ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ ଅଭିନେତା, ପ୍ରଯୋଜକ ଓ ନିର୍ମାତା ସତୀଶ କୌଶିକଙ୍କ ମୃତ୍ୟୁ ସିନେମା ଦୁନିଆକୁ ଦୋହଲାଇ ଦେଇଥିଲା। ବିଶେଷ ଭାବେ ସତୀଶଙ୍କ ମୃତ୍ୟୁ ପରେ ତାଙ୍କ ୧୧ବର୍ଷର ଝିଅ ବଂଶିକା ବାପାଙ୍କୁ ହରାଇ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି। ଏମିତି କି ବାପାଙ୍କ ମୃତ୍ୟୁର ଏକ ସପ୍ତାହ ଭିତରେ ସେ ଇନଷ୍ଟାଗ୍ରାମରେ ଥିବା ଆକାଉଣ୍ଟକୁ ଡିଲିଟ କରି ଦେଇଛନ୍ତି।
କୁହାଯାଉଛି କି ଇନଷ୍ଟାଗ୍ରାମରୁ ଡିଲିଟ କରିଥିବା ଆକାଉଣ୍ଟ ବଂଶିକାଙ୍କ ବ୍ୟକ୍ତିଗତ ଆକାଉଣ୍ଟ ଥିଲା। ସେ ପ୍ରାୟତଃ ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରିଥାଆନ୍ତି, ବଂଶିକାଙ୍କ ଅଧିକାଂଶ ଫଟୋ ବାପା ସତୀଶଙ୍କ ସହିତ ରହିଥାଏ।
ଆକଉଣ୍ଟ ଡିଲିଟ କରିବା ପୂର୍ବରୁ ବଂଶିକା ପୋଷ୍ଟ କରିଥିବା ଶେଷ ଫଟୋରେ ସେ ତାଙ୍କ ବାପାଙ୍କ କାନ୍ଧରେ ହାତ ପକାଇ ହସୁଥିବା ଦେଖିବାକୁ ମିଳିଥିଲା।
ସ୍ବର୍ଗତ ଅଭିନେତାଙ୍କ ପୁତୁରା ନିଶାନ୍ତ ସତୀଶଙ୍କ ସମସ୍ତ ଶେଷ ରୀତିନୀତି ସମ୍ପର୍ଣ୍ଣ କରିଥିଲେ। ଏହାରି ଭିତରେ ସେ ସତୀଶଙ୍କ ଅସ୍ଥିକୁ ବି ହରିଦ୍ବାରରେ ବିସର୍ଜନ କରି ଦେଇଛନ୍ତି।
ଇତି ମଧ୍ୟରେ ପୁତୁରା ନିଶାନ୍ତ ସତୀଶ କୌଶିକଙ୍କ ଶେଷ ଇଚ୍ଛା କ’ଣ ଥିଲା ତାହାକୁ ସେ ସମସ୍ତଙ୍କ ସହିତ ସେୟାର କରିଛନ୍ତି। ନିଶାନ୍ତ କହିଛନ୍ତି, ‘ଏକ ବଡ ଷ୍ଟୁଡିଓ ନିର୍ମାଣ କରିବା ଦାଦା ସତୀଶଙ୍କ ଇଚ୍ଛା ଥିଲା। ମୁଁ ଏବେ ତାଙ୍କର ଏହି ଇଚ୍ଛାକୁ ପୁରଣ କରିବି। ଏଥିପାଇଁ ମୋତେ ବୋନି କପୁର ଏବଂ ଅନୁପମ ଖେର ସାହାଯ୍ୟ କରିବେ।
ଦାଦା ୨୦୨୧ରେ ରିଲିଜ ହୋଇଥିବା ସିନେମା ‘କାଗଜ’ର ସିକ୍ୱେଲ ତିଆରି କରୁଥିଲେ। ଚଳଚ୍ଚିତ୍ରର ସମ୍ପାଦନା କାର୍ଯ୍ୟ ଚାଲିଥିଲା। କିନ୍ତୁ ଏସବୁ କାମକୁ ଅଧାରୁ ଛାଡ଼ି ଆମ ସମସ୍ତଙ୍କୁ ପର କରି ଦୁନିଆକୁ ଅଲବିଦା କହିଥିଲେ ଦାଦା। ତାଙ୍କର ଆତ୍ମାର ଶାନ୍ତି ପାଇଁ ସେ ଛାଡ଼ି ଯାଇଥିବା ସମସ୍ତ କାମକୁ ମୁଁ ପୁରା କରିବି।
କାରଣ ଦାଦାଙ୍କ ମୃତ୍ୟୁ ପରେ ଖୁଡ଼ି ଓ ଝିଅ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି। ତାଙ୍କୁ ପୁଣିଥରେ ଛିଡ଼ା ହୋଇ ବାଟ ଚାଲିବାକୁ ଏବେ ସମୟ ଲାଗିବ। ତେଣୁ ମୁଁ ମନକୁ ଦୃଢ଼ କରି ଖୁଡ଼ି ଓ ଭଉଣୀଙ୍କ ଦାୟିତ୍ବ ନେବା ସହିତ ଦାଦା ଛାଡ଼ି ଯାଇଥିବା ସବୁ କାମକୁ ପୁରା କରିବି।