ସୁଯୋଗ ଅପେକ୍ଷାରେ ସୌମ୍ୟା

ହାସ୍ୟରସାତ୍ମକ ହିନ୍ଦୀ ଧାରାବାହିକ ‘ଭାବୀଜୀ ଘର ପର ହୈ’ର ଅନୀତା ମିଶ୍ର ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିବା ଅଭିନେତ୍ରୀ ସୌମ୍ୟା ଟଣ୍ଡନଙ୍କର ଅଭିନୟ ଜୀବନ ବେଶ ରୋଚକପୂର୍ଣ୍ଣ। ରୁପେଲି ପରଦାରେ ତିଷ୍ଠି ରହିବା ଲାଗି ସେ ସଂଖ୍ୟାଧିକ ଧାରାବାହିକର ଉପସ୍ଥାପିକା ସାଜିବା ସହ ଦର୍ଶକମାନଙ୍କ ଚାହିଦା ପୂରଣ ପାଇଁ ଅଭିନୟରେ ମଧ୍ୟ ନିଜର ଦକ୍ଷତା ପ୍ରତିପାଦନ କରିପାରିଛନ୍ତି। ଯଦିଓ ସୌମ୍ୟାଙ୍କ ଅଭିନୀତ ଦୁଇଟି ମାତ୍ର ହିନ୍ଦୀ ସିନେମା ତାଙ୍କ ଜୀବନରେ ସେଭଳି ଉଲ୍ଲେଖନୀୟ ସଫଳତା ଯୋଡ଼ିପାରିନାହିଁ, ତେବେ ଟିଭି ହିଁ ତାଙ୍କ ପାଇଁ ପ୍ରକୃଷ୍ଟ ମଞ୍ଚ ବୋଲି ସେ ସ୍ବୀକାର କରିଛନ୍ତି। ଏବେ ଘରସଂସାରକୁ ସଂପୂର୍ଣ୍ଣ ଆବୋରି ବସିଥିବା ସୌମ୍ୟା ଧାରାବାହିକରେ ଆଶାନୁରୂପ ସୁଯୋଗକୁ ଅପେକ୍ଷା କରି ବସିଛନ୍ତି। ମଧ୍ୟପ୍ରଦେଶର ଭୋପାଳ ଠାରେ ୧୯୮୪ ନଭେମ୍ବର ୩ ତାରିଖରେ ଜନ୍ମିତ ସୌମ୍ୟା ନିଜର ସୁଠାମ ଚେହେରା ପାଇଁ ‘ଫେମିନା ପ୍ରଚ୍ଛଦ ଲଳନା-୨୦୦୬’ର ଉପବିଜୟିନୀ ହେବା ପରେ ଗ୍ଲାମର ଜଗତ୍‌ରେ ଜୀବନ ଗଢ଼ିବା ପାଇଁ ବଦ୍ଧ ପରିକର ହୋଇଥିଲେ। ସୌଭାଗ୍ୟକୁ ସେହିବର୍ଷ ତାଙ୍କୁ ‘ଐସା ଦେଶ ହୈ ମେରା’ ଧାରାବାହିକରେ ଅଭିନୟ କରିବାର ସୁଯୋଗ ମିଳିଥିଲା। ତହିଁ ପରବର୍ଷ ‘ମେରି ଆଵାଜ କୋ ମିଲ ଗୟି ରୋଶନି’ ଓ ୨୦୦୮ର ଧାରାବାହିକ ‘ଶାଶ ବନାମ ବହୂ’ରେ ସୌମ୍ୟାଙ୍କ ପଦାର୍ପଣକୁ ଦର୍ଶକ ଆଶାନୁରୂପ ଗ୍ରହଣ କରିଥିଲେ। ତେବେ ୨୦୦୮ରେ ଆନ୍ତର୍ଜାତିକ ପ୍ରକଳ୍ପର ଅଂଶବିଶେଷ ଆଫଗାନୀ ଧାରାବାହିକ ‘ଖୁସି’ରେ ଶୀର୍ଷକ ଭୂମିକା ପାଇଁ ତାଙ୍କୁ ଏକ ସ୍ବତନ୍ତ୍ର ପରିଚିତି ଓ ଲୋକପ୍ରିୟତା ମିଳିଯାଇଥିଲା।

ଅଭିନୟ ସୁଯୋଗ ମିଳିଥିବା ହିନ୍ଦୀ ଫିଲ୍ମ ‘ଜବ୍‌ ଵି ମେଟ୍‌’ ଓ ‘ୱେଲକମ୍‌ ଟୁ ପଞ୍ଜାବ’ରେ ତାଙ୍କ ଭୂମିକା ସେଭଳି ଉଲ୍ଲେଖନୀୟ ନଥିଲା। ତେବେ ଏହାପରେ ସେ ପ୍ରତ୍ୟକ୍ଷ ଅଭିନୟରୁ ଓହରି ଆସି ବିଭିନ୍ନ ବାସ୍ତବଧର୍ମୀ ତଥା ପ୍ରତିଯୋଗିତାମୂଳକ ଧାରାବାହିକମାନଙ୍କରେ ଉଦ୍‌ଘୋଷିକା ସାଜି ଦର୍ଶକଙ୍କୁ ଆପ୍ୟାହିତ କରିଥିଲେ। ଏହି କ୍ରମରେ ‘ବର୍ଣ୍ଣଭିଟା କ୍ବିଜ କଣ୍ଟେଷ୍ଟ’, ‘ମଲ୍ଲିକା ଇ-କିଚନ’, ‘କମେଡି ସର୍କସ କେ ତାନସେନ’, ‘ଜୋର କା ଝଟକା…’ ଏବଂ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ ଆଦି ଧାରାବାହିକରେ ସେ ନିଜର ଚମକ ଦେଖାଇଥିଲେ। ତେବେ ୨୦୧୫ରୁ ୨୦୨୦ ଯାଏ ପ୍ରସାରିତ ‘ଭାବୀଜୀ ଘର ପର ହୈ’ ଧାରାବାହିକ ତାଙ୍କୁ ଆଶାତୀତ ସଫଳତା ଅଜାଡ଼ି ଦେଇଥିଲା। ୨୦୧୬ରେ ନିଜର ପୁରୁଷବନ୍ଧୁ ସୌରଭ ଦେବେନ୍ଦ୍ର ସିଂହଙ୍କୁ ବିବାହ କରିଥିବା ସୌମ୍ୟାଙ୍କର ଏବେ ତିନିବର୍ଷର ପୁଅଟିଏ ଅଛି। ୨୦୧୯ ପରଠାରୁ ସାଂସାରିକ ଜୀବନରେ ମଜ୍ଜି ରହି ସେ ଆଉ ଅଭିନୟକୁ ସମୟ ଦେଇପାରୁନାହାନ୍ତି। ତେବେ ତାଙ୍କ ସ୍ଥିତି ଅନୁଯାୟୀ ଉପଯୁକ୍ତ ସୁଯୋଗ ମିଳିଲେ ସେ ଆଦୌ ହାତଛଡ଼ା କରିବେନି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର