ଫେରୁଛନ୍ତି ସନମୀରା, ଜାଣନ୍ତୁ ତାଙ୍କ ନୂଆ ସିନେମାର ଶୀର୍ଷକ କ’ଣ ଓ କିଏ ତାଙ୍କର ନାୟକ

ଭୁବନେଶ୍ବର: ବେଶ କିଛି ମାସ ହେବ ଓଡ଼ିଆ ସିନେ ଜଗତର ଚୁଲୁବୁଲି ନାୟିକା ସନମୀରାଙ୍କୁ କୌଣସି ସିନେମାରେ ଦେଖିବାକୁ ମିଳି ନାହିଁ। ସେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି, ତଥାପି ତାଙ୍କ ହାତ ଖାଲି! ସନମୀରାଙ୍କ ଏକ ଫିଲ୍ମ ‘ତୋ’ ଇଶ୍କରେ’ ଅଧାରେ ଅଟକି ରହିଛି । ମହୁରତ୍ ପରେ ଏହି ସିନେମାର କାମ ଆଗେଇ ନାହିଁ। ଏହାର ନିର୍ଦେଶକ ହେଲେ ଏନ୍ ପାଢ଼ୀ। ଏହି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାସ ଓ ବଦ୍ରି ମହାନ୍ତି। ଅନ୍ୟମାନଙ୍କ ମଧ୍ୟରେ ମିହିର ଦାସ, ଅସିତ ପତି ଓ ଗୁଡୁ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଥିଲେ। ଏହାପରେ ତାଙ୍କର କ୍ୟାରିଅର୍ ଧିମେଇ ଯାଇଥିଲା। ତେବେ ସେ ଯାହା ହେଉନା କାହିଁକି ସନମୀରାଙ୍କ ହାତରେ ଏବେ ଏକ ସିନେମା ଅଛି। ଏହାର ଶୀର୍ଷକ ହେଲା ‘ଗୁପଚୁପ୍’।

ଏହି ନୂଆ ଓଡ଼ିଆ ସିନେମାରେ ଦର୍ଶକ ପୁଣି ଥରେ ପାଇଁ ନାୟକ ଅମ୍ଳାନଙ୍କ ବିପକ୍ଷରେ ଚୁଲୁବୁଲି ନାୟିକା ସନମୀରାଙ୍କୁ ଦେଖିବାକୁ ପାଇବେ। ଅମ୍ଳାନଙ୍କ ସହ ପୂର୍ବରୁ ସନମୀରା ‘ସପନର ପଥେ ପଥେ’ ସିନେମାରେ ନଜର ଆସିଥିଲେ। ‘ଗୁପଚୁପ୍’ ଆଗାମୀ ବର୍ଷ ରଜ ଅବସରରେ ରିଲିଜ୍ ହେବ ବୋଲି ଜଣାଯାଇଛି। ସୂଚନାଯୋଗ୍ୟ, ସନମୀରା ‘ସପନର ପଥେ ପଥେ’  ଜରିଆରେ ନାୟିକା ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ।ଏହାପରେ ତାଙ୍କୁ ‘ଲୈଲା ଓ ଲୈଲା’ ଏବଂ ‘ଲୋକାଲ୍ ଟୋକା ଲଭ୍ ଚୋଖା’ ଆଦି ସିନେମାରେ ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର