ଓଡ଼ିଶୀ ନୃତ୍ୟ ପାଇଁ ମହେଶ ଭଟ୍ଟଙ୍କ ଚଳଚ୍ଚିତ୍ରରେ ଅଭିନୟରୁ ଓହରି ଆସିଥିଲି : ଶାଶ୍ୱତ ଯୋଶୀ

ଓଡ଼ିଶାର ନୃତ୍ୟ-ସଂଗୀତ ଓ ସଂସ୍କୃତି-ପରମ୍ପରାକୁ ଜାତୀୟ ତଥା ଅର୍ନ୍ତଜାତୀୟ ସ୍ତରରେ ପରିଚିତ କରାଇବାରେ ଜଣେ ଯୁବଶିଳ୍ପୀ ଭାବେ ଶାଶ୍ୱତ ଯୋଶୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ସେ ଓଡ଼ିଶୀ ଏବଂ ସମ୍ବଲପୁରୀ ନୃତ୍ୟକୁ କେବଳ ଯେ ଭାରତ ନୁହେଁ ବରଂ ସାରା ବିଶ୍ୱରେ ପ୍ରଚାର କରିଛନ୍ତି । ଏକାଧାରରେ ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ, ଗୁରୁ, କୋରିଓଗ୍ରାଫର ଏବଂ ମଡେଲ୍‌ ଶାଶ୍ୱତ ଟିଟିଲାଗଡରୁ ତାଙ୍କର କଳାଯାତ୍ରା ଆରମ୍ଭ କରି ସମ୍ମାନଜନକ କାନ୍‌ ଫିଲ୍ମ ଫେଷ୍ଟିଭାଲ ପର୍ଯ୍ୟନ୍ତ ପହଞ୍ଚିଛନ୍ତି। ଓଡ଼ିଶାର ଏହି କୃତବିଦ୍ୟ କଳାକାରଙ୍କୁ ଭେଟିଛନ୍ତି ସମ୍ବାଦ ଡ଼ଟ ଇନର ପ୍ରତିନିଧି ସୁମନ ମହାନ୍ତି ଏବଂ ମୋନାଲିସା ପରିଡ଼ା ।

ପ୍ରଶ୍ନ : କେମିତି ରହିଛି ଟିଟିଲାଗଡ଼ରୁ କାନ୍‌ ଫେଷ୍ଟିଭାଲ ପର୍ଯ୍ୟନ୍ତ ଦୀର୍ଘ ଯାତ୍ରାର ଅନୁଭୂତି?
ଉତ୍ତର : ବହୁତ ସୁନ୍ଦର ପ୍ରଶ୍ନ ପଚାରିଲେ । ବିଶ୍ୱ ଦରବାରରେ ନିଜକୁ ପରିଚିତ କରିବା ପାଇଁ ପିଲାଟି ବେଳୁ ମୋର ଆଶା ରହିଥିଲା । ମୁଁ ସବୁବେଳେ ଏପିଜେ ଅବ୍ଦୁଲ କଲାମଙ୍କର ଏଇ କଥା ମନେ ରଖିଥାଏ, ଯିଏ ଯେତେ ସ୍ୱପ୍ନ ଦେଖିବ ତା’ର ସ୍ୱପ୍ନ ସେତେ ସଫଳ ହେବ । ମୁଁ ଯେ କେବେ ନୃତ୍ୟ କରିବି ବୋଲି ଭାବି ନ ଥିଲି ବରଂ ଭାବିଥିଲି କି ନିଶ୍ଚିତ ଜଣେ କଳାକାର ହେବି। ଏହି ପରିବେଶରୁ ବାହାରି ନିଜକୁ ଏବଂ ଓଡ଼ିଶାକୁ ବିଶ୍ୱ ଦରବାରରେ ପରିଚିତ କରାଇବି । ମୁଁ କହିବିନି ଯେ ମୁଁ ସଫଳ ହୋଇଗଲି କି ମତେ ସଫଳତା ମିଳିଗଲା । ତେବେ ମୋ ହିସାବରେ ସଫଳତା ହେଉଛି ଏକ ଅସରନ୍ତି ସମ୍ପଦ ଏହା କେବେ ସରିବନି କି ଶେଷ ହେବ ନାହିଁ।

mb.ntd.tv

ପ୍ରଶ୍ନ: ଏହି ଯାତ୍ରାରେ କି କି ଅସୁବିଧାର ସମ୍ମୁଖୀନ କରିବାକୁ ପଡ଼ିଥିଲା ?
ଉତ୍ତର : ମୋ ମତରେ ବିନା ଅସୁବିଧାରେ ସଫଳତା କେବେ ମିଳେନାହିଁ । ଏହା ଜୀବନର ଅଂଶ ବିଶେଷ । ଏହାକୁ ଚାହିଁଲେ ମଧ୍ୟ ଆମେ ଭୁଲି ପାରିବାନି । ମୁଁ ଯେତେବେଳେ ଟିଟାଲାଗଡ଼ରୁ ଭୁବନେଶ୍ୱର ଆସିଥିଲି, ନା ମୁଁ ଭୁବନେଶ୍ୱରକୁ ଜାଣିଥିଲି ନା ମତେ କେହି ଭୁବନେଶ୍ୱରରେ ଜାଣିଥିଲେ । ପ୍ରଥମେ ମତେ ନିଜର ଏକ ପ୍ରତିଛବି ପ୍ରସ୍ତୁତ କରିବାର ଥିଲା, ଯାହା ଦ୍ୱାରା ମତେ ଲୋକ ଚିହ୍ନିବେ । ପରେ ଧୀରେ ଧୀରେ ମୁଁ ସବୁ ଜିନିଷ ଶିଖିଲି ଏବଂ ଏହି ପରିବେଶର ଢ଼ାଞ୍ଚାରେ ନିଜକୁ ପକାଇଲି ଏବଂ ଗୋଟେ ଜିନିଷ ମୁଁ କେବେ ମଧ୍ୟ ମୋ ଜୀବନରେ ଛାଡ଼ିନି ତାହା ହେଉଛି ଚେଷ୍ଟା । ଆଜି ପର୍ଯ୍ୟନ୍ତ ମଧ୍ୟ ସେହି ଚେଷ୍ଟା ଚଳାଇଛି।

ପ୍ରଶ୍ନ : ସଫଳତାର ଯାତ୍ରାରେ ବିଫଳତାର ସ୍ୱାଦ କେବେ ଚାଖିଛନ୍ତି ?
ଉତ୍ତର : ହଁ, ନିଶ୍ଚତ ! ଜୀବନରେ ଜଣେ ଯେଉଁ ପର୍ଯ୍ୟନ୍ତ ବିଫଳ ହୋଇ ନଥିବ, ସେପର୍ଯ୍ୟନ୍ତ ସେ ସଫଳତାର ସ୍ୱାଦ ପାଇବ ନାହିଁ। କିନ୍ତୁ ମୁଁ କେବେ ମଧ୍ୟ ଚେଷ୍ଟା କରିବା ଛାଡ଼ିନି କି ଛାଡ଼ିବି ନାହିଁ । ବିଫଳତାର ଅନୁଭୂତି ହିଁ ତୁମକୁ ସଫଳତା ପାଇବାରେ ସାହାଯ୍ୟ କରିଥାଏ। ମୁଁ ଜୀବନରେ ଅନେକ ଥର ବିଫଳ ହୋଇଛି, ପରେ ଧୀରେ ଧୀରେ ମତେ ସେ ବିଫଳତା ହିଁ ସଫଳତାର ବାଟ ଦେଖାଇଲା ।

ପ୍ରଶ୍ନ : ଆପଣ ପଶ୍ଚିମ ଓଡ଼ିଶାରୁ ଆସିଥିବା ପରେ ମଧ୍ୟ ସମ୍ବଲପୁରୀ ବଦଳରେ ଓଡ଼ିଶୀ କରିବା ପାଇଁ କାହିଁକି ଇଛା କଲେ ?

