ସହିଦ ସରବଜିତ ସିଂଙ୍କ ଭଉଣୀ ଦଲବୀର କୌରଙ୍କ ଦେହାନ୍ତ, ଶେଷ ଦର୍ଶନ ପାଇଁ ପହଞ୍ଚିଲେ ରଣଦୀପ ହୁଡ୍ଡା

ନୂଆଦିଲ୍ଲୀ: ପାକିସ୍ତାନର କୋଟ କଲାଖପତ ଜେଲରେ ସହିଦ ହୋଇଥିବା ସରବଜିତ ସିଂଙ୍କ ଭଉଣୀ ବିବି ଦଲବୀର କୌର ଅଟବାଲଙ୍କ ଦେହାନ୍ତ ହୋଇଛି। ଶନିବାର ରାତିରେ ଅମୃତସରର ଏକ ଘରୋଇ ଡାକ୍ତରଖାନାରେ ଦଲବୀର କୌର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କର ଶେଷ ରୀତିନୀତି ରବିବାର ଦିନ ଭିକବିନ୍ଦରେ କରାଯାଇଥିଲା। ଏହି ଅବସରରେ ବଲିଉଡ ଅଭିନେତା ରଣଦୀପ ହୁଡ୍ଡା ପହଞ୍ଚି ପରିବାରକୁ ସମବେଦନା ଜଣାଇବା ସହ ଦଲବୀରଙ୍କୁ ଶେଷ ବିଦାୟ ଦେଇଥିଲେ।

୨୦୧୬ ମସିହାରେ ନିର୍ଦ୍ଦେଶକ ଉମଙ୍ଗ କୁମାର ସରବଜିତଙ୍କ ଜୀବନୀ ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ଏହି ଚଳଚ୍ଚିତ୍ରରେ ସରବଜିତଙ୍କ ଭୂମିକାରେ ରଣଦୀପ ହୁଡ୍ଡା ଅଭିନୟ କରିଥିଲେ। ଏହା ସହ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ତାଙ୍କ ଭଉଣୀ ଦଲବୀର କୌରଙ୍କ ଭୂମିକାରେ ଦେଖିବାକୁ ମିଳିଥିଲା। ରିଚା ଚଢ଼ା ଏବଂ ଦର୍ଶନ କୁମାରଙ୍କ ପରି ଭଲ କଳାକାରମାନେ ଏହି ଚଳଚ୍ଚିତ୍ରରେ ସହ କଳାକାର ଭାବେ ଅଭିନୟ କରିଥିଲେ। ଫିଲ୍ମରେ ରଣଦୀପଙ୍କ ଭୂମିକାକୁ ଦର୍ଶକ ପସନ୍ଦ କରିଥିବା ବେ‌ଳେ ଫିଲ୍ମଟି ଭଲ ବ୍ୟବସାୟ କରିଥିଲା।

ସରବଜିତ୍ ପଞ୍ଜାବର ଭିକିୱିନ୍ଦର ବାସିନ୍ଦା ଥିଲେ। ବୃତ୍ତି ଅନୁଯାୟୀ ସେ ଜଣେ କୃଷକ ଥିଲେ। ସରବଜିତ ସିଂ ଦିନେ ଭୁଲବଶତଃ ଭାରତର ସୀମା ପାର ହୋଇ ପାକିସ୍ତାନରେ ପହଞ୍ଚିଯାଇଥିଲେ। ଏଠାରୁ ତାଙ୍କୁ ପୁଲିସ ଧରି କୋର୍ଟରେ ଉପସ୍ଥାପନ କରିଥିଲା। ପାକିସ୍ତାନରେ ହୋଇଥିବା ବୋମା ବିସ୍ଫୋରଣର ଅଭିଯୁକ୍ତ କହି ପୁଲିସ କୋର୍ଟକୁ କହିଥିଲା ଯେ, ସରବଜିତ ଭାରତର ଗୁପ୍ତଚର ଏବଂ ମନଜିତ ସିଂ ହୋଇ ସେ ଭାରତରୁ ପାକିସ୍ତାନକୁ ଆସିଛନ୍ତି। ଏହା ପରେ ତାଙ୍କୁ ୨୨ବର୍ଷ ବିନା ଦୋଷରେ ଜେଲରେ ରହିବାକୁ ପଡ଼ିଥିଲା। ପରେ ଯେତେବେଳେ ସବୁ ସତ ସାମ୍ନାକୁ ଆସିଲା ଏବଂ ତାଙ୍କୁ ଭାରତ ଫେରାଇ ଆଣିବା ପାଇଁ ଅଭିଯାନ ଆରମ୍ଭ ହେଲା, ସେତେବେଳେ ଜେଲରେ ହିଁ ତାଙ୍କର ହତ୍ୟା କରିଦିଆଯାଇଥିଲା।

ସମ୍ବନ୍ଧିତ ଖବର