ତାମିଲ ସୁପରଷ୍ଟାର୍ ସୂର୍ଯ୍ୟ ଅଭିନୀତ ‘ଜୟ ଭୀମ’ ଚଳଚ୍ଚିତ୍ର ଓଟିଟି ମଞ୍ଚରେ ମୁକ୍ତିଲାଭ କରିବାର ତିନି ମାସ ବିତିସାରିଥିଲେ ହେଁ କୌଣସି ନା କୌଣସି କାରଣରୁ ଏହା ଏ ପର୍ଯ୍ୟନ୍ତ ଚର୍ଚ୍ଚିତ ହୋଇରହିଛି। ଏବେ ଓସ୍କାର୍ସର ଆନୁଷ୍ଠାନିକ ୟୁଟ୍ୟୁବ୍ ଚ୍ୟାନେଲ୍ରେ ‘ଜୟ ଭୀମ’ ଚଳଚ୍ଚିତ୍ରର ଏକ ଦୃଶ୍ୟ ସାଙ୍ଗକୁ ଏହାର ଲେଖକ-ନିର୍ଦେଶକ ଟିଜେ ଜ୍ଞାନବେଲ୍ଙ୍କ କାହାଣୀ ଓ ଏହାର ନିର୍ମାଣ ସମ୍ପର୍କିତ ବ୍ୟାଖ୍ୟ ଦେଖିବାକୁ ମିଳିଛି। ଏଭଳି ମର୍ଯ୍ୟାଦାଜନକ ମଞ୍ଚରେ ସ୍ଥାନ ପାଇବାରେ ଏହା ପ୍ରଥମ ତାମିଲ ଚଳଚ୍ଚିତ୍ର। ତେଣୁ ଚଳଚ୍ଚିତ୍ରର ପ୍ରଶଂସକମାନେ ଏବେ ସାମାଜିକ ଗଣମାଧ୍ୟମରେ ଗର୍ବ ଓ ଖୁସି ବ୍ୟକ୍ତ କରୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
‘ଜୟ ଭୀମ’ର କାହାଣୀ ଏକ ବାସ୍ତବ ଘଟଣା ଉପରେ ଆଧାରିତ। ତାମିଲନାଡୁର ଆଦିବାସୀମାନଙ୍କ ଅଧିକାର ପାଇଁ ବିନା ପାରିଶ୍ରମିକରେ ଲଢ଼ିଆସୁଥିବା ଓକିଲ ଚନ୍ଦ୍ରୁଙ୍କ ୧୯୯୩ର ଅଭିଜ୍ଞତାକୁ ନିର୍ଦେଶକ ଟିଜେ ଜ୍ଞାନବେଲ୍ ଏକ ପ୍ରଭାବଶାଳୀ ଚଳଚ୍ଚିତ୍ରର ରୂପ ଦେଇଛନ୍ତି। ଜାତିଭେଦ ଓ ପୁଲିସ ଅତ୍ୟାଚାର ପ୍ରସଙ୍ଗ ଉତ୍ଥାପନ କରୁଥିବା ଏହି କୋର୍ଟରୁମ୍ ଡ୍ରାମାରେ ସୂର୍ଯ୍ୟ ବାସ୍ତବ ଦୁନିଆର ଚନ୍ଦ୍ରୁ ଭୂମିକାରେ ଅଭିନୟ କରିଛନ୍ତି। ଉଲ୍ଲେଖନୀୟ, ଏହା ପୂର୍ବରୁ ‘ଜୟ ଭୀମ’ ଆନ୍ତର୍ଜାତୀୟ ଗୋଲ୍ଡେନ୍ ଗ୍ଲୋବ୍ ପୁରସ୍କାର-୨୦୨୨ର ‘ଶ୍ରେଷ୍ଠ ଅଣ-ଇଂରେଜୀ ଭାଷା ଚଳଚ୍ଚିତ୍ର’ ବିଭାଗରେ ପୁରସ୍କାର ଦୌଡ଼ରେ ସାମିଲ ହୋଇଥିଲା। ଚଳଚ୍ଚିତ୍ର ସମୀକ୍ଷା ୱେବ୍ସାଇଟ୍ ‘ଆଇଏମ୍ଡିବି’ରେ ୯.୩ ଅଙ୍କ ହାସଲ କରି ଭାରତୀୟ ଚଳଚ୍ଚିତ୍ର ତାଲିକାର ଶୀର୍ଷରେ ଅଛି।