ସାରା-ଶାହରୁଖ ମୁହାଁମୁହିଁ: କାହାକୁ ମିଳିବ ସମର୍ଥନ? ନବାଗତା ସାରାଙ୍କୁ ନା ବଲିଉଡ୍‌ ବାଦ୍‌ଶାହାଙ୍କୁ?

ମୁମ୍ବାଇ: ଶୀର୍ଷକଟି ପଢ଼ିଲା ପରେ ଆପଣ ଦ୍ୱନ୍ଦ୍ୱରେ ପଡ଼ି ଯାଇଥିବେ ନିଶ୍ଚୟ। ସୈଫ୍‌ଙ୍କ ଲାଡଲୀ ସାରାଙ୍କ ସହ କିଙ୍ଗ୍‌ଖାନଙ୍କର କ’ଣ ଶତ୍ରୁତା! ତେବେ ଆପଣ ନିଶ୍ଚିତ ରୁହନ୍ତୁ। ବ୍ୟକ୍ତିଗତ ସ୍ତରରେ ଶାହାରୁଖ ଖାନ ଏବଂ ସାରା ଅଲ୍ଲୀ ଖାନ୍‌ଙ୍କର କୌଣସି ଶତ୍ରୁତା ନାହିଁ। ମାତ୍ର ବୃତ୍ତିଗତ ଦୃଷ୍ଟିରୁ ଦେଖିବାକୁ ଗଲେ ଦୁହେଁ ଦୁହିଁଙ୍କର ପ୍ରତିଦ୍ୱନ୍ଦ୍ୱୀ। କାହିଁକି ନା, ଗୋଟାଏ ତାରିଖ ଅର୍ଥାତ ଡିସେମ୍ବର ୨୧ ତାରିଖରେ ଏକା ସାଙ୍ଗରେ ମୁକ୍ତିଲାଭ କରିବ ସାରା ଅଲ୍ଲୀ ଖାନ୍‌ଙ୍କ ଡେବ୍ୟୁ ଚଳଚ୍ଚିତ୍ର ‘କେଦାରନାଥ’ ଏବଂ ଏକ ବାମନ ଭୂମିକାରେ ନଜର ଆସିଥିବା ଶାହାରୁଖଙ୍କର ଏକ ଚଳଚ୍ଚିତ୍ର। ଦେଖିବାକୁ ବାକି ରହିଲା ଦର୍ଶକ କାହାକୁ ସମର୍ଥନ କରିବେ। ନବାଗତା ସାରାଙ୍କୁ ନା କିଙ୍ଗ୍‌ଖାନଙ୍କୁ। କେଉଁ ଚଳଚ୍ଚିତ୍ରଟି ଦର୍ଶକଙ୍କୁ ଆକୃଷ୍ଟ କରିବ ତାହା ରିଲିଜ୍‌ ହେବା ପରେ ହିଁ ଜଣାପଡ଼ିବ।

ଉଲ୍ଲେଖଯୋଗ୍ୟ, ‘କେଦାରନାଥ’ ଚଳଚ୍ଚିତ୍ରରେ ସାରାଙ୍କ ବିପକ୍ଷରେ ଦେଖିବାକୁ ମିଳିବେ ସୁଶାନ୍ତ ସିଂହ ରାଜପୁତ। ଚଳଚ୍ଚିତ୍ର ନିର୍ଦ୍ଦେଶକ ଅଭିଷେକ କପୁର୍‌ ନିଜ ଟୁଇଟର୍‌ ଆକାଉଣ୍ଟ୍‌ରେ ଆନୁଷ୍ଠାନିକ ଭାବେ ରିଲିଜ୍‌ ତାରିଖ ଘୋଷଣା କରିଛନ୍ତି। ସାରାଙ୍କ ଚଳଚ୍ଚିତ୍ର ଲୋକପ୍ରିୟତାର ଶୀର୍ଷ ଛୁଇଁବ ବୋଲି ପିତା ସୈଫ୍‌ ଅଲ୍ଲୀ ଖାନ୍‌ ବିଶ୍ୱାସ ରଖିଛନ୍ତି।

ତେବେ, ଶାହାରୁଖ ଅଭିନୟ କରିଥିବା ଚଳଚ୍ଚିତ୍ରରେ ଅନ୍ୟ ଦୁଇ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବେ ଅନୁଷ୍କା ଶର୍ମା ଏବଂ କ୍ୟାଟ୍ରିନା କୈଫ୍‌। ଏହି ୩ ଜଣ ପୂର୍ବରୁ ‘ଜବ୍‌ ତକ୍‌ ହୈ ଜାନ୍‌’ ଚଳଚ୍ଚିତ୍ରରେ ଏକତ୍ର କାର୍ଯ୍ୟ କରି ସାରିଛନ୍ତି।

ସମ୍ବନ୍ଧିତ ଖବର