ମୁମ୍ବାଇ: ବଲିଉଡର ଜଣେ ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ ଭାବେ ଲୋକପ୍ରିୟତା ସାଉଁଟି ଥିବା ସତୀଶ କୌଶିକ ଗୁରୁବାର ସକାଳେ ଦୁନିଆକୁ ଅଲବିଦା କହିଛନ୍ତି। ଏନେଇ ବରିଷ୍ଠ ଅଭିନେତା ଅନୁପମ ଖେର ଟ୍ବିଟ୍‌ କରି ସୂଚନା ଦେଇଥିଲେ।

Advertisment

ତେବେ ମୃତ୍ୟୁ ବେଳଙ୍କୁ ସତୀଶଙ୍କୁ ୬୬ ବର୍ଷ ହୋଇଥିଲା। ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଥିବା ପରିବାରଲୋକେ କହୁଥିଲେ। ଏହାରି ଭିତରେ ତାଙ୍କ ଶବବ୍ୟବଚ୍ଛେଦ ରିପୋର୍ଟ ଆସି ଯାଇଛି।

ଏହି ରିପୋର୍ଟରେ ପୁଲିସ କହିଛି କି, ‘ସତୀଶଙ୍କ ମୃତ୍ୟୁରେ କୌଣସି ପ୍ରକାର ସନ୍ଦିଗ୍ଧସ୍ଥିତି ସାମ୍ନାକୁ ଆସିନାହିଁ।  ଶବବ୍ୟବଚ୍ଛେଦର ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡ଼ିଛି କି ହୃଦୟ ଗତି ଅଟକି ଯିବାରୁ ସତୀଶଙ୍କ ମୃତ୍ୟୁ ହୋଇଥିଲା। ଭିସେରା ରିପୋର୍ଟକୁ ସଂଗ୍ରହ କରି ଯାଞ୍ଚ ପାଇଁ ପଠା ଯାଇଛି। ଏହି ରିପୋର୍ଟ ଆସିଲେ ଯାଇ ଜଣାପଡ଼ିବ କି ସତୀଶ ମୃତ୍ୟୁ ପୂର୍ବରୁ କ’ଣ ଖାଇଥିଲେ ଓ ପିଇଥିଲେ। ବ୍ୟବ‌‌ଚ୍ଛେଦ ପରେ ସତୀଶଙ୍କ ମରଶରୀରକୁ ମୁମ୍ବାଇ ପଠାଯିବା ପାଇଁ ବିମାନବନ୍ଦରକୁ ନିଆଯାଇଛି।

ସତୀଶ କୌଶିକଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ା ବେଳେ ସେ ଦିଲ୍ଲୀରେ ଥିଲେ। ତେଣୁ ତାଙ୍କୁ ଗୁରୁଗ୍ରାମସ୍ଥିତ ଫୋର୍ଟିସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ’

ଏଥିସହିତ ପୁଲିସ କହିଛି କି, ‘ସତୀଶଙ୍କ ମୃତ୍ୟୁ ଖବର ହସ୍ପିଟାଲ ପକ୍ଷରୁ ମିଳିଥିଲା। ସତୀଶଙ୍କ ସହିତ ଥିବା ଲୋକମାନେ ଏନେଇ ପୁଲିସକୁ କୌଣସି ପ୍ରକାର ସୂଚନା ଦେଇ ନଥିଲେ। ପୁଲିସ ଏବେ ଏହାକୁ ନେଇ ପ୍ରତ୍ୟେକ ଦିଗରୁ ଯାଞ୍ଚ କରୁଛି।’