ସଂଘର୍ଷରୁ ସନ୍ତୁଷ୍ଟି: ଅଭିନେତ୍ରୀ ନୁସରତ

୨୦୦୨ର ଟିଭି ଧାରାବାହିକ ‘କିଟ୍ଟି ପାର୍ଟି’ରେ ଏକ ସଂକ୍ଷିପ୍ତ ଭୂମିକାରୁ ଆରମ୍ଭ କରି ୨୦୨୧ରେ ହିନ୍ଦୀ ଫିଲ୍ମ ‘ଛୋରି’ର ପ୍ରମୁଖ ଭୂମିକା ଯାଏ ଅଭିନେତ୍ରୀ ନୁସରତ ଭରୁଚାଙ୍କର ରୋଚକ ଅଭିନୟ ଅଭିଯାନ ବେଶ ସଂଘର୍ଷପୂର୍ଣ୍ଣ। ତେବେ ଏଇ ସଂଘର୍ଷ ହିଁ ତାଙ୍କୁ ସନ୍ତୁଷ୍ଟି ଯୋଗାଇଛି ବୋଲି ନୁସରତ ଆଶ୍ବସ୍ତି ପ୍ରକାଶ କରିଛନ୍ତି। ୧୯୮୫ ମେ’ ୧୭ ତାରିଖରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିବା ନୁସରତଙ୍କୁ ପ୍ରଥମେ ଅଭିନୟ ସୁଯୋଗ ମିଳିଥିଲା ‘ଜୟ ସନ୍ତୋଷୀ ମା’ ସିନେମାରେ। ୨୦୦୭ରେ ସଂଗୀତ ଭିଡିଓ ‘ଜିନ୍ଦଗି କହିଁ ଗମ୍‌‌ ହୈ’ ମାଧ୍ୟମରେ ସେ ଦର୍ଶକଙ୍କ ମନରେ ପ୍ରଭାବ ପକାଇବାକୁ ପ୍ରୟାସ କରି ବିଫଳ ହୋଇଥିଲେ। ସେହିପରି ୨୦୦୯ରେ ‘କଲ୍‌ କିସ୍‌ନେ ଦେଖା’ ଫିଲ୍ମରେ ନୁସରତଙ୍କ ଭୂମିକା ଅନୁରୂପ ଭାବେ ପ୍ରଭାବହୀନ ଥିଲା। ତେଣୁ ସେ ୨୦୧୦ରେ ତାଙ୍କର ପ୍ରଥମ ତେଲୁଗୁ ଫିଲ୍ମ ‘ତାଜ ମହଲ’ ସମେତ ଦ୍ବିତୀୟ ତଥା ଶେଷ ଟିଭି ଧାରାବାହିକ ‘ସେଭେନ’ରେ ନିଜର ଭାଗ୍ୟ ପରୀକ୍ଷା କରିଥିଲେ। ତେବେ ସେହି ବର୍ଷ ହିନ୍ଦୀ ଫିଲ୍ମ ‘ଲଭ୍‌ ସେକ୍ସ ଔର ଧୋକା’ରେ ତାଙ୍କ ପ୍ରଦର୍ଶନ କିଛି ମାତ୍ରାରେ ଦର୍ଶକୀୟ ଗ୍ରହଣୀୟତା ସାଉଁଟିଥିଲା। ମାତ୍ର ତାହାର ପରବର୍ତ୍ତୀ ‘ପ୍ୟାର କା ପଞ୍ଚନାମା’, ‘ଆକାଶବାଣୀ’ ଓ ‘ଡର୍‌ ଆଟ୍‌ ଦି ମଲ୍‌’ ଆଦି ହିନ୍ଦୀ ସିନେମା ତାଙ୍କୁ ବିଫଳତାର ସ୍ବାଦ ଚଖାଇଥିଲା। ୨୦୧୫ରେ ଆସିଥିବା ‘ପ୍ୟାର କା ପଞ୍ଚନାମା-୨’ ତାଙ୍କୁ ଈପ୍‌ସିତ ସଫଳତା ଦେଇଥିଲା।

ଏଥିପାଇଁ ସେ ଶ୍ରେଷ୍ଠ ମନୋରଂଜନକାରୀ ଭାବରେ ବିଗ୍‌ ଷ୍ଟାର ଏଣ୍ଟରଟେନମେଣ୍ଟ୍‌ ସମ୍ମାନ ଲାଭ କରିଥିଲେ। ବ୍ୟାବସାୟିକ ଦୃଷ୍ଟିରୁ ଏହା ଅନ୍ୟତମ ଶ୍ରେଷ୍ଠ ଫିଲ୍ମ ପ୍ରମାଣିତ ହୋଇଥିଲା। ୨୦୧୮ରେ ହିନ୍ଦୀ ଫିଲ୍ମ ‘ସୋନୁ କେ ଟିଟୁ କି ସ୍ବିଟି’ରେ ନୁସରତ ପୁଣି ଲୋକଲୋଚନକୁ ଆସିଥିଲେ। ଏହା ଅଭୂତପୂର୍ବ ବ୍ୟାବସାୟିକ ସଫଳତା ହାସଲ କରିଥିବା ବେଳେ ନୁସରତଙ୍କ ଅଭିନୟକୁ ସମସ୍ତେ ପ୍ରଶଂସା କରିଥିଲେ। ସେହିପରି ତାଙ୍କର ପରବର୍ତ୍ତୀ ହିନ୍ଦୀ ଫିଲ୍ମ ‘ଡ୍ରିମ୍‌ଗାର୍ଲ’ ମଧ୍ୟ ଆଶାତୀତ ସଫଳତା ସାଉଁଟିଥିଲା। ଏଥି ସହିତ ୨୦୧୯ରେ ହିନ୍ଦୀ ଫିଲ୍ମ ‘ମରଜାଵାଁ’ର ଉତ୍ତେଜକ ଗୀତ ‘ପିଓ ଡଟ୍‌ କେ’ରେ ନୁସରତଙ୍କ ନୃତ୍ୟାଭିନୟକୁ ଦର୍ଶକେ ଖୁବ୍‌ ଉପଭୋଗ କରିଥିଲେ। ଏଥି ସହିତ ମହାମାରୀ କୋଭିଡ୍‌-୧୯ର ମାନ୍ଦାବସ୍ଥା ଅବସରରେ ନୁସରତ ଅଭିନୀତ କ୍ରୀଡ଼ାଭିତ୍ତିକ ଚଳଚ୍ଚିତ୍ର ‘ଛଲାଙ୍ଗ’ ଓଟିଟି ମଞ୍ଚରେ ମୁକ୍ତିଲାଭ କରି ଚହଳ ପକାଇଥିଲା। ତେବେ ୨୦୨୧ରେ ସେ ହନି ସିଂହଙ୍କ ସଂଗୀତ ଭିଡିଓ ‘ସୈୟାଁ ଜି’ରେ ନୃତ୍ୟାଭିନୟ କରି ପ୍ରଶଂସକମାନଙ୍କୁ ବାନ୍ଧି ରଖିବାରେ ସେ ସକ୍ଷମ ହୋଇଥିଲେ। ଏଥି ସହିତ ଓଟିଟି ମଞ୍ଚରେ ମୁକ୍ତିଲାଭ କରିଥିବା ‘ଅଜୀବ ଦାସ୍ତାନ୍‌ସ’ ଓ ‘ଛୋରି’ ପରି ଆଉ ଦୁଇଟି ଲୋକପ୍ରିୟ ସିନେମାରେ ନୁସରତଙ୍କ ଅଭିନୟକୁ ସମୀକ୍ଷକମାନେ ଭୂୟସୀ ପ୍ରଶଂସା କରିଥିଲେ। ଚଳିତବର୍ଷର ସିନେମା ‘ହୁର୍ଦାଙ୍ଗ’ ଓ ହାସ୍ୟ ରସାତ୍ମକ ଫିଲ୍ମ ‘ଜନହିତ ମେଁ ଜାରି’ରେ ନୁସରତଙ୍କ ଅଭିନୟ ବେଶ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି।

ସମ୍ବନ୍ଧିତ ଖବର