ଶିବଶଙ୍କର ଓଝା

Advertisment

ପ୍ରାୟ ତିନି ଦଶନ୍ଧି ଧରି ଓଡ଼ିଆ ସିନେଜଗତରେ ସଫଳ ସଙ୍ଗୀତକାର ଭାବେ ସ୍ବରୂପ ନାୟକ ସକ୍ରିୟ ରହି ଈର୍ଷଣୀୟ ସଫଳତା ହାସଲ କରିଥିଲେ। ସେ ୧୯୮୬ରେ ରିଲିଜ୍ ହୋଇଥିବା ଦୁର୍ଗା ନନ୍ଦଙ୍କ ପ୍ରଯୋଜିତ ତଥା ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ଓଡ଼ିଆ ସିନେମା ‘ହୀରାନୀଳା’ରେ ପ୍ରଥମେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଏହାପରେ ତାଙ୍କୁ ଆଉ ପଛକୁ ଫେରି ଚାହିଁବାକୁ ପଡ଼ି ନଥିଲା।

ବ୍ୟସ୍ତତା ହେତୁ ସ୍ବରକାର ସ୍ବରୂପଙ୍କୁ କେତେଟି ସିନେମା ଛାଡ଼ିବାକୁ ପଡ଼ିଥିଲା। ଏଥିମଧ୍ୟରୁ ଗୋଟିଏ ହେଲା ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶିତ ‘ଲକ୍ଷ୍ମୀ ପ୍ରତିମା’। ଏହି ସିନେମାର ପ୍ରଯୋଜନା କରିଥିଲେ ଦୁର୍ଗା ନନ୍ଦଙ୍କ ସୁପୁତ୍ର ବବି ନନ୍ଦ ଓ ରାହାସ ବିହାରୀ ମହାନ୍ତି। ପ୍ରଥମେ ଏହି ଛବିରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ଲାଗି ସ୍ବରୂପ ନାୟକଙ୍କ ସହ ଯୋଗାଯୋଗ ହୋଇଥିଲା। ସେ ବି ରାଜି ହୋଇଥିଲେ। କିନ୍ତୁ ଯେଉଁ ସମୟରେ ଏହି ସିନେମାର ସଙ୍ଗୀତ କାମ ଆରମ୍ଭ କରିବା ଲାଗି ସ୍ବରୂପ ନାୟକଙ୍କୁ ଖୋଜା ପଡ଼ିଲା, ସେତେବେଳେ ସେ ଥିଲେ ବାଂଲାଦେଶରେ। ସେହି ସମୟରେ ସେ ଅମୀୟ ପଟ୍ଟନାୟକଙ୍କ ତ୍ରିଭାଷୀ ସିନେମା (ଓଡ଼ିଆ, ବଙ୍ଗଳା ଓ ବାଂଲାଦେଶୀ) ‘ରାଜାରାଣୀ’ର ସଙ୍ଗୀତ କାମ ଲାଗି ବାଂଲାଦେଶ ଯାଇଥାନ୍ତି। ତାଙ୍କୁ ଆଉ ଅପେକ୍ଷା କରିବାକୁ ପ୍ରସ୍ତୁତ ନଥିଲେ ପ୍ରଯୋଜକ। ଏଣୁ ‘ଲକ୍ଷ୍ମୀପ୍ରତିମା’ରେ ସ୍ବରୂପ ନାୟକଙ୍କୁ ବାଦ୍ ଦିଆଯାଇ ତାଙ୍କ ସ୍ଥାନରେ ସେ ସମୟର ଉଦୀୟମାନ ସଙ୍ଗୀତକାର ସରୋଜ ନନ୍ଦଙ୍କୁ ନିଆଯାଇଥିଲା। ସେତେବେଳକୁ ସରୋଜ ନନ୍ଦ ‘ଜୀବନସାଥୀ’ ଓ ‘ରାମଲକ୍ଷ୍ମଣ’ ପରି ଓଡ଼ିଆ ଛବିରେ ସଙ୍ଗୀତ ଦେଇସାରିଥିଲେ। ଏହାଛଡ଼ା ଆଲବମ୍ ଜଗତରେ ବି ସେ ଚହଳ ପକାଇସାରିଥିଲେ।  

ଯଦିଓ ସରୋଜ ନନ୍ଦ ଥିଲେ ପ୍ରଯୋଜକଙ୍କ ଦ୍ବିତୀୟ ପସନ୍ଦ, ସେ କିନ୍ତୁ ନିରାଶ କରି ନଥିଲେ। ‘ଲକ୍ଷ୍ମୀ ପ୍ରତିମା’ ଫିଲ୍ମରେ ତାଙ୍କ ସ୍ବରାରୋପିତ ସବୁ ଗୀତ ମନଛୁଆଁ ହୋଇଥିଲା। ଏହି ଗୀତଗୁଡ଼ିକ ମଧ୍ୟରୁ ‘କାନ୍ଦନାରେ କାନ୍ଦନାରେ ବନର ଶାରୀ…’ ଓ ‘ଦୁନିଆ ନୂଆ ନୂଆ ଲାଗେରେ…’ ଗୀତ ଆଜି ବି ବେଶ୍ ଲୋକପ୍ରିୟ। କେବଳ ସେତିକି ନୁହେଁ, ‘ଲକ୍ଷ୍ମୀପ୍ରତିମା’ ପାଇଁ ସରୋଜ ନନ୍ଦଙ୍କୁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଭାବେ ମିଳିଥିଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର।
‘ଲକ୍ଷ୍ମୀ ପ୍ରତିମା’ ପରେ ସରୋଜ ନନ୍ଦ ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶିତ ଅନ୍ୟ କୌଣସି ସିନେମାରେ କାମ କରି ନଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସ୍ବରୂପ ନାୟକ ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶିତ ‘ମନ ରହିଗଲା ତୁମରିଠାରେ’ର ସ୍ବର ସଂଯୋଜନା କରିଥିଲେ।