ନୂଆଦିଲ୍ଲୀ: ଏଣିକି ସଂସ୍କୃତରେ ଆପଣ ଖବର ଶୁଣିପାରିବେ | ଏଥିପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ପଦକ୍ଷେପ ନିଆଯାଇଛି | ଅଲ ଇଣ୍ଡିଆ ରେଡିଓ (AIR) ଶନିବାରଠାରୁ ସଂସ୍କୃତରେ ଏହାର ପ୍ରଥମ 'ସମ୍ବାଦ ପତ୍ରିକା' ବୁଲେଟିନ୍ ପ୍ରସାରଣ ଆରମ୍ଭ କରିଛି। ଏହି ବୁଲେଟିନରେ ସଂସ୍କୃତ ଭାଷାରେ ସପ୍ତାହ ଯାକର ମୁଖ୍ୟ ଖବର ସ୍ଥାନ ପାଇବ |
'ସଂସ୍କୃତ ସାପ୍ତାହିକ' ନାମକ ଏହି ବୁଲେଟିନ୍, ପ୍ରତି ଶନିବାର ପ୍ରସାରିତ କରାଯିବ ଯାହାର ଅବଧି ପ୍ରାୟ ୨୦ ମିନିଟ୍ ରହିଛି | ଅଲ୍ ଇଣ୍ଡିଆ ରେଡିଓର ଏଫ୍ଏମ୍ ନ୍ୟୁଜ୍ ଚ୍ୟାନେଲ୍ (୧୦୦.୧ ମେଗାହର୍ଜ ଫ୍ରିକ୍ୱେନ୍ସି) ରେ ଶୁଣିବାକୁ ମିଳିବ ଏବଂ ରବିବାର ଦିନ ଏହା ପୁନର୍ବାର ପ୍ରସାରିତ ହେବ |
ଏହି କାର୍ଯ୍ୟକ୍ରମରେ ସପ୍ତାହର ପ୍ରମୁଖ ଖବର ସହିତ ସଂସ୍କୃତ ସାହିତ୍ୟ, ଦର୍ଶନ, ଇତିହାସ, କଳା ଏବଂ ସଂସ୍କୃତିର ମାନବିକ ମୂଲ୍ୟବୋଧକୁ ସ୍ଥାନ ଦିଆଯିବ ବୋଲି ଅଲ ଇଣ୍ଡିଆ ରେଡ଼ିଓ ପକ୍ଷରୁ କୁହାଯାଇଛି | ବିଶେଷ ୨୦ ମିନିଟର ଏହି କାର୍ଯ୍ୟକ୍ରମରେ ଶିଶୁ ଏବଂ ଯୁବକମାନଙ୍କ ସ୍ୱରକୁ ସ୍ଥାନ ଦିଆଯିବ | ଭାରତୀୟ ପରମ୍ପରା ଏବଂ ସଂସ୍କୃତି ଉପରେ ସେମାନଙ୍କର ମତାମତ ଉପସ୍ଥାପନ କରାଯିବ।