ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଅଭିନୟ କ୍ଷେତ୍ରରେ ସକ୍ରିୟ ରହି ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି ସେ। ଓଡ଼ିଆ ସିନେମା ଓ ଟେଲିଧାରାବାହିକରେ ଭିନ୍ନ ଭିନ୍ନ ଭୂମିକା ନିଭାଇ ନିଜ ଦକ୍ଷତାର ପ୍ରମାଣ ବି ଦେଇଛନ୍ତି। ଏକାଧାରରେ ଜ‌ଣେ ଓଡ଼ିଶୀ ନୃତ୍ୟଶିଳ୍ପୀ, ଗାୟିକା ଓ ଅଭିନେତ୍ରୀ ମିଲି ମହାନ୍ତି ନିଜ ପ୍ରତିଭା ଲାଗି ଓଡ଼ିଶାର ଘରେ ଘରେ ପରିଚିତ। ଏଥର ତାଙ୍କ ସହ ସ୍ବଳ୍ପ ଆଳାପ।

Advertisment

ବନ୍ଦନା ମିଶ୍ର୍ର

ଆପଣ ଉଭୟ ଧାରାବାହିକ ଓ ସିନେମାରେ ବିଭିନ୍ନ ଚରିତ୍ରରେ ଅଭିନୟ କରିଛନ୍ତି। ତେବେ କେଉଁ କ୍ଷେତ୍ରରେ କାମ କରିବାକୁ ବେଶି ଭଲ ଲାଗେ?
ସିନେମାରେ କାମ କରିବାକୁ ବେଶି ଭଲ ଲାଗେ। କାରଣ ସିନେମାଟା ଦୀର୍ଘସ୍ଥାୟୀ। ସିନେମାର ଚରିତ୍ରକୁ ଲୋକ ଯୁଗ ଯୁଗ ଧରି ମନେରଖନ୍ତି।

କେଉଁ ଧରଣର ଚରିତ୍ରରେ ଅଭିନୟ କରିବା ବେଳେ ଆପଣ ଅଧିକ ସହଜ ଅନୁଭବ କରନ୍ତି?
ମୁଁ  ମୋ ଅଭିନୟ ଜୀବନରେ ପ୍ରାୟ ସବୁ ପ୍ରକାରର ଚରିତ୍ର କରିଛି। କମେଡିରୁ ଆରମ୍ଭ କରି ନେଗେଟିଭ୍, ପଜିଟିଭ୍ ସବୁ ପ୍ରକାରର ଭୂମିକା ମୁଁ ନିଭାଇଛି। ସମସ୍ତେ କହନ୍ତି କି ହାସ୍ୟରସ ଥିବା ଚରିତ୍ର ମୁଁ ବେଶି ଭଲ କରିପାରେ। ଯଦି ମୋର ବ୍ୟକ୍ତିଗତ ପସନ୍ଦ ପଚାରୁଛନ୍ତି ତ ମୁଁ କହିବି, ମୋତେ ପଜିଟିଭ୍ ଚରିତ୍ର ଭଲଲାଗେ।

ଆପଣଙ୍କ ସ୍ବାମୀ କ’ଣ କରନ୍ତି? ବିବାହ କିପରି ହୋଇଥିଲା?
ମୋ ସ୍ବାମୀ ଜଣେ ବ୍ୟାଙ୍କର୍। ଗୋଟିଏ କାମକୁ ନେଇ ଆମର ଦେଖା ହୋଇଥିଲା। ତାଙ୍କର ଏକ ଇନ୍‌ଷ୍ଟିଚ୍ୟୁଟ୍‌ ଅଛି। ତା’ ପାଇଁ ସେ ଜଣେ ଓଡ଼ିଶୀ ନୃତ୍ୟ ଶିକ୍ଷୟିତ୍ରୀ ଖୋଜୁଥାନ୍ତି। ହେଲେ ମୁଁ ସେ ସମୟରେ ସିରିୟଲ୍‌ରେ ବହୁତ ବ୍ୟସ୍ତ ଥାଏ। ସେଥିପାଇଁ ତାଙ୍କୁ ମନା କରିଦେଇଥିଲି। ମାତ୍ର କଥାବାର୍ତ୍ତା ଭିତରେ ସେ ତାଙ୍କ ଆଡୁ ପ୍ରସ୍ତାବ ଦେଲେ ଏବଂ  ଆମ ଦୁଇ ପରିବାରର ସହମତିରେ ଆମ ବିବାହ ହୋଇଥିଲା।

ଜଣେ ଅଭିନେତ୍ରୀ ଏକ ସାଧାରଣ ପରିବାରକୁ ବୋହୂ ହୋଇଗଲେ, ପରିବେଶ କିପରି ଥିଲା? ଖାପଖୁଆଇବାକୁ ସମସ୍ୟା ହୋଇଥିଲା କି?
ଆରମ୍ଭରୁ ସେଥିପାଇଁ ମୁଁ ବହୁ ସମସ୍ୟାର ସମ୍ମୁଖୀନ ହୋଇଛି। ଅନେକ ମାନସିକ ଅଶାନ୍ତି ବି ଭୋଗିଛି। ମୋତେ ନେଇ ବହୁତ ଲୋକ ବହୁତ ପ୍ରକାରର ନକାରାତ୍ମକ ଟିପ୍ପଣୀ ଦେଇଛନ୍ତି। ହେଲେ ମୁଁ ସର୍ବଦା ନିଜ ଉପରେ ହିଁ ବିଶ୍ବାସ ରଖିଛି। କାହା କଥାରେ କେବେ ଭାଙ୍ଗିପଡ଼ିନି। 

