ନୂଆଦିଲ୍ଳୀ: ଭୋଜପୁରି ସିନେମା ଦିନକୁ ଦିନ ଅଧିକ ଲୋକପ୍ରିୟତା ସାଉଁଟି ଚାଲିଛି। ଭୋଜପୁରି ଇଣ୍ଡଷ୍ଟ୍ରି ପ୍ରତ୍ୟେକ ଘଟଣାକୁ ନେଇ ଗୀତ ବନାଇବାରେ ବେଶ୍ ଆଗୁଆ। ଏବେ ଦେଶରେ ସବୁଠାରୁ ଅଧିକ ଚର୍ଚ୍ଚା ପାଲଟିଥିବା ଏସ୍ଡିଏମ୍ ଜ୍ୟୋତି ମୌର୍ଯ୍ୟ ଏବଂ ଆଲୋକ ମୌର୍ଯ୍ୟଙ୍କ ବୈବାହିକ ଜୀବନର ସମସ୍ୟାକୁ ନେଇ ମଧ୍ୟ ଭୋଜପୁରିରେ ଅନେକ ଗୀତ ବାହାରିବାରେ ଲାଗିଛି। ବିଭିନ୍ନ ଗୀତରେ ଜ୍ୟୋତି ମୌର୍ଯ୍ୟଙ୍କ କାହାଣୀକୁ ବିଭିନ୍ନ ଢଙ୍ଗରେ ଉପସ୍ଥାପିତ କରାଯାଇଛି।
ଏହି ଚର୍ଚ୍ଚିତ ଦମ୍ପତିଙ୍କ ବିବାଦକୁ ନେଇ ଏବେ ପ୍ରାୟ ୧୦ରୁ ଅଧିକ ଗୀତ ବନି ସାରିଲାଣି। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ଗୀତକୁ ବହୁ ସଂଖ୍ୟକ ଲୋକ ପସନ୍ଦ କରୁଛନ୍ତି। କିଛି ଗୀତରେ ଦୁଇ ଜଣଙ୍କ ମଧ୍ୟରେ ଉପୁଜିଥିବା ଦୂରତାର କାରଣ ବ୍ୟାଖ୍ୟା କରାଯାଇଥିବା ବେଳେ କିଛି ଗୀତରେ ଆଲୋକ ମୌର୍ଯ୍ୟଙ୍କୁ ସମର୍ଥନ କରାଯାଇଛି।
ସମସ୍ତ ଗୀତ ମଧ୍ୟରୁ ଆଗରେ ରହିଛି ଜ୍ୟୋତି ମୌର୍ଯ୍ୟ ଓ ଆଲୋକ ମୌର୍ଯ୍ୟଙ୍କ ଉପରେ ବନିଥିବା ଚାଳିଶା। ଯାହାକୁ ଗାଇଛନ୍ତି ଭୋଜପୁରି ଗାୟିକା ଚନ୍ଦା ଶର୍ମା। ଏହି ଗୀତଟି ଜୁଲାଇ ୫ ତାରିଖରେ ରିଲିଜ୍ ହୋଇ ସାରିଥିବା ବେଳେ ଏହାର ଭିୟୁ ଏବେ ସୁଦ୍ଧା ୧୨ ଲକ୍ଷରୁ ଅଧିକ ହୋଇ ସାରିଲାଣି।
ଦ୍ବିତୀୟ ସ୍ଥାନରେ ରହିଛି ‘ଏସ୍ଡିଏମ୍ ବନତେ ହିଁ ଭୁଲ୍ ଗୟିଲୁ’ ଗୀତ। ଏବେ ସୁଦ୍ଧା ଏହି ଗୀତଟିକୁ ୬ ଲକ୍ଷ ଭିୟୁ ମିଳି ସାରିଲାଣି। ଏହି ଗୀତଟିକୁ ଗାଇଛନ୍ତି ରିତିକ ପାଣ୍ଡେ। ଗୀତଟିକୁ ଲେଖିଛନ୍ତି ଗୁରୁଦେବଜୀ।
‘ବେୱଫା ଏସ୍ଡିଏମ୍ ଜ୍ୟୋତି ଉର୍ଫ ଆଲୋକ ମୌର୍ଯ୍ୟ କୋ ଇନ୍ସାଫ୍’ ଗୀତଟି ମଧ୍ୟ ଇଣ୍ଟର୍ନେଟ୍ରେ ଖୁବ୍ ଲୋକପ୍ରିୟ ପାଲଟିଛି। ଏହାଛଡ଼ା ‘ରାଜା ଏସ୍ଡିଏମ୍ ବନା ଦୋ ଧୋକା ନା ଦେହମ୍’ ଗୀତଟି ମଧ୍ୟ ଏବେ ଟ୍ରେଣ୍ଡ୍ କରୁଛି।