ନିର୍ମଳାରୁ କେମିତି ହେଲେ ସରୋଜ

ବିଦାୟ ମାଷ୍ଟର ଜୀ

ଭାରତ ବିଭାଜନ ପରେ ସରୋଜଙ୍କ ବାପା ମା’ ଭାରତକୁ ଚାଲି ଆସିଲେ। ବାପା କିଷନଚାନ୍ଦ ସାଧୁ ଜଣେ ପଞ୍ଜାବୀ ଓ ମା’ ନୋନି ଥିଲେ ସିନ୍ଧି। ସରୋଜଙ୍କ ପିତାମାତା ରକ୍ଷଣଶୀଳ ମନୋଭାବସମ୍ପନ୍ନ ଥିଲେ। ତାଙ୍କ ବାପା ଚାହୁ ନଥିଲେ ଝିଅ ଯାଇ କେଉଁଠି ନୃତ୍ୟ କରୁ। ତେଣୁ ତାଙ୍କ ପରିବାରର କେହି ନୃତ୍ୟ କରୁଛି ବୋଲି ଯେମିତି କେହି ନଜାଣିବେ ସେଥିପାଇଁ ତାଙ୍କ ବାପା ନିର୍ମଳାରୁ ସରୋଜ କରିଦେଲେ।

୧୩ ବର୍ଷରେ ବିବାହ କଲେ, ଜାଣିନଥିଲେ ସ୍ବାମୀ ପୂର୍ବରୁ ୪ ଛୁଆର ବାପା
ସରୋଜ ଖାନ ପେସାଗତ ନୃତ୍ୟ ଆରମ୍ଭ କରିଥିଲେ କୋରିଓଗ୍ରାଫର ବି.ସୋହନଲାଲଙ୍କ ସହ। ୧୩ ବର୍ଷ ବୟସରେ ସେ ୪୧ ବର୍ଷୀୟ ବି.ସୋହନଲାଲଙ୍କୁ ବିବାହ କଲେ। ଶ୍ରୀ ସୋହନଲାଲ କିନ୍ତୁ ନିଜେ ବିବାହିତ ଓ ତାଙ୍କର ୪ଟି ଛୁଆ ଅଛି ବୋଲି ସରୋଜଙ୍କୁ ଜଣାଇ ନଥିଲେ। ସରୋଜ ପ୍ରଥମ ପୁତ୍ର ସନ୍ତାନ ରଜୁ ଖାନଙ୍କୁ ଜନ୍ମ ଦେବା ପରେ ଏ ବିଷୟ ଜାଣିବାକୁ ପାଇଲେ। ସୋହନଲାଲ ତାଙ୍କ ପିଲାର ନାମକୁ ନିଜ ନାମରେ ନକରାଇବାରୁ ଦୁହେଁ ଅଲଗା ହୋଇଗଲେ। ପରେ ସୋହନଲାଲ ସରୋଜଙ୍କ ଜୀବନରୁ ସମ୍ପୂର୍ଣ୍ଣ ଭାବେ ଚାଲି ଯାଇଥିଲେ।

ସରୋଜଙ୍କ ବିନା ମାଧୁରୀ ଓ ଶ୍ରୀଦେବୀଙ୍କ ମ୍ୟାଜିକ୍ ଅସମ୍ପୂର୍ଣ୍ଣ
ଲକ୍ଷ୍ମୀକାନ୍ତ ପ୍ୟାରେଲାଲଙ୍କ କାଳଜୟୀ ସଂଗୀତ ସାଙ୍ଗକୁ ତାଳ ଦେଇ ନାଚିଥିଲେ ଶ୍ରୀଦେବୀ। ହାୱା ହାୱାଇ… ଭଳି ଗୀତରେ ଶ୍ରୀଦେବୀଙ୍କ କାଳଜୟୀ ମୁଖ ଭଙ୍ଗୀ କୋଟି କୋଟି ହୃଦୟ ଜିଣି ନେଇଥିଲା। ଏହି ନୃତ୍ୟର ପ୍ରଚ୍ଛଦପଟରେ ରହି ଏହାର ସଂରଚନା କରିଥିଲେ ସରୋଜ ଖାନ୍। ଶ୍ରୀଦେବୀଙ୍କ ସହିତ ନାଗିନା, ଚାନ୍ଦିନୀରେ ମଧ୍ୟ କାମ କରିଥିଲେ। ସେହିପରି ନବେ ଦଶକରେ ମାଧୁରୀଙ୍କର ସମସ୍ତ ହିଟ୍ ଡ୍ୟାନ୍ସର ନୃତ୍ୟ ସଂଯୋଜନା କରିଥିଲେ ସରୋଜ। ଚୋଲି କେ ପିଛେ କ୍ୟା ହୈ.. ହେଉ ଅବା ‘ଏକ ଦୋ ତିନ୍.., ତମା ତମା ଲୋଗେ.., ଧକ୍ ଧକ୍ କରନେ ଲଗା.. ଭଳି ହିଟ୍ ଗୀତରେ ନୃତ୍ୟ ପାଇଁ ମାଧୁରୀ ଦର୍ଶକଙ୍କ ହୃଦୟ‌ରେ ଧକ୍‌ଧକ୍‌ ଗାର୍ଲ ପାଲଟି ଯାଇଥିଲେ।