ଉତ୍ତର : କହିବାକୁ ଗଲେ ମୁଁ ଓଡ଼ିଶୀକୁ ନୁହଁ ବରଂ ଓଡ଼ିଶୀ ମତେ ପସନ୍ଦ କଲା । ମୋର ମନେ ଅଛି ମୁଁ ଯେତେବେଳେ ଛୋଟ ଥିଲି , ସେତେବେଳେ ଦୂରଦର୍ଶନରେ ରାତି ୧୧ଟାରେ ଶାସ୍ତ୍ରୀୟ ନୃତ୍ୟର କାର୍ଯ୍ୟକ୍ରମ ଦେଉଥିଲା । ବାପା ପ୍ରତିଦିନ ରାତିରେ ଖାଇବା ବେଳେ ସେହିକାର୍ଯ୍ୟକ୍ରମକୁ ଲଗାଇ ଦିଅନ୍ତି । ଥରେ ମୁଁ ଦେଖିଲି ଜଣେ ବୃଦ୍ଧା ଓଡ଼ିଶୀ ନାଚୁଥିଲେ, ତାଙ୍କୁ ଦେଖି ମୁଁ ହତବାକ୍‌ ହୋଇ ଯାଇଥିଲି । ମତେ ତାଙ୍କ ନୃତ୍ୟ ଏତେ ପସନ୍ଦ ଆସିଥିଲା ଯେ ମତେ ସେହି ନୃତ୍ୟଶୈଳୀ ବିଷୟରେ ଜାଣିବାର ଆଗ୍ରହ ହେଲା । ପରେ ମତେ ସମସ୍ତେ କହିଲେ ଓଡ଼ିଶୀ ନୃତ୍ୟ ଖାଲି ଝିଅମାନେ କରନ୍ତି ପୁଅ ତ କରନ୍ତି ନି । କିନ୍ତୁ ମୋ ମନରେ ସେ ବୃଦ୍ଧା ଜଣଙ୍କର ଛାପ ପଡ଼ିଯାଇଥିଲା । ସେ ଯଦି କରିପାରୁଛନ୍ତି ତା’ହେଲେ ମୁଁ କାହିଁକି କରିପାରିବିନି । ପରେ ମୁଁ ବିଶିଷ୍ଟ ଗୁରୁମାନଙ୍କଠାରୁ ନୃତ୍ୟଶିକ୍ଷା କଲିି।

ପ୍ରଶ୍ନ : ଆମେ ଶୁଣିଛୁ ୨୦୦୧ରେ ମହେଶ ଭଟ୍ଟଙ୍କର ଏକ ଚଳଚ୍ଚିତ୍ରର ଅଫର ପାଇଥିଲେ ଏବଂ ଆପଣ ମନା କରି ଦେଇଥିଲେ ?
ଉତ୍ତର :ହଁ, ମତେ ଅଫର ଆସିଥିଲା ଏବଂ ସେତେବେଳେ ଚଳଚ୍ଚିତ୍ର ଓ ଓଡ଼ିଶୀ ମଧ୍ୟରୁ ଗୋଟିକୁୁ ଚୟନ କରିବାର ଥିଲା । ସେତେବେଳେ ମତେ ଓଡ଼ିଶାରେ ଧୀରେ ଧୀରେ ଲୋକ ଚିହ୍ନିବା ଆରମ୍ଭ କରିଥିଲେ । ସେତେବେଳେ ଏକ ସଠିକ ନିର୍ଣ୍ଣୟ ନେବା ବହୁତ ଜରୁରୀ ହୋଇ ପଡ଼ିଥିଲା । ମୁଁ ବହୁତ ଦ୍ୱନ୍ଦ୍ୱରେ ଥିଲି ଏବଂ ମୋ ବାପାଙ୍କୁ କ’ଣ କରିବି ବୋଲି ପଚାରିଥିଲି । ବାପା ମତେ କହିଲେ ଯଦି ଚଳଚ୍ଚିତ୍ରଟି ହିଟ ହୋଇଗଲା ତେବେ ତୁ ହିରୋ ହେଇଯିବୁ ଏବଂ ଯଦି ବିଫଳ ହେଲା ତା’ହେଲେ ତତେ ଆଉ ଥରେ ସଂଘର୍ଷ କରିବା ପାଇଁ ପଡ଼ିବ । ଆଉ ଯଦି ଓଡ଼ିଶୀ ଶିଖିବୁ ତେବେ
ଏହା ଜୀବନ ସାରା ତତେ ସମ୍ମାନ ଦେବ। ମତେ ମୋ ବାପା ବାଧ୍ୟ କରିଥିଲେ ଓଡ଼ିଶୀରେ କ୍ୟାରିୟର କରିବା ପାଇଁ ଏବଂ ତାହା ମୋ ଜୀବନର ସର୍ବଶ୍ରେଷ୍ଠ ନିର୍ଣ୍ଣୟ ଥିଲା ।

ପ୍ରଶ୍ନ : ଆପଣ କାନ୍‌ ଫେଷ୍ଟିଭାଲ ଯାଇଛନ୍ତି । ଏଣୁ ଆମେ ଆପଣଙ୍କଠାରୁ ଜାଣିବାକୁ ଚାହିଁବୁ ଓଡ଼ିଆ ଚଳଚ୍ଚିତ୍ର କାହିଁକି କାନ୍‌ ପର୍ଯ୍ୟନ୍ତ ପହଞ୍ଚି ପାରୁନି ?
ଉତ୍ତର : ପ୍ରକୃତରେ ମୁଁ ମଧ୍ୟ ଏହି ବିଷୟରେ ବହୁତ ଭାବିଛି ଏବଂ ଏହାର କାରଣ ଜାଣିବା ପାଇଁ ଚେଷ୍ଟା କରିଛି । ଗୋଟିଏ ଚଳଚ୍ଚିତ୍ର କାନ୍‌ ଫେଷ୍ଟିଭାଲକୁ ଯିବା ପାଇଁ କ’ଣ କ’ଣ ଆବଶ୍ୟକ କରୁଛି, ତାହା ଅନୁଶୀଳନ କରିଛି । ବହୁତ କିଛି ବୁଝିବାକୁ ଏବଂ ଖୋଜିବାକୁ ଚେଷ୍ଟା କରିଛି । ପରେ ନିର୍ଣ୍ଣୟ କଲି କିଏ ଯାଆନ୍ତୁ କି ନାହିଁ ମୁଁ ନିଶ୍ଚିତ ଭାବେ ଓଡ଼ିଶା ଏବଂ ଓଡ଼ିଆ ଚଳଚ୍ଚିତ୍ରକୁ ବିଶ୍ୱ ଦରବାରକୁ ନେବି । ସେଥିପାଇ ଁ ନିର୍ଦ୍ଦେଶକ ରମେଶ ସାହୁ ମତେ ନେଇ ମୋର ଟିଟିଲାଗଡ଼ରୁ ଏ ପର୍ଯ୍ୟନ୍ତ ମୋର ଯାତ୍ରାକୁ ନେଇ ଏକ ଚଳଚ୍ଚିତ୍ର ପ୍ରସ୍ତୁତ କରୁଛନ୍ତି,ଯାହାକୁ ଆମେ ୨୦୧୮ କାନ୍ସରେ ରିଲିଜ କରିବା ପାଇଁ ଯାଉଛୁ ।

ପ୍ରଶ୍ନ : ଆପଣ ଜନ୍ମରୁ ହିଁ ଶୁଦ୍ଧ ଶାକାହାରୀ, ତେବେ ବିଦେଶ ଭ୍ରମଣ ସମୟରେ କିଛି ଅସୁବିଧା ହୁଏ ନାହିଁ ?
ଉତ୍ତର : ମୁଁ ଏମିତି ଶାକାହାରୀ ଯିଏ ଜନ୍ମରୁ ହିଁ ପିଆଜ ରସୁଣ ମଧ୍ୟ ଖାଏ ନାହିଁ । ପ୍ରକୃତରେ ଶାକାହାରୀ ହେବା ଦ୍ୱାରା ମତେ ଲାଗେ ମୁଁ ମୋର ଲକ୍ଷ ଉପରେ ଅଧିକ ଧ୍ୟାନ ଦେଇପାରୁଛି । ମୋର ସାରା ବିଶ୍ୱରେ ଛାତ୍ରଛାତ୍ରୀ ଅଛନ୍ତି ସେମାନେ ମଧ୍ୟ ଶାକାହାରୀ । ତେବେ କହିବାକୁ ଗଲେ ଆଜି ପର୍ଯ୍ୟନ୍ତ ବିଦେଶରେ କେବେ ମଧ୍ୟ ମତେ ଏଥିପାଇଁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିନାହିଁ।

ସମ୍ବନ୍ଧିତ ଖବର