏବଂ ଆବୁଧାବିରେ ସୁଟିଂ କରାଯିବ।

ସମ୍ବନ୍ଧିତ ଖବର