ଅମିତାଭଙ୍କୁ ସରୋଜ ଦେଇଥିଲେ ଟଙ୍କାଏ
ଅମିତାଭ ବଚ୍ଚନ ଏକ ପୁରୁଣା କଳାଧଳା ଫଟୋ ଇନଷ୍ଟାଗ୍ରାମ୍‌ରେ ସେୟାର କରି ଲେଖିଛନ୍ତି, ଯେବେ ବି ସେ କୌଣସି କଳାକାର ଭଲ ନୃତ୍ୟ କରିବା ଦେଖୁଥିଲେ, ତାକୁ ପାଖକୁ ଡାକି ଟଙ୍କିକିଆ ମୁଦ୍ରାଟେ ଦେଉଥିଲେ। ଯେବେ ଅମିତାଭ ଏକ ଗୀତର ସିକ୍ବେନ୍ସରେ ନାଚିଲେ, ତାଙ୍କୁ ମଧ୍ୟ ସରୋଜଙ୍କଠାରୁ ଟଙ୍କିକିଆ ମୁଦ୍ରାଟେ ମିଳିଥିଲା।

ଅସମୟରେ ସଲମାନ କାମ ଦେଇଥିଲେ
ସରୋଜ ଖାନ ଏକ ସାକ୍ଷାତକାରରେ କହିଥିଲେ, ଯେବେ ତାଙ୍କ ହାତରେ କୌଣସି କାମ ନଥିଲା, ସେତେବେଳେ ତାଙ୍କୁ ଏ ସଙ୍କଟରୁ ଉଦ୍ଧାର ପାଇଁ ସଲମାନ୍‌ ଖାନ ଆଗେଇ ଆସିଥିଲେ। ସରୋଜଙ୍କୁ ସଲମାନ ନିଜ ବାସଭବନକୁ ଡାକି କାମ ଦେବାକୁ ପ୍ରତିଜ୍ଞା କରିଥିଲେ।

ଶାହରୁଖଙ୍କୁ ଚାପୁଡ଼ା ମାରିଥିଲେ
ଶାହରୁଖ ଖାନ୍‌ ୨୦୧୮ରେ ଏକ ସାକ୍ଷାତକାରରେ କହିଥିଲେ, ସରୋଜ ଜୀ’ଙ୍କ ସହ ୩ଟା ସିଫ୍‌ଟରେ କାମ କରିବା ବେଳେ ଥକି ପଡ଼ିଥିଲି। ତେଣୁ ସେ ସରୋଜଙ୍କୁ କହିଲେ, ଏତେ କାମ ଯେ ମୁଁ ଥକି ଗଲିଣି। ଏହା ଶୁଣି ସରୋଜ ମା’ ଭଳି ଶାସନ କରିବାକୁ ଆଗେଇ ଆସିଲେ। ସ୍ନେହରେ ଶାହରୁଖଙ୍କ ଗାଲକୁ ଚାପୁଡ଼ା ମାରି କହିଲେ, କେବେ ଏମିତି କହିବନି ଯେ ବହୁତ କାମ ହେଉଛି। ଆଜି ଶାହରୁଖ ସରୋଜଙ୍କୁ ଟ୍ବିଟ୍‌ରେ ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କୁ ନିଜର ପ୍ରଥମ ପ୍ରକୃତ ଶିକ୍ଷକ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର