ଜାଣନ୍ତୁ କାହିଁକି ଏହି ଓଲିଉଡ ନାୟକ କହୁଛନ୍ତି ‘ମୁଁ ତତେ ଭଲ ପାଏ ’

ଭୁବନେଶ୍ୱର: ଓଲିଉଡରେ ଗତ ବର୍ଷ ଜଣେ ନବାଗତଙ୍କର ନାୟକ ଭାବେ ଏଣ୍ଟ୍ରି ହୋଇଥିଲା । ସେ ଯେଉଁ ସିନେମା ଜରିଆରେ ଓଡ଼ିଆ ଚଳଚ୍ଚିତ୍ରର ପ୍ରବେଶ କରିଥିଲେ , ତାର ଶୀର୍ଷକ ଥିଲା ‘ଏମିତି ବି ହୋଇପାରେ’ । ରବି ନାରାୟଣ ଦାଶଙ୍କ ପ୍ରଯୋଜିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ରାଜୀବ ମହାନ୍ତି । ଏହି ରୋମାଣ୍ଟିକ୍‌ ଫିଲ୍ମରେ ଯେଉଁ ନବାଗତଙ୍କୁ ନାୟିକା ଭୂମିକାରେ ଦର୍ଶକ ଦେଖିଥିଲେ, ସେ ହେଲେ ଶଶିକାନ୍ତ । ‘ଏମିତି ବି ହୋଇପାରେ’ ଫିଲ୍ମରେ ଶଶିକାନ୍ତଙ୍କ ବିପକ୍ଷରେ ନାୟିକା ବନିଥିଲେ ନବାଗତା ରୁପାଲି । ଏଥିରେ ଖଳନାୟକ ଭୂମିକା ନିଭାଇଥିଲେ ସଂଗ୍ରାମ ବିଶ୍ୱାଳ । ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାସ । ଏହାକୁ ସାଧାରଣ ବ୍ୟାବସାୟିକ ସଫଳତା ମିଳିଥିଲା ।

‘ଏମିିତି ବି ହୋଇପାରେ ’ ପରେ ନାୟକ ଶଶିକାନ୍ତ ତାଙ୍କର ଦ୍ୱିତୀୟ ଓଡ଼ିଆ ସିନେମାର ରିଲିଜ୍‌କୁ ଅପେକ୍ଷା କରିଛନ୍ତି । ଏହି ସିନେମାର ଟାଇଟଲ୍‌ ହେଲା ‘ମୁଁ ତତେ ଭଲ ପାଏ ’ । ଶଶିକାନ୍ତଙ୍କୁ ଓଲିଉଡରେ ବ୍ରେକ୍‌ ଦେଇଥିବା ପ୍ରଯୋଜକ ରବି ନାରାୟଣ ଦାଶ ‘ମୁଁ ତତେ ଭଲ ପାଏ’ର ନିର୍ମାଣ କରିଛନ୍ତି । ତେବେ ଏହାର ନିର୍ଦ୍ଦେଶନା ଦାୟିତ୍ୱ ବହନ କରିଛନ୍ତି ଓଲିଉଡର ହିଟ୍‌ ମେକର୍‌ ଅଶୋକ ପତି ।

‘ମୁଁ ତତେ ଭଲପାଏ’ରେ ଶଶିକାନ୍ତ ପାଇଛନ୍ତି ଜଣେ ବଙ୍ଗୀୟ ନାୟିକାଙ୍କ ସାଥ୍‌ । ହଁ ଏହି ଫିଲ୍ମରେ ଶଶିକାନ୍ତଙ୍କ ବିପକ୍ଷରେ ନଜର ଆସିବେ ଅପର୍ଣ୍ଣା । ଏହାର ନାମକରଣରୁ ହିଁ ଜଣା ପଡୁଛି ଯେ ଏହା ଏକ ରୋମାଣ୍ଟିକ୍‌ ଫିଲ୍ମ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମିହିର ଦାସ, ପପୁ ପମ୍‌ପମ୍‌ ଓ ଜୀବନ ପଣ୍ଡା ପ୍ରମୁଖଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ । ଫିଲ୍ମର ସଂଳାପ ଲେଖିଛନ୍ତି ଶକ୍ତି ବରାଳ ଓ ଏହାର ଗୀତିକାର ହେଲେ ଡ ନିର୍ମଳ ନାୟକ ଏବଂ ବାପୁ ଗୋସ୍ୱାମୀ । ଗୁଡୁଲି ରଥ ଏହାର ସଙ୍ଗୀତ ନିର୍ଦ୍ଦେଶକ । ଫିଲ୍ମର ସୁଟିଂ ସରିଛି । ଖୁବ୍‌ ଶୀଘ୍ର ‘ ମୁଁ ତତେ ଭଲ ପାଏ’ ରିଲିଜ୍‌ ହେବ । ଏଥିରେ ନାୟକ ଶଶିକାନ୍ତ କି କମାଲ୍‌ କରୁଛନ୍ତି , ତାହା ଦେଖିବାକୁ ବାକି ରହିଛି ।

ସମ୍ବନ୍ଧିତ ଖବର