ପରଦା: ‘ଦାଦାଗିରି’ କରିବେ ଅନୁଭବ-ସୌରଭ

କୋଲକାତାରେ ଚାଲିଥିବା ‘ଦାଦାଗିରି’ କାର୍ଯ୍ୟକ୍ରମରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲୀ ଯୋଗଦେଇ ସେଠାକାର ଟେଲି ଦର୍ଶକଙ୍କୁ ଆମୋଦିତ କରୁଛନ୍ତି। ଏବେ ଓଡ଼ିଶାରେ ଜି-ସାର୍ଥକ ଚ୍ୟାନେଲ୍‌ରେ ଚାଲିଥିବା ‘ଦାଦାଗିରି’ ସୋ’କୁ ମଧ୍ୟ ସୌରଭ ଦାଦାଙ୍କୁ ଆମନ୍ତ୍ରଣ କରାଯାଇଛି। ଅାଗାମୀ ଶନିବାର ‘ଦାଦାଗିରି’ର ଅଷ୍ଟମ ଏପିସୋଡ୍‌ରେ ଓଡ଼ିଆ ମେଗାଷ୍ଟାର ଅନୁଭବଙ୍କ ସହ କ୍ରିକେଟର୍ ସୌରଭଙ୍କୁ ଏକାଠି ଦେଖିବାକୁ ମିଳିବ। ଏଥିପାଇଁ ଦର୍ଶକ ମହଲରେ ଅଜସ୍ର ଉତ୍କଣ୍ଠା ଦେଖାଦେଇଛି। ପ୍ରଥମେ ମେଗାଷ୍ଟାର ଅନୁଭବଙ୍କୁ ନେଇ ମେଗା ରିଅାଲିଟି ସୋ’ ‘ଦାଦାଗିରି’ର ପରିକଳ୍ପନା କରିଥିଲା ଚ୍ୟାନେଲ୍ ଜି-ସାର୍ଥକ। କିଛିଦିନ ତଳେ ଦର୍ଶକ ଉକ୍ତ ଚ୍ୟାନେଲ୍‌ରେ ପ୍ରଦର୍ଶିତ ହେଉଥିବା ଲୋକପ୍ରିୟ ଧାରାବାହିକ ‘ବିଜୟିନୀ’ର ଅଭିନେତା ଓ ଅଭିନେତ୍ରୀଙ୍କୁ ନେଇ ଏହି ସୋ’ର ଏକ ବିଶେଷ ଅଧ୍ୟାୟ ଦେଖିଥିଲେ। ଅଭିନେତ୍ରୀ ଦୀପିକା ତ୍ରିପାଠୀଙ୍କ ନିପୁଣ ନୃତ୍ୟ ସହ ଉକ୍ତ ଏପିସୋଡ୍‌ରେ ଅଭିନେତା ବିଶ୍ବଭୂଷଣ, ସାଗର ଓ ବାଦଲ ମଧ୍ୟ ଯୋଗଦେଇ ଅନୁଭବଙ୍କ ସହ ମଜାମସ୍ତି କରିଥିଲେ। ଅନୁଭବଙ୍କ ଏହି ରିଅାଲିଟି ସୋ’ ସଂଚାଳନା ନେଇ ସାରା ଓଡ଼ିଶାରେ ଚର୍ଚ୍ଚା ଜୋର ଧରିଛି। ଅନେକ ସୁପର୍‌ହିଟ୍‌ ଚଳଚ୍ଚିତ୍ର ଦେଇ ଓଡ଼ିଆ ଦର୍ଶକଙ୍କ ହୃଦୟ ଜିଣିଥିବା ଅନୁଭବ ‘ଦାଦାଗିରି’ ସୋ’ ମାଧ୍ୟମରେ ଘରେ ଘରେ ସବୁବର୍ଗର ଲୋକଙ୍କୁ ଭରପୂର ମନୋରଞ୍ଜନ ଦେଇ ଚାଲିଛନ୍ତି। ୩୦ଟି ଜିଲ୍ଲାରୁ ୩୦ ଜଣ ପ୍ରତିଯୋଗୀଙ୍କୁ ନେଇ ‘ଦାଦାଗିରି’ର ଏପିସୋଡ୍ ପ୍ରସ୍ତୁତ ହୋଇଥିବା ବେଳେ ଏଥିରେ ଯୋଗ ଦେଉଥିବା ପ୍ରଖ୍ୟାତ ସେଲିବ୍ରିଟିମାନେ ହିଁ ‘ଦାଦାଗିରି’ ସୋ’ର ଦର୍ଶକାଦୃତି ବୃଦ୍ଧି କରାଉଛନ୍ତି।

ସମ୍ବନ୍ଧିତ ଖବର