ମୁମ୍ବାଇ: ୨୦୧୮ର ଅନ୍ୟତମ ବହୁ ପ୍ରତୀକ୍ଷିତ ସିନେମା ତାଲିକାରେ ରହିଛି ‘କେଦାରନାଥ’। ଏକତା କପୁର ,ଭୂଷଣ କୁମାର ଏବଂ କିଶନ କୁମାରଙ୍କ ପ୍ରଯୋଜିତ ଏହି ସିନେମାର ନିର୍ଦ୍ଦେଶନା ଦେଉଛନ୍ତି ଅଭିଷେକ କପୁର। ଏବେ‘କେଦାର୍ନାଥ୍’ର ପୂରା ଟିମ୍ ସୁଟିଂ ଲାଗି ଉତ୍ତରାଖଣ୍ଡରେ ଅଛନ୍ତି। ଏହି ସିନେମାର ସୁଟିଂ ବି ଚାଲିଛି ଜୋରସୋରରେ। ହେଲେ ତା’ଭିତରେ ଗୋଟିଏ ଖରାପ ଖବର ଆସିଛି ଯେ ଏହାର ରିଲିଜ୍ ତାରିଖ ଗଡ଼ିବ।
ପୂର୍ବରୁ କୁହାଯାଉଥିଲା ଯେ ଏହା ଆର ବର୍ଷ ମାର୍ଚ୍ଚ ମାସରେ ପରଦାକୁ ଆସିବ। ହେଲେ ଏବେ ଖବର ମିଳିଲାଣି ଯେ ତାହା ସମ୍ଭବ ନୁହେଁ କାରଣ ନିର୍ଦ୍ଦେଶକ ସିନେମାରେ ଯେଉଁ ଭଳି ବନ୍ୟା ଦୃଶ୍ୟ ରଖିଛନ୍ତି ତାହା ଏବେ ଉତ୍ତରାଖଣ୍ଡରେ ସୁଟ୍ କରିବା ସମ୍ଭବପର ନୁହେଁ। ପ୍ରଯୋଜକ ଏହାକୁ କୃତ୍ରିମ ଉପାୟରେ ମୁମ୍ବାଇରେ ସୁଟ୍ କରିବାକୁ ଚାହିଁଲେ ସେଥିଲାଗି ଲକ୍ଷ ଲକ୍ଷ ଲିଟର ଜଳ ଦରକାର ହେବଯାହା ଦେବାକୁ ମୁମ୍ବାଇ ମହାନଗର ମନା କରିବ। ଏଣୁ ଅନ୍ୟ କୌଣସି ରାଜ୍ୟରେ ଏହାର ସୁଟିଂ କରିବାକୁୁ ପଡ଼ିବ। ତା’ଛଡ଼ା ଏଥିପାଇଁ ଭି ଏଫଏକ୍ସର ପ୍ରୟୋଗ ହେବ ଯାହର କାମ କେବଳ ଆମେରିକାରେ ସମ୍ଭବ। ଏସବୁ ଦେଖିଲେ ଲାଗୁଛି ‘କେଦାରନାଥ’ର ରିଲିଜ୍ ତାରିଖ ବଦଳିବ। ଏଠାରେ ସୂଚନାଯୋଗ୍ୟ ଯେ ଗତମାସରେ ସିନେମାର ପ୍ରଥମ ଲୁକ୍ ଲଞ୍ଚ ହୋଇଛି। ଏଥିରେ ନାୟିକା ସାରା ଅଲ୍ଲୀ ଖାନ୍ ହାତରେ ଛତା ଧରିଥିବାର ଦେଖିବାକୁ ମିଳିଥିଲା।
/sambad/media/post_attachments/wp-content/uploads/2017/11/sara_krisma_1.jpg)
