ମୁମ୍ବାଇ: ବଲିଉଡ଼ ତାରକା ସଂଜୟ ଦତ୍ତ ତାଙ୍କ ମାଆ ନରଗିସ୍ ଦତ୍ତଙ୍କ ୮୧ ତମ ଜନ୍ମ ଦିବସ ଅବସରରେ ଏକ ନୂଆ କାମରେ ହାତ ଦେଇଛନ୍ତି। ସଂଜୁ ବାବା ପୁଣି ଥରେ ପ୍ରଯୋଜନାରେ ମନୋନିବେଶ କରିଛନ୍ତି।
ସଂଜୟ ଦତ୍ତ ଜୁନ୍ ୧ ତାରିଖରେ ନିଜ ମାଆ ତଥା ପ୍ରଖ୍ୟାତ ଅଭିନେତ୍ରୀ ନରଗିସ୍ ଦତ୍ତଙ୍କ ଜନ୍ମ ଦିବସରେ ନିଜର ନୂଆ ସିନେମାର ସୁଟିଂ ଆରମ୍ଭ କରିଛନ୍ତି। ଏହି ହିନ୍ଦୀ ସିନେମାଟି ହେଲା ଏକ ତେଲୁଗୁ ସୁପରହିଟ୍ ସିନେମା ‘ପ୍ରତିଷ୍ଠାନମ୍’ର ରିମେକ୍। ଏହି ସିନେମାରେ ନିଜେ ସଂଜୟ ଦତ୍ତ ନାୟକ ଭୂମିକାରେ ଅଛନ୍ତି। ତାଙ୍କ ବିପକ୍ଷରେ ମନିଷା କୋଇରାଲା ଅଛନ୍ତି ନାୟିକା ଭୂମିକାରେ। ଏତଦ୍ବ୍ୟତୀତ ଅଲି ଫୈଜଲ ସତ୍ୟଜିତ୍ ଦୁବେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି।
ସଂଜୟ ଦତ୍ତ ପ୍ରଡ଼କସନ୍ସ ପ୍ରାଇଭେଟ୍ ଲିମିଟେଡ଼୍ ଓ ଆକର୍ଷଣ ଏଣ୍ଟରଟେନ୍ମେଣ୍ଟ୍ ପ୍ରାଇଭେଟ୍ ଲିମିଟେଡ଼୍ର ମିଳିତ ପ୍ରଯୋଜନାରେ ନିର୍ମିତ ଏହି ହିନ୍ଦୀ ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ମୂଳ ତେଲୁଗୁ ସିନେମାର ନିର୍ଦ୍ଦେଶକ ଦେବା କୋଟ୍ଟା। ଏହା ଏକ ରାଜନୈତିକ ସିନେମା ବୋଲି ଜଣାଯାଇଛି। ଏହି ସିନେମା ଜରିଆରେ ପ୍ରାୟ ଦଶ ବର୍ଷ ବ୍ୟବଧାନରେ ସଂଜୟ ଦତ୍ତ ଓ ମନିଷା କୋଇରାଲାଙ୍କ ଯୋଡ଼ି ପରଦାକୁ ଫେରୁଛନ୍ତି।
ତେଲୁଗୁ ସିନେମା ‘ପ୍ରତିଷ୍ଠାନମ୍’ରେ ସର୍ବାନନ୍ଦ,ସାଇ କୁମାର,ସନ୍ଦୀପ କିଶନ୍ ଓ ରବି ପରିହାର୍ ପ୍ରମୁଖ ମୁଖ୍ୟ ଭୂମିକାରେ ଥିଲେ।
ଏଠାରେ ସୂଚନାଯୋଗ୍ୟ ଯେ, ସଂଜୟ ଦତ୍ତ ‘ପ୍ରତିଷ୍ଠାନମ୍’ବ୍ୟତୀତ ‘ତୋରବାଜ୍’,‘କଂଲଙ୍କ’,‘ସମ୍ସେରା’ ଓ ‘ପାନିପତ୍’ ଆଦି ସିନେମାରେ ମଧ୍ୟ ଅଭିନୟ କରୁଛନ୍ତି।