ଓଡ଼ିଆ ଚଳଚ୍ଚିତ୍ରର ଲୋକପ୍ରିୟ ନିର୍ଦ୍ଦେଶକ ତାପସ ସରଘରିଆଙ୍କୁ ଏବେ ଅଭିନୟ ନିଶା ଘାରିଥିଲା ଭଳି ମନେ ହେଉଛି। ଦର୍ଶକ ଚଳିତ ବର୍ଷ ‘ଚନ୍ଦ୍ରବଂଶୀ’ ଓ ‘କର୍ମ’ରେ ତାଙ୍କୁ ଅଭିନୟରେ ଦେଖିବାକୁ ପାଇଛନ୍ତି। ଗତ ରଜରେ ମୁକ୍ତିଲାଭ କରିଥିବା ୟଶ-ସୁନୀଲଙ୍କ ନିର୍ଦ୍ଦେଶିତ ‘ଚନ୍ଦ୍ରବଂଶୀ’ ସିନେମାରେ ତାଙ୍କ ଖଳନାୟିକୀ ଦର୍ଶକଙ୍କୁ ଖୁବ୍ ପ୍ରଭାବିତ କରିଥିଲା। ଏଥିରେ ଜଣେ ମାଫିଆ ଭୂମିକାରେ ଥିବା ତାପସଙ୍କ ଉର୍ଦ୍ଦୁ ସଂଳାପ ବେଶୀ ଚର୍ଚ୍ଚାର ବିଷୟ ହୋଇଥିଲା। ଏଣେ ପୁଣି ତାପସ ସରଘରିଆ ଅନୁପମ ପଟ୍ଟନାୟକଙ୍କ ‘କର୍ମ’ରେ ବି ଅଭିନୟ କରିଛନ୍ତି।
ତେଣେ ପୁଣି ଏକ ନୂଆ ସିନେମାରେ ବି ତାପସଙ୍କୁ ପରଦାରେ ଦେଖିବାକୁ ମିଳିବ। ପ୍ରଖ୍ୟାତ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ନୂଆ ସିନେମା ‘ରାଣ୍ଡି ପୁଅ ଅନନ୍ତା’ରେ ସେ ଗାଁ ଚଉକିଆ ଝପଟ୍ ସିଂହ ଚରିତ୍ରରେ ଅଭିନୟ କରିଛନ୍ତି। ଚରିତ୍ରଟି ମୂଳତଃ ନକାରାତ୍ମକ ହୋଇଥିଲେ ବି ଶେଷରେ ସକାରାତ୍ମକ ହୋଇଯାଇଛି।
କାହିଁକି ଏଥିରେ କାମ କରିବାରୁ ରାଜି ହେଲେ ବୋଲି ପ୍ରଶ୍ନ କରିବାରୁ ତାପସ କହନ୍ତି, ‘ରାଣ୍ଡିପୁଅ ଅନନ୍ତା’ରେ ଅଭିନୟ କରିବା ପଛରେ କେତୋଟି କାରଣ ରହିଛି। ପ୍ରଥମ କଥା ପ୍ରଖ୍ୟାତ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ସହ କାମ କରିବାର ସୁଯୋଗ। ଦ୍ବିତୀୟ କଥା ହେଲା, ମୁଁ ଓ ସବ୍ୟସାଚୀ ‘ପାଗଳପ୍ରେମୀ’ ସିନେମାରୁ କ୍ୟାରିଅର୍ ଆରମ୍ଭ କରିଥିଲୁ। ତେଣୁ ସବ୍ୟସାଚୀଙ୍କ ସହ ଅଭିନୟର ସୁଯୋଗ ବି ମିଳିବ। ଆଉ ବ୍ୟାସକବି ଫକୀରମୋହନ ସେନାପତିଙ୍କ କାଳଜୟୀ ଗଳ୍ପ ‘ରାଣ୍ଡି ପୁଅ ଅନନ୍ତା’ ଉପରେ ଆଧାରିତ ଏହି ସିନେମାର ଅଂଶ ହେବାର ସୁଯୋଗକୁ ହାତଛଡ଼ା କରିବାକୁ ଚାହିଲି ନାହିଁ। ଏହି ସିନେମା ପାଇଁ ମୋତେ ହରିଶଙ୍କରରେ ୧୨ ଦିନ ସୁଟିଂ କରିବାକୁ ପଡ଼ିଥିଲା। ଆଉ ଅଭିନେତା ଭାବେ ଏହା ମୋତେ ଢେର୍ ଆତ୍ମସନ୍ତୋଷ ଦେଇଛି ।