ମଝିରେ ଏକ ଖରାପ ଖବର ବି ବଲିଉଡରେ ଚର୍ଚ୍ଚାର ବିଷୟ ହୋଇଥିଲା। ତାହା ହେଲା ଯେ ସିନେମାର ନାୟିକା ସାରା ଅଲ୍ଲୀ ଖାନ୍ ନଖରାମି ଦେଖାଇଲେଣି। ସୂଚନା ମିଳିଥିଲା ଯେ ସାରା ଅଧିକାଂଶ ଦିନ ସେଟରେ ଡେରିରେ ପହଞ୍ଚୁଛନ୍ତି। ସେ ସଟ୍ ଦେବାପୂର୍ବରୁ ମେକ ଅପ୍ ପାଇଁ ବି ଅଧିକ ସମୟ ନେଉଛନ୍ତି। ଫିଲ୍ମର ସୁଟିଂ ଅପେକ୍ଷା ନିଜର ଲୁକ୍ ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି ସେ। ଖାଲି ସେତିକି ନୁହେଁ ସେ ନିଜର ଲୁକ୍କୁ ଅନ୍ୟଜଣଙ୍କୁ ସୋସିଆଲ୍ ମିଡିଆରେ ଦେଖାଇ ସେଠାରୁ ସବୁଜ ସଙ୍କେତ ମିଳିବାପରେ ସେଟକୁ ଆସୁଛନ୍ତି। ଏହାକୁ ନେଇ ନିର୍ଦ୍ଦେଶକ ଅଭିଷେକ କପୁର ଖୁବ୍ ଚିନ୍ତିତ ଥିବା କୁହାଯାଉଥିଲା।‘କେଦାର୍ନାଥ୍’ରେ ସୁଶାନ୍ତ ସିଂହ ରାଜପୁତ୍ମେଲ୍ ଲିଡରେ ଅଛନ୍ତି।
କିଛି ଦିନତଳେ ସାରାଙ୍କ ବାପା ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ଝିଅ ଉଦ୍ଦେଶ୍ୟରେ କେତେକ ଟିପସ୍ ଦେଇଥିଲେ। ସେ ପରାମର୍ଶ ଦେଇଥିଲେ କି ବଲିଉଡରେ ଗସିପ୍ ଚାଲିଥାଏ ।ଏଥିରୁ ସାରା ବି ବାଦ୍ ପଡ଼ିବେ ନାହିଁ। କିନ୍ତୁ ଏହାକୁ ଗୁରୁତ୍ୱ ନ ଦେବା ଲାଗି ସୈଫ ସାରାଙ୍କୁ ପରାମର୍ଶ ଦେଇଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ସୁଶାନ୍ତ ସିଂହ ରାଜପୁତ୍ ଜଣେ ଭଲ ହିରୋ ଏବଂ ଅଭିଷେକ କପୁର ଜଣେ ଭଲ ନିର୍ଦ୍ଦେଶକ। ସବୁଠୁ ବଡ଼ କଥା ହେଲା ସେ ସାରା ଭଲ ପରିବେଶରେ ବଢ଼ିଛନ୍ତି। ଏଣୁ ସେ ନମ୍ର ଏବଂ ସମସ୍ତଙ୍କୁ ସମ୍ମାନ ଦେଇ ଜାଣନ୍ତି। ସୈଫ୍ ନିଜ ଝିଅକୁ ଅନ୍ୟ ଏକ ପରାମର୍ଶ ବି ଦେଇଥିଲେ। ତାହା ହେଲା ଯେ ବଲିଉଡରେ ପ୍ରବଳ ପ୍ରତିଦ୍ୱନ୍ଦିତା ଚାଲିଛି। ଏଣୁ ସେଥିରେ ସାମିଲ ନ ହୋଇ ବରଂ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିବାରେ ମନ ଦିଅନ୍ତୁ ବୋଲି କହିଛନ୍ତି ଅଭିନେତା ସୈଫ୍ ଅଲ୍ଲୀ ଖାନ୍ । କୌଣସି ବିପରୀତ ପରିସ୍ଥିତିରେ ବି ବିଚଳିତ ନ ହେବାକୁ କହିଛନ୍ତି। ସୈଫ୍ ଆଶାବାଦୀ ଯେ ସାରା ଜଣେ ଭଲ ଅଭିନେତ୍ରୀ ହେବେ।