ଯଦିଓ ଘର ଚଳାଇବାରେ ନାରୀର ଭୂମିକା ଅଧିକ, କିନ୍ତୁ ଆଜି ବି ଅନେକ ଘର ପୁରୁଷମାନଙ୍କ ହିସାବରେ ଚାଲେ। ଆପଣଙ୍କ ପରିବାରରେ କାହାକୁ ବେଶି ପ୍ରାଧାନ୍ୟ ମିଳେ?
ପ୍ରାଧାନ୍ୟ ତ ମିଳେ, କିନ୍ତୁ ସେମାନଙ୍କ ହିସାବରେ ଘର ଚାଲେ। ପିଲାଦିନୁ ଆମେ ଦେଖିଛୁ, ବାପାଙ୍କ ଇଚ୍ଛାକୁ ବୋଉ କେତେ ସମ୍ମାନ ଦିଏ। ପୁରୁଷଙ୍କ ଇଚ୍ଛାରେ ଘରେ ରୋଷେଇ ହୁଏ, ସେମାନଙ୍କ ଇଚ୍ଛାରେ ହିଁ ନିଷ୍ପତ୍ତି ନିଆଯାଏ। ମୁଁ କେବେ ଏହାକୁ ବଦଳାଇବାକୁ ଚାହିନି। ଆମେ ଯାହା ଦେଖି ବଡ଼ ହେଇଛୁ, ତାହାକୁ ହିଁ ଧରି ରଖି ଚାଲିଛୁ।

ଗ୍ଲାମର୍ ବୃତ୍ତି ବା ଫିଲ୍ମ ଲାଇନ୍‌ ମହିଳାଙ୍କ ପାଇଁ କେତେ ସୁରକ୍ଷିତ?
ମୁଁ କହିବି, ଏ ଲାଇନ୍ ମହିଳାଙ୍କ ପାଇଁ ଯେତେ ସୁରକ୍ଷିତ ଆଉ କୌଣସି ଲାଇନ୍ ସେତିକି ନୁହେଁ। କାରଣ ଆମେ ଏଠି କାମ କଲା ବେଳେ ସୁଟିଂସେଟ୍‌ରେ ଏକାସାଥିରେ ୫୦-୬୦ ଜଣ ଲୋକ ଥାଆନ୍ତି। ଏତେ ଗହଳି ଭିତରେ ଜଣଙ୍କୁ ଅସୁରକ୍ଷିତ ଲାଗିବ କିପରି? ରାତି ୪ଟାରେ ସୁଟିଂ ଥିଲେ ବି ଆମେ ସୁରକ୍ଷିତ ବାତାବରଣରେ କାମ କରୁଥାଉ।

ଶାଢ଼ି ବ୍ୟତୀତ ଆପଣ କ’ଣ ପିନ୍ଧିବାକୁ ପସନ୍ଦ କରନ୍ତି? ପୋଷାକଙ୍କୁ ନେଇ ଶାଶୂଘରେ କେବେ ସମାଲୋଚିତ ହୋଇଛନ୍ତି କି?
ମୋତେ ଶାଢ଼ି ପିନ୍ଧିବାକୁ ସବୁଠାରୁ ବେଶି ଭଲଲାଗେ। ମାତ୍ର ଆପଣ ଜାଣିଥିବେ ଯେ ଜଣେ ମହିଳା ଶାଢ଼ି ପିନ୍ଧିଲେ ତା’ ଲୁକ୍‌ସ୍‌କୁ ପୂରା କରିବାକୁ ତାକୁ ଆହୁରି ଅନେକ ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ। ସେଥିପାଇଁ ସବୁବେଳେ ପିନ୍ଧିବା ସମ୍ଭବ ହୁଏନି। ମୁଁ ଅଧିକାଂଶ ସମୟରେ ସାଲ୍‌ୱାର୍‌ ପିନ୍ଧେ। ଆଧୁନିକ ପୋଷାକ ବି ପିନ୍ଧିଥାଏ। ଯେହେତୁ ମୁଁ ଗ୍ଲାମର୍ ଲାଇନ୍‌ରେ ଅଛି, ଆମ ଘରେ ମୋ ପୋଷାକ ପରିଧାନକୁ ଗ୍ରହଣ କରି ନେଇଛନ୍ତି। ମୂଳରୁ ମୋତେ ବିଭିନ୍ନ ପ୍ରକାରର ପୋଷାକରେ ଦେଖି ଆସିଛନ୍ତି ତ ବିଶେଷ କିଛି ଆପତ୍ତି ଜାହିର କରିନାହାନ୍ତି।